ରାଜ୍ୟ କଂଗ୍ରେସ ପାଇଁ ଏବେ ଶରତ ଋତୁ

Spread the love

ଶରତ ପଟ୍ଟନାୟକ। ପିସିସିର ନୂଆ ସଭାପତି। ଦୀର୍ଘ ୧୮ ବର୍ଷ ପରେ ପୁଣି ସେହି ଗୁରୁଦାୟିତ୍ୱ ଫେରିଛି ଶରତଙ୍କ ହାତକୁ। ୨୦୦୪ ସାଧାରଣ ନିର୍ବାଚନର ଅବ୍ୟବହିତ ଆଗରୁ ତାଙ୍କୁ ହଟାଇ ଦିଆଯାଇଥିଲା। ତାଙ୍କ ଜାଗାରେ ଜାନକୀ ବଲ୍ଲଭ ପଟ୍ଟନାୟକ ଦାୟିତ୍ୱ ନେଇଥିଲେ। ଏବେ ପୁଣି ମଙ୍ଗ ଧରିଥିବାରୁ ତାଙ୍କ ଆଗରେ ଅନେକ ଆହ୍ୱାନ ଛିଡା ହୋଇଛି।

୨୦୦୦ରୁ ୨୦୦୪। ପିସିସି ସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ ଶରତ ପଟ୍ଟନାୟକ। କିନ୍ତୁ ୨୦୦୪ ସାଧାରଣ ନିର୍ବାଚନର କିଛି ମାସ ଆଗରୁ ତାଙ୍କୁ ହଟାଇ ଦେଇଥିଲେ ହାଇକମାଣ୍ଡ। ତାଙ୍କ ବଦଳରେ ଜାନକୀବଲ୍ଲଭ ପଟ୍ଟନାୟକଙ୍କୁ ପିସିସି ସଭାପତି ଆସନରେ ବସାଇଥିଲେ ହାଇକମାଣ୍ଡ। ଏବେ ଅତୀତ କଡ଼ ଲେଉଟାଇଛି। ପଟ୍ଟନାୟକଙ୍କ ବଦଳରେ ପଟ୍ଟନାୟକ ବସିଲେ। ଜାନକୀଙ୍କ ସମ୍ପର୍କୀୟଙ୍କୁ ହଟାଇ ଶରତ ପଟ୍ଟନାୟକ ପିସିସି ମୁଖିଆ ହେଲେ। ବଲାଙ୍ଗୀର ଲୋକସଭା ଆସନରୁ ୧୯୯୧ ଓ ୧୯୯୬ରେ ଦୁଇ ଦୁଇ ଥର ସାଂସଦ ହୋଇଥିଲେ ଶରତ। ୨୦୧୪ ଲୋକସଭା ନିର୍ବାଚନରେ ସମ୍ୱଲପୁରରୁ ଭାଗ୍ୟ ପରୀକ୍ଷା କରିଥିଲେ ଶରତ। ହେଲେ ହାରିଯାଇଥିଲେ। ଦଳରେ ନେତୃତ୍ୱ ସଙ୍କଟ ହେଉ ଅବା ତୁତୁ ମେମେ ପରିସ୍ଥିତି ବେଳେ ବେଶ୍ ମାପିଚୁପି ମନ୍ତବ୍ୟ ଦେଇ ସର୍ବଦା ନିଜକୁ ବିବାଦରୁ ଦୂରେଇ ରଖିବାରେ ସଫଳ ହୋଇଛନ୍ତି ଶରତ। ବଲାଙ୍ଗୀର ରାଜନୀତି ଦେଖିଲେ, ନରସିଂହ ମିଶ୍ର ଓ ସନ୍ତୋଷ ସିଂ ସାଲୁଜାଙ୍କ ଭିତରେ ତୁତୁ-ମେମେ ପରିସ୍ଥିତିର ଅନେକ ନଜିର ରହିଛି। ପରସ୍ପର ଭିତରେ ତିକ୍ତତା ବି ସେତିକି। ଏହି ଦୁଇ ବିଧାୟକଙ୍କୁ ସାଙ୍ଗରେ ନେଇ କେମିତି ଚାଲିବେ, ତାହା ବି ଶରତଙ୍କ ଲାଗି ବଡ଼ ଆହ୍ୱାନ। ବିଧାୟକଙ୍କ ଭିତରୁ ଜଣକୁ ପିସିସି ସଭାପତି ପାଇଁ ଦାବି ଶାଣିତ କରିଥିଲେ ଅନେକ ବିଧାୟକ। ହେଲେ ଏ କଥା ନ ରହିବାରୁ ସମସ୍ତ ବିଧାୟକଙ୍କୁ ନେଇ କେମିତି ଚାଲିବେ, ତାହା ବି ବଡ଼ ଟାସ୍କ। ଛାମୁଆ ସଂଗଠନକୁ ନେଇ  ବିଜେଡି-ବିଜେପି ବିରୁଦ୍ଧରେ ମିଳିତ ଲଢେଇ ବି ବଡ଼ ଆହ୍ୱାନ। କାରଣ ସଦ୍ୟ ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳର ଶୋଚନୀୟ ପ୍ରଦର୍ଶନ ସାଙ୍ଗକୁ ବିଧାନସଭା ଭିତରେ ଶାସକ ଦଳକୁ ଟାର୍ଗେଟ ବେଳେ ବିଧାୟକଙ୍କ ଭିତରେ ମତଭେଦ ଦଳକୁ ଅଡ଼ୁଆରେ ପକାଇଦେଇଛି। ଏଭଳି ସ୍ଥଳେ ମଙ୍ଗୁଆଳ ଭାବେ ତୃଣମୂଳସ୍ତରରୁ ଲୋକଙ୍କ ଆସ୍ଥା ଫେରିପାଇବା ଲାଗି ଅହରହ କସରତ କରିବାକୁ ହେବ। ତା ସାଙ୍ଗକୁ ବିଜେଡି ଓ ବିଜେପି ପ୍ରତି ସ୍ୱର ଶାଣିତ ସାଙ୍ଗକୁ ଏହା ଯେମିତି ବାସ୍ତବରେ ଗ୍ରହଣୀୟତା ହେବ, ତାକୁ ବି ରୂପରେଖ ଦେବାକୁ ହେବ। କାରଣ ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ସହ ଡିଲ୍ କରି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଗୌଣ କରିଦେଇଥିବାର ଅଭିଯୋଗ ହୋଇଆସିଛି। ପ୍ରସାଦ ହରିଚନ୍ଦନଙ୍କ ଅଭିଯୋଗ ଏହି କଥାକୁ ଅଙ୍ଗୁଳି ଉଠାଇଥିଲା। ସେପଟେ ନରସିଂହ ମିଶ୍ର ବି ନବୀନ ସରକାରଙ୍କ ବିରୁଦ୍ଧରେ ଯେଉଁ ମାତ୍ରାରେ ସ୍ୱର ଶାଣିତ କରିବା କଥା କରୁନାହାନ୍ତି ବୋଲି ଅଭିଯୋଗ ଆସିଥିଲା। ସାଲୁଜା, ସୁର, ଅଧିରାଜଙ୍କ ଭଳି ବିଧାୟକଙ୍କ ବୟାନ ଏ କଥାକୁ ଦର୍ଶାଇଥିଲା। ଏମିତି ତମାମ ବିବାଦରେ ଘାରି ହେଉଥିବା ଦଳର ଅନ୍ତଃକନ୍ଦଳ ଆଉ ଅଦୃଶ୍ୟ ହୋଇ ରହିନି। ଏ ସବୁ କଥାକୁ କିଭଳି ଘୋଡ଼େଇ ଆଗକୁ କର୍ମୀ ଓ ନେତା ମିଳିତ ଭାବେ ଲଢିବେ ଓ ଦଳକୁ ଆଗକୁ ନେବେ, ତାହା ହିଁ ସବୁଠୁ ବଡ଼ ଆହ୍ୱାନ ଭାବେ ଉଭା ହୋଇଛି ଶରତଙ୍କ ଆଗରେ।

Leave a Reply

Your email address will not be published. Required fields are marked *