ମହାରାଷ୍ଟ୍ରରେ କିଏ ହେବେ ମୁଖ୍ୟମନ୍ତ୍ରୀ !

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସସପେନ୍ସ ଜାରି ରହିଛି। ଦେବେନ୍ଦ୍ର ଫଡନାଭିସଙ୍କ ମୁଣ୍ଡରେ ମୁଖ୍ୟମନ୍ତ୍ରୀ ମୁକୁଟ ଭିଡ଼ା ହେବ ବୋଲି ଜୋରସୋର ଚର୍ଚ୍ଚା ଭିତରେ କି ଭୂମିକାରେ ରହିବେ ଏକନାଥ, ତାକୁ ନେଇ ସେତିକି ଚର୍ଚ୍ଚା ଚାଲିଛି। କାହିଁକି ନାଁ ଘୋଷଣାରେ ବିଳମ୍ୱ ହେଉଛି। ଅମିତ ଶାହାଙ୍କ ବାସଭବନରେ ମହାୟୁତି ନେତା ଏକାଠି ହୋଇ ବିଚାରବିମର୍ଶ ସତ୍ତ୍ୱେ ବିଳମ୍ୱ ପଛର କାରଣ, ରାଜନୀତି ଓ ସମୀକରଣକୁ ନେଇ ହଟୁନି ସସପେନ୍ସ। ଯଦିଓ କୁହାଯାଉଛି, ଡିସେମ୍ୱର ୨ରେ ଶପଥ ଗ୍ରହଣ ସମାରୋହ।

ମହାରାଷ୍ଟ୍ରରେ ମହାୟୁତିର ବିପୁଳ ବିଜୟ ସତ୍ତ୍ୱେ ମୁଖ୍ୟମନ୍ତ୍ରୀ କିଏ ହେବେ। ସେ ନେଇ ସସପେନ୍ସ ଜାରି ରହିଛି। ଗୁରୁବାର ରାତିରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବାସଭବନରେ ମହାୟୁତିର ନେତାଙ୍କ ବୈଠକ ହୋଇଥିଲା। ପ୍ରାୟ ଦୁଇ ଘଣ୍ଟା ଧରି ମୁଖ୍ୟମନ୍ତ୍ରୀ ଚୟନ ସହ ସରକାର ଗଠନ ଦିଗରେ ଆଲୋଚନା ହୋଇଛି। କିନ୍ତୁ ମୁଖ୍ୟମନ୍ତ୍ରୀ ନାଁ ଉପରେ କୌଣସି ଘୋଷଣା ହେଲାନି। ମହାରାଷ୍ଟ୍ରରେ ଚଳିତ ବିଧାନସଭାର କାର୍ଯ୍ୟକାଳ ନଭେମ୍ୱର ୨୬ରୁ ସରିଲାଣି। ୨୦୨୪ ଲୋକସଭା ନିର୍ବାଚନରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ବିଜେପି ୨୮୮ ବିଧାନସଭା ଆସନରୁ ଏକାକୀ ୧୩୨ ଆସନରେ ବିଜୟୀ ହୋଇ ଆଧିପତ୍ୟ ଜାହିର କରିଛି। ମହାୟୁତିର ସମସ୍ତ ସହଯୋଗୀଙ୍କ ତୁଳନାରେ ଆସନ ସଂଖ୍ୟାରେ ବେଶ୍ ଆଗରେ ରହିଥିବାରୁ ଦେବେନ୍ଦ୍ର ଫଡ଼ନାଭିସଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ବିଜେପି ଚାପ ପକାଉଛି। ଏକନାଥ ସିନ୍ଦେଙ୍କ ଶିବସେନା ୫୭ ଓ ଅଜିତ ପାଓ୍ୱାରଙ୍କ ଏନସିପି ୪୧ ଆସନ ହାସଲ କରିଛି। ମହାୟୁତି ମେଣ୍ଟର ବିଜୟ ପଛରେ ସିନ୍ଦେଙ୍କ ନେତୃତ୍ୱ ପ୍ରମୁଖ କାରଣ କହି ତାଙ୍କ ଶିବିରର ବିଧାୟକମାନେ ପୁଣି ଥରେ ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରୁଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ନାଁରେ କୌଣସି ମୋହର ଲାଗିନଥିବାରୁ ଶୁକ୍ରବାର ମୁମ୍ୱାଇରେ ହେବାର ଥିଲା ବୈଠକ। କିନ୍ତୁ ଏହାକୁ ବାତିଲ୍ କରିଦିଆଯାଇଛି। ଅଚାନକ ସିନ୍ଦେ ନିଜ ଗାଁ ସତାରା ଜିଲ୍ଲାକୁ ବାହାରି ପଡ଼ିବାରୁ ମହାୟୁତିର ବୈଠକକୁ ସ୍ଥଗିତ କରିବାକୁ ପଡ଼ିଥିଲା। ଦିଲ୍ଲୀରୁ ଫେରିବା ପରେ ମହାୟୁତିର ତିନି ନେତା ସିନ୍ଦେ, ଫଡ଼ନାଭିସ ଓ ଅଜିତ ବସି ଶୁକ୍ରବାର ଅପରାହ୍ନରେ ମନ୍ତ୍ରିମଣ୍ଡଳର ବିଭାଗକୁ ନେଇ ବଡ଼ ଆଲୋଚନା କରିଥାଆନ୍ତେ। କାହା ପାଖରେ କେଉଁ ବିଭାଗ ରହିବ, ତାକୁ ନେଇ ଅଙ୍କ ଛିଣ୍ଡିବା ଆଗରୁ ସିନ୍ଦେଙ୍କ ଅଚାନକ ଗାଁକୁ ଗସ୍ତ ଏସବୁର ସସପେନ୍ସକୁ ଅଧିକ ବଢ଼ାଇଦେଇଛି। କୁହାଯାଉଛି, ଶନିବାରକୁ ମନ୍ତ୍ରିମଣ୍ଡଳର ବିଭାଗ ଉପରେ ତିନି ନେତାଙ୍କ ଭିତରେ ଆଲୋଚନା ହେବ। ଲାଡ଼ଲା ଭାଇ ପରିଚୟ ତାଙ୍କ ଲାଗି ସବୁ ପଦପଦବୀରୁ ବଡ଼। ମୁଖ୍ୟମନ୍ତ୍ରୀ ପଦକୁ ନେଇ କୌଣସି ବାଧା ନାହିଁ ବୋଲି ପୁଣି ଥରେ ଦୋହରାଇଥିଲେ ସିନ୍ଦେ। ଦେବେନ୍ଦ୍ର ମୁଖ୍ୟମନ୍ତ୍ରୀ ଓ ସିନ୍ଦେ ଉପ-ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ଚାଲିଛି। କିନ୍ତୁ ଉପ-ମୁଖ୍ୟମନ୍ତ୍ରୀ ପଦ ନେବାକୁ ସିନ୍ଦେ ଇଛୁକ ନୁହଁନ୍ତି। ଯିଏ ମୁଖ୍ୟମନ୍ତ୍ରୀ ଥିଲେ ସେ ଉପ-ମୁଖ୍ୟମନ୍ତ୍ରୀ ବି ହୋଇପାରିବେ। ମହାରାଷ୍ଟ୍ର ରାଜନୀତିରେ ସ୍ୱାଭିମାନ ମରିଗଲା। ଏଭଳି କଟାକ୍ଷ କରିଛନ୍ତି ସଞ୍ଜୟ ରାଉତ। ଫଡନାଭିସ୍ ମୁଖ୍ୟମନ୍ତ୍ରୀ ଥିଲା ବେଳେ ସିନ୍ଦେ ତାଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିଲେ। ସିନ୍ଦେ ମୁଖ୍ୟମନ୍ତ୍ରୀ ଥିଲା ବେଳେ ତାଙ୍କ କ୍ୟାବିନେଟରେ ଉପ-ମୁଖ୍ୟମନ୍ତ୍ରୀ ଥିଲେ ଫଡ଼ନାଭିସ। ସିନ୍ଦେ ଓ ଅଜିତଙ୍କ ଉଦ୍ଦେଶ୍ୟରେ ଏଭଳି କଟାକ୍ଷ ଫିଙ୍ଗି କହିଛନ୍ତି ଯେ, ଏମାନଙ୍କ ହାଇକମାଣ୍ଡ ଦିଲ୍ଲୀରେ ରୁହନ୍ତି। ଅଲଗା ଦଳ ଗଢ଼ି, ନିଜକୁ ସୁପ୍ରିମୋ ବୋଲାଇ ଆତ୍ମସମ୍ମାନର କଥା କହୁଥିବା ସତ୍ତ୍ୱେ ଏହି ଦୁଇ ନେତା ନିଜସ୍ୱ ନିଷ୍ପତ୍ତି ନେବାକୁ ଅସମର୍ଥ।

ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ନାଁରେ ମୋହର ଲାଗିପାରୁନି। ସେପଟେ ପୋର୍ଟଫୋଲିଓକୁ ନେଇ ସହମତି ପ୍ରକାଶ ପାଇବା ସେତିକି ଗୁରୁତ୍ୱ ବହନ କରୁଛି। ଚର୍ଚ୍ଚା ହେଉଛି ଯେ, ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ବଦଳରେ ଅତି କମରେ ୧୦ରୁ ୧୨ଟି ମନ୍ତ୍ରୀ ପଦ ଦାବି କରୁଛନ୍ତି। ଏଥିରେ ଗୃହ ଓ ସହରୀ ବିକାଶ ଭଳି ବଡ଼ ବିଭାଗ ରହିଛି। ସେପଟେ ନୂଆ ସରକାରରେ ବିଜେପି ବି ନିଜ ପାଖରେ ୨୦ ମନ୍ତ୍ରୀ ପଦ ରଖିବାକୁ ଚାହୁଁଛି। ସେହିଭଳି ଅଜିତ ପାଓ୍ୱାରଙ୍କ ଏନସିପି ୬ରୁ୮ଟି ବିଭାଗ ଦାବି କରୁଛି। ଅର୍ଥ ମନ୍ତ୍ରଣାଳୟ ମାଗିଛି ଏନସିପି। ବିଜେପି ବିଧାୟକ ଦଳ ନେତା ଚୟନ ସହ କେନ୍ଦ୍ରରୁ ପର୍ଯ୍ୟବେକ୍ଷକ ଆସି ବିଧିବଦ୍ଧ ଭାବେ ନାଁ ଘୋଷଣା ପରେ ଡିସେମ୍ୱର ୨ରେ ନୂଆ ସରକାରର ଶପଥ ଗ୍ରହଣ ସମାରୋହ ହେବ। ନୂଆ ସରକାରେ ବି ଜଣେ ମୁଖ୍ୟମନ୍ତ୍ରୀ ଓ ଦୁଇ ଜଣ ଉପ-ମୁଖ୍ୟମନ୍ତ୍ରୀ ରହିବେ।  ଏଭଳି ସମୟରେ ଗୁଲାବ ରାଓ ପାଟିଲ ଉପ-ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଚାଲିଛି।

କାମଚଳା ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ଭିତରେ କଅଣ ଚାଲିଛି। ଫଡ଼ନାଭିସଙ୍କୁ ମୁଖ୍ୟମନ୍ତ୍ରୀ କରାଗଲେ, ସିନ୍ଦେ କେଉଁ ସର୍ତ୍ତରେ ମନ୍ତ୍ରିମଣ୍ଡଳରେ ସାମିଲ୍ ହେବେ। ଉପରୁ ସବୁ ଠିକଠାକ୍ ଦିଶୁଥିଲେ ବି ମହାରାଷ୍ଟ୍ର ପଲିଟିକ୍ସରେ ଘଡ଼ିକେ ଘୋଡ଼ା ଛୁଟୁଛି ଯେମିତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *