ଚର୍ଚ୍ଚାରେ ନବୀନଙ୍କ ଛାୟା କ୍ୟାବିନେଟ୍

କ୍ଷମତାର ହ୍ୟାଙ୍ଗ ଓଭର ଯାଇନି ବୋଧହୁଏ ବିଜେଡିର। ସେଥିଲାଗି ଓଡ଼ିଶା ରାଜନୀତି ଇତିହାସରେ ପ୍ରଥମ କରି ଛାୟା କ୍ୟାବିନେଟ୍ ଗଠନ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ମୋହନ ସରକାରଙ୍କୁ ଜଗିବାକୁ ୫୦ ବିଧାୟକଙ୍କ ଭିତରେ ବାଣ୍ଟିଛନ୍ତି ବିଭାଗ। ଯଦିଓ ନିଜ ପାଖରେ କୌଣସି ବିଭାଗର ତଦାରଖର ଦାୟିତ୍ୱ ରଖିନାହାନ୍ତି। ଯାହାକୁ ନେଇ ରାଜନୀତି ତେଜ୍ ହୋଇଛି।

ବିରୋଧୀ ଦଳରେ ବସିଲେ ବି ସରକାରରେ ରହିବାର ଅନୁଭବ ପାଇବ ବିଜେଡି। କାରଣ କ୍ଷମତାର ହ୍ୟାଙ୍ଗଓଭର ଏତେ ଶୀଘ୍ର ଯିବା ବିଜେଡି ଲାଗି କାଠିକର ହୋଇପଡ଼ିଛି। ଖାସ୍ ସେଥିଲାଗି ତ ଓଡ଼ିଶା ରାଜନୀତି ଇତିହାସରେ ପ୍ରଥମ ଥର ଛାୟା ମନ୍ତ୍ରିମଣ୍ଡଳ ଗଠନ କରିଲେ ନବୀନ। ୪୦ ବିଭାଗକୁ ୫୦ ବିଧାୟକଙ୍କ ଭିତରେ ବାଣ୍ଟିଦେଇଛନ୍ତି ନବୀନ ପଟ୍ଟନାୟକ। ବିରୋଧୀ ଦଳ ପକ୍ଷରୁ ଏଭଳି ବିଭାଗ ବଣ୍ଟନକୁ ନେଇ ସବୁଠି ଚର୍ଚ୍ଚା। ମୁଖ୍ୟମନ୍ତ୍ରୀ ପଦରୁ ଯାଇଥିଲେ ବି ସବୁ ବିଭାଗର ଟିକିନିଖି ଖବର ରଖିବାକୁ ବିଧାୟକଙ୍କ ଭିତରେ ବିଭାଗ ବାଣ୍ଟିଛନ୍ତି ନବୀନ। ବିଭାଗଓ୍ୱାରୀ ତୃଟିବିଚ୍ୟୁତି କାଢ଼ିବେ ଓ ଗଠନମୂଳକ ସମାଲୋଚନା କରିବେ। ନବୀନଙ୍କୁ ଛାଡ଼ି ଦଳର ସମସ୍ତ ୫୦ ବିଧାୟକ ସରକାରଙ୍କ ବିଭିନ୍ନ ବିଭାଗ ଉପରେ ନଜର ରଖିବାକୁ ଦାୟିତ୍ୱ ଦିଆଯାଇଛି। ଦଳ କହିଛି, ବିରୋଧୀ ଦଳ ହେଉଛି ଜନସାଧାରଣଙ୍କ ଜାଗ୍ରତ ପ୍ରହରୀ। ସେଥିଲାଗି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟକଳାପ ଉପରେ ତୀକ୍ଷ୍ନ ନଜର ରଖି ବିଧାନସଭାରେ ସଂପୃକ୍ତ ବିଭାଗ ସମ୍ପର୍କିତ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିବୁ। ଓଡ଼ିଶାବାସୀଙ୍କ ହକ୍ ତଥା ଲୋକଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବାକୁ ବିଧାୟକଙ୍କୁ ଏହି ଦାୟିତ୍ୱ ଦିଆଯାଇଛି।

ସେପଟେ ଏଭଳି ଚିନ୍ତାଧାରାକୁ ଉପହାସ କରିଛି ଶାସକ ବିଜେପି। ଓଡ଼ିଶାବାସୀ କ୍ଷମତାଚ୍ୟୁତ କରିସାରିଥିଲେ ବି କ୍ଷମତାର ହ୍ୟାଙ୍ଗଓଭର ଏ ଯାଏ ଯାଇନି ବିଜେଡିର। ନବୀନଙ୍କ ଦସ୍ତଖତରେ ଦଳର ସବୁ ବିଧାୟକଙ୍କୁ ତ ଦାୟିତ୍ୱ ମିଳିଲା। ତା ହେଲେ ବିଜେଡିର ଏହି ଛାୟା ସରକାରରେ ଛାୟା ମୁଖ୍ୟମନ୍ତ୍ରୀ କିଏ ବୋଲି ପଚାରିଛି ବିଜେପି। ନବୀନ ପଟ୍ଟନାୟକଙ୍କ ପାଖରେ ପୂର୍ବଭଳି ଭି.କେ.ପାଣ୍ଡିଆନ୍ ଏବେ ବି ଛାଇ ହୋଇ ରହିଛନ୍ତି। ବିଜେଡି ବିପର୍ଯ୍ୟୟ ଲାଗି ପାଣ୍ଡିଆନ୍ ମୁଖ୍ୟ କାରଣ ହୋଇଥିଲେ ବି ନବୀନ ତାଙ୍କୁ ଛାଡ଼ି ପାରୁନାହାନ୍ତି। ପରାଜୟର କାରଣ ସେଥିଲାଗି ଖୋଜାପଡ଼ୁନି। ମୋହନ ସରକାର ଲୋକଙ୍କ ସରକାର ବୋଲି ଓଡ଼ିଶାବାସୀ ହୃଦବୋଧ କରିସାରିଛନ୍ତି। ବିଜେଡି ସରକାର ଅମଳରେ ହୋଇଥିବା କେଳେଙ୍କାରୀକୁ ଧରିବାକୁ ମୋହନ ସରକାର ଖୋଳତାଡ଼ ଆରମ୍ଭ କରିଥିବାରୁ ଭାଳେଣି ପଡ଼ିଛି ବିଜେଡିର। କଂଗ୍ରେସ କହିଛି, ମୁଖ୍ୟ ବିରୋଧୀ ଦଳ ଆସନରେ ବସିଥିଲେ ବି ବିରୋଧୀ ଦଳର ଭୂମିକା ତୁଲାଇପାରିବନି ବିଜେଡି। ସଂଖ୍ୟାରେ କମ୍ ଥାଇ ବି କଂଗ୍ରେସ ହିଁ ମୁଖ୍ୟ ବିରୋଧୀ ଦଳର ଦାୟିତ୍ୱ ତୁଲାଇବ। ଭୟ ଓ ଚାପରେ ଭୀତତ୍ରସ୍ତ ବିଜେଡି କ୍ଷମତାରୁ ଗଲା ପରେ ଏବେ ଲୋକଦେଖାଣିଆ ବିରୋଧୀ ଭାବେ ଏଭଳି ଛାୟା କ୍ୟାବିନେଟ୍ କରିଛି। ଏଭଳି ଉଦ୍ୟମ ପାଇଁ ଲୋକହସା ହେବା ସାର ହେବ।

ବିଭିନ୍ନ ବିଭାଗର ତୃଟିବିଚ୍ୟୁତି ଖୋଜିବେ ବିଜେଡିର ୫୦ ବିଧାୟକ। ମୋହନ ସରକାରଙ୍କୁ ହରଡ଼ଘଣାରେ ପକାଇବାକୁ ନବୀନଙ୍କ ଏହି ବ୍ରିଟେନ୍ ମଡେଲ ଆଗକୁ କେତେଦୂର ସଫଳ ହେଉଛି ସମୟ କହିବ।

ପ୍ରଦୀପ ନାୟକଙ୍କ ରିପୋର୍ଟ, ନକ୍ଷତ୍ର ନ୍ୟୁଜ୍..।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *