ଜଣେ ନୁହେଁ ରାଜ୍ୟ ସଭାକୁ ଯାଆନ୍ତୁ ତିନିଜଣ ମହିଳା

Spread the love

       ରାଜ୍ୟସଭା ରେସ୍ ପାଇଁ ଆରମ୍ଭ ହୋଇଛି କାଉଣ୍ଟ ଡାଉନ୍ । ନିର୍ବାଚନ ହେବାକୁ ଥିବା ତିନୋଟି ଯାକ ଆସନ ବିଜେଡି ଖାତାକୁ ଯିବା ଥୟ । ଆସନ୍ତାକାଲିଠୁ ଆରମ୍ଭ ହେବ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ପ୍ରକ୍ରୀୟା । ତେବେ ଦିନକ ପୂର୍ବରୁ ମହିଳାଙ୍କୁ ରାଜ୍ୟସଭାକୁ ଯିବାକୁ ସୁଯୋଗ ଦେବାକୁ ଦାବି କରିଛନ୍ତି ଦଳର ବିରିଷ୍ଠ ନେତ୍ରୀ । ତେବେ ରାଜ୍ୟସଭାକୁ କିଏ ଯିବ ତାକୁ ନେଇ ଦଳ ଭିତରେ ଅଙ୍କକଷା ଜାରି ରହିଥିବା ବେଳେ ଏବେ ମହିଳାଙ୍କୁ ସୁଯୋଗ ଦେବା ଦାବି ସବୁ ଗଣିତକୁ ଅଡୁଆରେ ପକାଇଛି ।

    ରାଜ୍ୟସଭା ରେସ୍। ଏଥର ମହିଳା କାର୍ଡ ଖେଳିବେ କି ନବୀନ? ନା ପୂର୍ବଥର ଭଳି ଚଳିତଥର ମଧ୍ୟ ମାଷ୍ଟର ଷ୍ଟ୍ରୋକ ଦେବେ। ବିଜେଡିରେ ତାକୁ ନେଇ ଲାଗିରହିଛି ସସପେନ୍ସ। ସେପଟେ ଦଳ ଭିତରୁ ଜୋର ଧରିଲାଣି ଦାବି। ବିଜେଡି ରାଜ୍ୟସଭାରେ ମହିଳାଙ୍କୁ ପ୍ରତିନିଧିତ୍ୱ କରିବାକୁ ସୁଯୋଗ ଦେଉ। ରାଜ୍ୟସଭାରେ ଖାଲି ପଡୁଛି ତିନୋଟି ଆସନ। ପ୍ରସନ୍ନ ଆଚାର୍ଯ୍ୟ, ଏନ.ଭାଷ୍କର ରାଓ ଏବଂ ସସ୍ମିତ ପାତ୍ରଙ୍କ ଯାଗାରେ ତିନି ଜଣ ମହିଳାଙ୍କୁ ପଠାଯାଉ। ଖୋଦ ବିଜେଡିର ଉପସଭାନେତ୍ରୀ ଉଷା ଦେବୀ ଏଭଳି ଦାବି କରିଛନ୍ତି। ସବୁ ନିର୍ବାଚନର ମହିଳାଙ୍କୁ ପ୍ରାଥମିକତା ଦେଇ ଆସିଛନ୍ତି ନବୀନ ପଟ୍ଟନାୟକ। ଚଳିତଥର ମହିଳା ରାଜ୍ୟସଭା ପଠାଇବେ ବୋଲି ଅଶା ରଖିଛନ୍ତି ଉଷା। ଜଣେ ନୁହେଁ ରାଜ୍ୟ ସଭାକୁ ତିନିଜଣ ମହିଳା ଯାଆନ୍ତୁ ବୋଲି ଉଷା ଦାବି କରିଛନ୍ତି।

      ସେପଟେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କାହାକୁ ରାଜ୍ୟସଭା ପଠାଇବେ? ହାତୀ କାହା ମୁଣ୍ଡରେ ଢାଳିବ ସୁନା କଳସ? ବିଜେଡିରେ ଆଶାୟୀଙ୍କ ତାଲିକା ଲମ୍ବା। ଏହାକୁ ନେଇ ଦଳରେ ଗୋଟି ଚାଳନା ଆରମ୍ଭ ହୋଇଛି। ତା ସହ ସିଟ୍ ହାତେଇବାକୁ ହେଉଛି ଜୋରଦାର ଲବି। ସଂଖ୍ୟା ଗଣିତ କହୁଛି, ବିଜେଡି ଖାତାକୁ ଯିବ ତିନୋଟି ଯାକ ଆସନ। କହିବାପାଇଁ ଗଲେ ଏହା ଏକ ପ୍ରକାର ଫାଇନାଲ। ତେବେ ପ୍ରସନ୍ନ ଆଚାର୍ଯ୍ୟ, ଏନ.ଭାଷ୍କର ରାଓ ଏବଂ ସସ୍ମିତ ପାତ୍ରଙ୍କ ଯାଗାରେ କିଏ ବାଜି ମାରିବ। ବିଜେଡି ସୁପ୍ରିମୋଙ୍କ ଭରଷା ଜିତି ପାରିବ ତା ଉପରେ ସମସ୍ତଙ୍କ ନଜର। ରେସରେ ପ୍ରଦୀପ ମାଝୀ ଆଗରେ ଅଛନ୍ତି। କଂଗ୍ରେସରୁ ଆସି ବିଜେଡିରେ ମିଶିବା ସମୟରେ ନବୀନ କୁଆଡେ ପ୍ରଦୀପଙ୍କୁ ପ୍ରତିଶୃତି ଦେଇଥିଲେ। ସେପଟେ ପ୍ରଦୀପଙ୍କ କ୍ଷେତ୍ରରେ ନବୀନ ଆଦିବାସୀ କାର୍ଡ ଖେଳିପାରନ୍ତି। ସେହିପରି ପଶ୍ଚିମ ଓଡିଶାର ଜଣେ ମହିଳା ମଧ୍ୟ ଯାଇ ପାରନ୍ତି ରାଜ୍ୟସଭା। ଯେହେତୁ ପ୍ରସନ୍ନ ଆଚାର୍ଯ୍ୟ ପଶ୍ଚିମ ଓଡିଶାକୁ ପ୍ରତିନିଧିତ୍ୱ କରୁଥିଲେ। ତେଣୁ ପଶ୍ଚିମ ଓଡିଶା ସମୀକରଣକୁ ଦେଖିଲେ ହୁଏତ ନବୀନ ସେହି ଅଞ୍ଚଳରୁ ଜଣକୁ ପଠାଇ ପାରନ୍ତି ରାଜ୍ୟ ସଭା। ତେବେ ସସ୍ମିତ ପାତ୍ରଙ୍କୁ ନବୀନ ପୁଣିଥରେ ରିପିଟ କରି ପାରନ୍ତି। ରାଜ୍ୟ ସଭାରେ ତାଙ୍କର ପରଫରମାନ୍ସ। ଦିଲ୍ଲୀ ଦରବାରେ ବିଜେଡି ପ୍ରତିନିଧ୍ବ କରିବାରେ ସସ୍ମିତ କ୍ୟାପେବୁଲ ବୋଲି ଦଳୀୟ ନେତାଙ୍କ ମତ। ଏପରି ସମୟରେ ଆଉ ଜଣଙ୍କ ନାଁ ମଧ୍ୟ ଦଳ ଭିତରେ ଚର୍ଚ୍ଚା ହେଉଛି। ବିଜେଡି ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ମଧ୍ୟ ରେସରେ ଅଛନ୍ତି। ତେବେ ଶେଷ ନିଷ୍ପତ୍ତି ନବୀନ ନେବେ ବୋଲି ଦଳର ମୁଖାପତ୍ର ପ୍ରତାପ ଦେବ କହିଛନ୍ତି।

        ମଙ୍ଗଳବାର ଠାରୁ ରାଜ୍ୟସଭା ନିର୍ବାଚନ ନାମାଙ୍କନ ପ୍ରକ୍ରିୟା ଆରମ୍ଭ। ମେ ୩୧ ତାରିଖ ନମାଙ୍କନ ଦାଖଲର ଶେଷ ତାରିଖ। ତାକୁ ନେଇ ଆରମ୍ଭ ହୋଇଛି ଅଙ୍କ କଷା।

Leave a Reply

Your email address will not be published. Required fields are marked *