ମନରେଗା- ନାଁ ପରିବର୍ତ୍ତନ ନେଇ ରାଜନୀତି

ମନରେଗା ବା ମହାତ୍ମାଗାନ୍ଧୀ କର୍ମନିଶ୍ଚିତ ନିଯୁକ୍ତି ରୋଜଗାର ଯୋଜନାର ନାଁ ବଦଳିଲା। ଏଣିକି ଏହା ପୂଜ୍ୟ ବାପୁ ଗ୍ରାମୀଣ ରୋଜଗାର ହେଲା। ଏହା ସହ ଏହି ସ୍କିମ ଅଧୀନରେ କାମ ଦେବାର ଅବଧିକୁ ଶହେରୁ ୧୨୫କୁ ବଢ଼ାଇ ଦିଆଯାଇଛି। ଏ ସମ୍ପର୍କିତ ବିଲକୁ କେନ୍ଦ୍ର କ୍ୟାବିନେଟ୍ ମୋହର ମାରିଛି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କେନ୍ଦ୍ର ମନ୍ତ୍ରିମଣ୍ଡଳ ବୈଠକରେ ଏମଏନଆରଜିଏ ଅଧିନିୟମ ପରିବର୍ତ୍ତନ ସଂକ୍ରାନ୍ତୀୟ ବିଲକୁ ମୋହର ଲାଗିଛି। ଏହି ପରିବର୍ତ୍ତନ ଗ୍ରାମୀଣ ରୋଜଗାର ଓ ବିକାଶକୁ ନୂଆ ଦିଶା ଦେବ ବୋଲି ସରକାର କହୁଛନ୍ତି। ଏହି ସ୍କିମରେ ଗାଁରେ ବୟସ୍କ ଲୋକ ବି କାମ ପାଇବାକୁ ଦାବି କରିପାରିବେ। ପଞ୍ଚାୟତସ୍ତରରେ ଉପଲବ୍ଧ ରୋଜଗାର ଯେମିତି, ପୋଖରୀ ଖୋଳା, ରାସ୍ତା ମରାମତି, ନାଳ ଖୋଳା, ବଗିଚା କାମ, ମାଟି କାମ ଭଳିରେ ନିୟୋଜିତ କରାଯିବ। ଗାଁରେ ବଢ଼ୁଥିବା ଦରଦାମ୍ ଓ ବେରୋଜଗାର କାରଣରୁ କାମ ଦେବାର ଅବଧିକୁ  ଅଧିକ ୨୫ ଦିନ ବୃଦ୍ଧି କରାଯାଇଛି। ଗାଁରେ ରହୁଥିବା ପରିବାରକୁ ଅତିରିକ୍ତ କାମ ମିଳିବ। ଏଥିରୁ ଆୟ ହେବ ଓ ଦାଦନ ସମସ୍ୟା କମିବ। ନାଁ ପରିବର୍ତ୍ତନ ପଛରେ ଗ୍ରାମୀଣ ସ୍ୱାବଲମ୍ୱୀର ବିଚାରାଧାରାକୁ ଦର୍ଶାଇବାର ଯୁକ୍ତି ବାଢ଼ିଛି କେନ୍ଦ୍ର। କ୍ୟାବିନେଟ୍ ମଞ୍ଜୁରୀ ପରେ ଏବେ ବିଲ୍ ସଂସଦରେ ଆଗତ କରାଯିବ। ବିଧେୟକ ପାସ୍ ହେବା ପରେ ଏହି ଆଇନରେ ହେବାକୁ ଥିବା ପରିବର୍ତ୍ତନ ଲାଗୁ ହେବ। ଏହି ପରିବର୍ତ୍ତନକୁ ନେଇ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ପ୍ରତିଥର ନାମ ପରିବର୍ତ୍ତନ ଚାଲିଛି। ଏଥିରେ ପବ୍ଲିକ ଅର୍ଥ ଶ୍ରାଦ୍ଧ ହେଉଛି। ବାସ୍ତବରେ ଏଭଳି ପରିବର୍ତ୍ତନ ପଛର କାରଣକୁ ବୁଝାପଡ଼ୁନି। ଏହି ଯୋଜନାତ ଏମିଚିରେ ମହାତ୍ମାଗାନ୍ଧୀଙ୍କ ନାଁରେ ଥିଲା। ଟିଏମସି ନେତ୍ରୀ ତଥା ପଶ୍ଚିମବଙ୍ଗର ମନ୍ତ୍ରୀ ଶଶୀ ପାଞ୍ଜା କହିଛନ୍ତି, ଏହି ଯୋଜନାରୁ ମହାତ୍ମା ଶବ୍ଦ ହଟାଇବାକୁ ବିଧିବଦ୍ଧ ଚକ୍ରାନ୍ତ କରିଛନ୍ତି ବିଜେପି ସରକାର। କବିଗୁରୁ ରବୀନ୍ଦ୍ରନାଥ ଟାଗୋର ଗାନ୍ଧୀଜିଙ୍କୁ ମହାତ୍ମା ବୋଲି ଡାକୁଥିଲେ। ବିଜେପି ସରକାରଙ୍କ ଏହା ହୀନ ମାନସିକତା। ବଙ୍ଗାଳୀଙ୍କୁ ଅପମାନିତ କରିବାକୁ ରୀତିମତ ଚକ୍ରାନ୍ତ ଚାଲିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *