ସରକାରଙ୍କ ବୈମାତୃକ ମନୋଭାବକୁ ନେଇ ସାମ୍ବାଦିକ ସମ୍ମିଳନୀରେ ଗର୍ଜିଲେ

Spread the love

ବଲାଙ୍ଗିର : କିଛିବର୍ଷ ହେଲା ଦେଖାଯାଉଛି ଉପକୂଳ ଅଞ୍ଚଳର ଧର୍ମପୀଠ ଗୁଡିକର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ହଜାର ହଜାର କୋଟି ଟଙ୍କାର ଅନୁଦାନ ରାଶି ଦେଇସାରିଛନ୍ତି । କିନ୍ତୁ, ପଶ୍ଚିମ ଓଡିଶା ବିଶେଷ କରି ବଲାଙ୍ଗିର ଜିଲ୍ଲାରେ ଦେବୋତ୍ତରର ଅନେକ ସମ୍ପତ୍ତି ଥିଲେ ହେଁ ଏଠାକାର ମନ୍ଦିର, ଦେବୋତ୍ତର ଭିତ୍ତିଭୂମିର ବିକାଶ ପାଇଁ ବିଧାନସଭା ଭିତରେ ଓ ବାହାରେ ଯେତେ ଦାବି କଲେ ମଧ୍ୟ ସରକାର ନିରୁତ୍ତର । ଅବଶ୍ୟ ସମ୍ବଲପୁର ମନ୍ଦିର ପାଇଁ ୨୦୦ ଶହ କୋଟି ଟଙ୍କା ଘୋଷଣା କରାଯାଇଛି । କିନ୍ତୁ, ବଲାଙ୍ଗିର ପାଇଁ ଆଜି ପର୍ଯ୍ୟନ୍ତ ନବୀନ ସରକାର ଆମ ଦାବି ଗୁଡିକୁ ଆଡ ଆଖିରେ ମଧ୍ୟ ଚାହୁଁ ନାହାନ୍ତି ।

ଯଦି ସରକାରଙ୍କ ଏପରି ମନୋବୃତ୍ତି ଜାରି ରହେ ମୁଁ ଚାହୁନଥିଲେ ମଧ୍ୟ ସରକାରଙ୍କ ଏଭଳି ମନୋବୃତ୍ତି କିଛି ଲୋକ ଦାବି କରୁଥିବା ସ୍ଵତନ୍ତ୍ର ରାଜ୍ୟ ଗଠନ ଦାବିକୁ ଖୋରାକ ଯୋଗାଇବ । ତେଣୁ ସରକାରଙ୍କ ଏଇ ସାବତ ପୁଅ ମନୋବୃତ୍ତି ଛାଡି ବଲାଙ୍ଗୀର ଦେବୋତ୍ତର ସମ୍ପତି ଏବଂ ଏଠାକାର ସମଲେଶ୍ଵରୀ ମନ୍ଦିର, ଗୋପାଲଜୀ ମନ୍ଦିର ତଥା ଦୋବୋତ୍ତର ସମ୍ପତ୍ତି ବିକାଶ ପାଇଁ ପର୍ଯ୍ୟାପ୍ତ ଅନୁଦାନ ପ୍ରଦାନ କରନ୍ତୁ ବୋଲି ଆଜି ସ୍ଥାନୀୟ ସର୍କିଟ ହାଉସ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ସରକାରଙ୍କ ବିରୁଦ୍ଧରେ ଗର୍ଜିଛନ୍ତି । ଏହି ମର୍ମରେ ସେ ଏହା ମଧ୍ୟ କହିଛନ୍ତି ଯେ, ସମଲେଶ୍ଵରୀ ମନ୍ଦିର ଏବଂ ଗୋପାଲଜୀ ମନ୍ଦିର, ରାଜଶ୍ରୀ ଧର୍ମଶାଳା ଅଞ୍ଚଳରେ ବିକାଶ ପାଇଁ ୫୦୦ କୋଟି ଟଙ୍କାର ଅନୁଦାନ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦାବି କରିଛନ୍ତି । ହେଲେ ଏପର୍ଯ୍ୟନ୍ତ ସରକାରଙ୍କୁ ଜିଲ୍ଲାପାଳ ମାତ୍ର ୩୮.୪୭ କୋଟି ଟଙ୍କାର ଏକ ଡିପିଆର ଅନୁମୋଦନ ପାଇଁ ପଠାଇଛନ୍ତି । ମାତ୍ର ଏହା ପର୍ଯ୍ୟାପ୍ତ ନୁହେଁ, ସେ ଯାହାବି ହେଉ ଏହି ଅନୁଦାନ ରାଶିରେ ଶୀଘ୍ର କାମ ଆରମ୍ଭ କରାଯାଉ ଏବଂ ତାଙ୍କ ଦାବି ମୁତାବକ ପୁରୁଣା ସମଲେଶ୍ଵରୀ ମନ୍ଦିର ଠିକ୍ ଭାବେ ପୁନରୁଦ୍ଧାର ଏବଂ ସୌନ୍ଦର୍ଯ୍ୟକରଣ ସହ ରାଜ୍ୟଶ୍ରୀ ଧର୍ମଶାଳା ପରିସରରେ ଥିବା ଖାଲି ଜମିରେ ଏକ ନୂତନ ଭବ୍ୟ ସମଲେଶ୍ଵରୀ ମନ୍ଦିରର ନିର୍ମାଣ, ବେକାରୀ ଯୁବକମାନଙ୍କ ମାର୍କେଟ କଂପେକ୍ସ, ଛୋଟ ଛୋଟ ପିଲାଙ୍କ ପାଇଁ ପାର୍କ ବ୍ୟବସ୍ଥା କରାଯାଉ ଏବଂ ଏଥିପାଇଁ ଦରକାର ଥିବା ଅନୁଦାନ ସରକାର ଶୀଘ୍ର ପ୍ରଦାନ କରନ୍ତୁ । ଆଜି ଦିନ ୧୨ଟାରେ ଆରମ୍ଭ ହୋଇଥିବା ସାମ୍ବାଦିକ ସମ୍ମଳନୀରେ ବିଧାୟକ ମିଶ୍ର ବଲାଙ୍ଗୀର ଜିଲ୍ଲାବାସୀଙ୍କ ବହୁଦିନର ଦାବି ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦିଗରେ ସରକାରଙ୍କ ଟାଳଟୁଳ ନୀତି ଅବଲମ୍ବନ ନକରି ସ୍ପଷ୍ଟ ଭାବେ ବଲାଙ୍ଗୀର ନାମକୁ କେନ୍ଦ୍ରକୁ ପଠାନ୍ତୁ ବୋଲି ଦାବି କରିଥିଲେ । ତା ସହ ବଲାଙ୍ଗିରରେ ଏକ କୃଷି ବିଶ୍ଵବିଦ୍ୟାଳୟ, ରାଜ୍ୟ ଏବଂ କେନ୍ଦ୍ର ସରକାର ଅଧିନସ୍ଥ ବାଇପାସ୍ ରାସ୍ତା, ଲୋୟର ସୁକ୍ତେଲ ଜଳସେଚନ ପ୍ରକଳ୍ପର ସମସ୍ତ କାର୍ଯ୍ୟ ଶୀଘ୍ର ଶେଷ କରନ୍ତୁ ଏବଂ ୨୦୨୪ରେ ଖରିଫରେ ଯେପରି ଚାଷୀମାନେ ପାଣି ପାଇବେ ସେ ବ୍ୟବସ୍ଥା କରନ୍ତୁ ବୋଲି ଦାବି କରିଥିଲେ । ଆହୁରି ମଧ୍ୟ ସେ କହିଛନ୍ତି, ତାଙ୍କ ଦାବି ମୁତାବକ, ଅନେକ ପ୍ରକଳ୍ପ ଯଥା, ନୂଆ ଜିଲ୍ଲାପାଳ କାର୍ଯ୍ୟାଳୟ, ସିଭିଲ କୋର୍ଟ କୋଠା, ମହାରାଣୀ ସାଗର ସୌନ୍ଦର୍ଯ୍ୟକରଣ ସହ ଅନ୍ୟାନ୍ୟ ବନ୍ଧ, ପୋଖରୀ, ଲକ୍ଷ୍ମୀଯୋର, ଗନ୍ଧରେଲ ଡ୍ୟାମ୍ ପ୍ରକଳ୍ପ ପାଇଁ ସରକାରଙ୍କ ଅନୁଦାନ ବହୁଦିନରୁ ଜିଲ୍ଲା ପ୍ରଶାସନ ହାତକୁ ଆସିଥିଲେ ହେଁ ତାର ଖର୍ଚ୍ଚ ହୋଇପାରୁନାହିଁ । ଏହି ପ୍ରକଳ୍ପ ଗୁଡିକର କାମ ଆରମ୍ଭ କରି ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ଦାବି କରିଥିଲେ । ଶିକ୍ଷାନୁଷ୍ଠାନ ଏବଂ ସ୍ଵାସ୍ଥ୍ୟ ବିଭାଗରେ ଅନେକ ଶିକ୍ଷକ, ଡାକ୍ତର ପଦବୀ ଖାଲି ଅଛି । ସେଗୁଡିକ ଶୀଘ୍ର ପୂରଣ କରାଯାଉ । ବର୍ତ୍ତମାନ ସରକାରଙ୍କ ନୂଆ ଯୋଜନା ଆମ ଓଡିଶା ଏବଂ ନବୀନ ଓଡିଶା ମାଧ୍ୟମରେ ପ୍ରତ୍ୟେକ ଗ୍ରାମପଞ୍ଚାୟତକୁ ଆସିବାକୁ ଥିବା ୫୦ ଲକ୍ଷ ଟଙ୍କା ଅନୁଦାନ ରାଶିରୁ ଅତି କମ୍ ରେ ୨୫ ଲକ୍ଷ ଟଙ୍କାର ଅନୁଦାନ ରାଶି ଏହି ଅଞ୍ଚଳରେ ଥିବା ଶିକ୍ଷା ଭତ୍ତିଭୂମିର ବିକାଶ ଦିଗରେ ଖର୍ଚ୍ଚ କରିବାକୁ ବିଧାୟକ ମିଶ୍ର ଦାବି କରିଥିଲେ । ଏହାସହ ପର୍ଯ୍ୟଟନ ସ୍ଥଳୀ ଭୀମପାହାଡ ଏବଂ ଚାନ୍ଦଲି ପାହାଡ ପାଇଁ ଆସିଥିବା ଅନୁଦାନକୁ ଶୀଘ୍ର ଖର୍ଚ୍ଚ କରାଯାଉ । ସରକାରଙ୍କ ସହମତି ସତ୍ୱେ ବଲାଙ୍ଗୀରରେ ନିର୍ମାଣ ହେବାକୁ ଥିବା ହକି ଷ୍ଟାଡିୟମକୁ ଆଉ ବିଳମ୍ବ ନକରି ତାର କାର୍ଯ୍ୟ ଶୀଘ୍ର ଆରମ୍ଭ କରାଯାଉ । ପୃଥ୍ଵୀରାଜ ହାଇସ୍କୁଲ ଖେଳପଡିଆରେ ଥିବା ଇନ୍ଡୋର ଏବଂ ଆଉଟଡୋର ଷ୍ଟାଡିୟମର ବିକାଶ ପାଇଁ ଦରକାର ଥିବା ଅନୁଦାନ ଶୀଘ୍ର ପ୍ରଦାନ କରାଯାଉ । ବହୁ ପୂର୍ବରୁ ନିର୍ମାଣ ସରିଥିବା ଲୋଇସିଂହା ଷ୍ଟାଡିୟମର ଆହୁରି ବିକାଶ ଏବଂ ଅଧିକ ଅର୍ଥ ମଞ୍ଜୁର ସହ ଜରାସିଂହା ମିନିଷ୍ଟାଡିୟମର ବିକାଶ ପାଇଁ ଅନୁଦାନ ମଂଜୁର କରିବାକୁ ବିଧାୟକ ମିଶ୍ର ଗଣମାଧ୍ୟମ ସମ୍ମୁଖରେ ଦାବି କରିଥିଲେ ।

ସାମ୍ବାଦିକ ସମ୍ମିଳନୀରେ ସେ ଏହାମଧ୍ୟ କହିଥିଲେ ଯେ, ଅନେକ ପ୍ରକଳ୍ପ ପାଇଁ ବିଭାଗୀୟ ମନ୍ତ୍ରୀଙ୍କ ସହମତି ସତ୍ବେ ସେ ସବୁ ପ୍ରତିଷ୍ଠା କରିବା ପାଇଁ ପଦକ୍ଷେପ ନିଆଯାଉନାହିଁ । ଆହୁରି ଅନେକ ପ୍ରକଳ୍ପ ପାଇଁ ଅନୁଦାନ ରାଶି ପଡିରହିଛି କିଛି ପ୍ରକଳ୍ପ ପାଇଁ ପ୍ରସ୍ତାବ ଯାଇଛି । ସରକାର ଯଦି ଏସବୁ ଦାବି ପୂରଣ ପାଇଁ ସକରାତ୍ମକ ପଦକ୍ଷେପ ଗ୍ରହଣ ନକରିବେ ତେବେ ଏହା ତାଙ୍କର ବଲାଙ୍ଗୀର ପ୍ରତି ବୈମାତୃକ ମନୋଭାବ ଅଛି ବୋଲି ଧରାଯିବ । ଆଉ ଯଦି ଏହିସ୍ଥିତି ଜାରି ରହେ ତେବେ ଦାବି ପୂରଣ ପାଇଁ ଆନ୍ଦୋଳନର ଧାରା କେବଳ ଦାବିପତ୍ର ପ୍ରଦାନ ଏବଂ ରାସ୍ତାରୋକରେ ସୀମିତ ନରହି ଆନ୍ଦୋଳନକୁ ଏପରି ତୀବ୍ରତର କରାଯିବ ଯେ, ସରକାରଙ୍କ କଳ୍ପନା ବାହାରେ ହୋଇଯିବ । ଏବଂ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ବିଧାୟକ ମିଶ୍ର ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *