ରାଜ୍ୟରେ କଣ ମନ୍ତ୍ରୀମାନେ ଅଯୋଗ୍ୟ ହୋଇଗଲେ କି ? : ମୁକେଶ ମହାଲିଙ୍ଗ୍‌

Spread the love

ଭୁବନେଶ୍ୱର : ୫ଟି ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତକୁ ନେଇ ପୁଣି ପ୍ରଶ୍ନ ଉଠାଇଛି ରାଜ୍ୟ ବିଜେପି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସିଏମଓ କହିଲେ କେବଳ କ’ଣ କିଛି ନିର୍ଦ୍ଦିଷ୍ଟ କର୍ମଚାରୀ ମାନଙ୍କୁ ବୁଝାଏ କି? ଜନ ଅଭିଯୋଗ ଶୁଣାଣି କରିବା ପାଇଁ ରାଜ୍ୟରେ କ’ଣ ମନ୍ତ୍ରୀମାନେ ଅଯୋଗ୍ୟ ହୋଇଗଲେ କି ? ମନ୍ତ୍ରୀ, ସାଂସଦ ଓ ବିଧାୟକ ମୁଖ୍ୟମନ୍ତ୍ରୀଙ୍କର ସହଯୋଗୀ ନୁହଁନ୍ତି କି ? ସେମାନଙ୍କ ଉପରେ ଭରସା ନ କରି କିଛି ଦୁର୍ନୀତିଗ୍ରସ୍ତ ଅଧିକାରୀ ମାନଙ୍କ ଉପରେ ବିଶ୍ୱାସ କରିବା କ’ଣ ଗଣତନ୍ତ୍ର ପାଇଁ ଶୁଭଙ୍କର କି ବୋଲି ଟ୍ୱିଟ୍ କରି ପ୍ରଶ୍ନ କରିଛନ୍ତି ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ।

ସେ ଟ୍ୱିଟ୍ କରି କହିଛନ୍ତି ଯେ ଅଧିକାରୀଙ୍କ ମିଟିଂ କରାଇବା ପାଇଁ ଲୋକ ପ୍ରତିନିଧିମାନେ ମଞ୍ଚ ତିଆରି କରିବା, ଲୋକ ଯୋଗାଡ କରିବା କେତେ ଦୂର ଠିକ୍ ? ଗତ ଦୁଇ ମାସ ହେବ ରାଜ୍ୟର ମନ୍ତ୍ରୀ ଓ ଶାସକ ଦଳର ରାଜନୈତିକ ନେତୃତ୍ୱ କୁଆଡେ ଗଲେ ? ସେମାନଙ୍କୁ ଲୋକମାନେ ଖୋଜିବା ଆରମ୍ଭ କଲେଣି । ରାଜ୍ୟରେ ସବୁ ସଚିବ ମାନଙ୍କ ପାଇଁ ହେଲିକପ୍ଟର ଓ ସ୍ୱତନ୍ତ୍ର ବିମାନର ବ୍ୟବସ୍ଥା ହେଉଛି କି ? ମୁଖ୍ୟମନ୍ତ୍ରୀ ନିଜେ ସ୍ପଷ୍ଟ କରନ୍ତୁ, ଲୋକମାନଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧିମାନେ ରାଜ୍ୟରେ ଅକାମୀ ହୋଇଗଲେଣି କି?

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ କେତେ ଅଭିଯୋଗ ଆସୁଛି ? ଲୋକମାନେ ଦେଉଥିବା ଅଭିଯୋଗର ସମାଧାନ କେତେ ପ୍ରତିଶତ ହେଉଛି, ତାହାକୁ ଲୋକଲୋଚନକୁ ଆଣିବେ କି ? ସମସ୍ତ ସଚିବ ମାନଙ୍କୁ ଜିଲ୍ଲା ଦାୟିତ୍ୱ ବଣ୍ଟନ କରାଯାଇଥିଲା । କେତେ ସଚିବ ଜିଲ୍ଲା ଗସ୍ତ କରି କେତେ ଜନ ଶୁଣାଣିରେ ଭାଗ ନେଲେ, ତା’ ଖବର ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅଛି କି ? ମୁଖ୍ୟମନ୍ତ୍ରୀଙ୍କ ହଠାତ୍ ଜନ ଅଭିଯୋଗ ଶୁଣାଣି କଥା କହିବା କ’ଣ ଏହା ସୂଚାଉଛି ଯେ, ରାଜ୍ୟରେ ଜନ ଅସନ୍ତୋଷ ପ୍ରବଳ ମାତ୍ରାରେ ବଢିଛି, ଯାହା ସେ ଏତେ ଦିନ ପରେ ଅନୁଭବ କଲେ ? ୨୩ ବର୍ଷର ବିଫଳତା, ୫ଟି ଦୁର୍ନୀତି, ଆପଣଙ୍କ ଦଳର ବିଧାୟକଙ୍କର ମହିଳା ବିରୋଧୀ ଆଚରଣ, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଦାଦନ ସମସ୍ୟା, ଚାଷୀ ସମସ୍ୟାକୁ ସମାଧାନ କରିପାରିବେ ତ ବୋଲି ଲୋଇସିଂହା ବିଧାୟକ ଟ୍ୱିଟ୍ କରି ପ୍ରଶ୍ନ କରିଛନ୍ତି ।

Leave a Reply

Your email address will not be published. Required fields are marked *