ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତର ଦିଅନ୍ତୁ: କଂଗ୍ରେସ

Spread the love

ନୂଆଦିଲ୍ଲୀ : ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ସଂସଦରେ ଉତ୍ତର ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି । ଶନିବାର ଗଣମାଧ୍ୟମକୁ କଂଗ୍ରେସ ମୁଖପାତ୍ର ରଞ୍ଜିତ ରଞ୍ଜନ କହିଛନ୍ତି ଯେ, ମଣିପୁରରେ ଯାହା ଘଟିଛି ତାହା ଅତ୍ୟନ୍ତ ଗୁରୁତର । ଦେଶର ପ୍ରଧାନମନ୍ତ୍ରୀ ନିଜେ ଏହି ପ୍ରସଙ୍ଗରେ ଉତ୍ତର ଦେବା ଉଚିତ୍ ।

ରଞ୍ଜିତ କହିଛନ୍ତି ଯେ, ମଣିପୁର ମୁଖ୍ୟମନ୍ତ୍ରୀ କହୁଛନ୍ତି ଯେ, ଭାଇରାଲ୍ ଭିଡିଓରେ ମହିଳାମାଙ୍କ ଉପରେ ଯେପରି ଦୁର୍ବବ୍ୟବହାର ହେଉଛି, ସେହିଭଳି ରାଜ୍ୟରେ ଶହ ଶହ ଘଟଣା ଘଟିଛି ଏବଂ ଅନେକ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି । ପ୍ରଧାନମନ୍ତ୍ରୀ ଏ ବିଷୟରେ ଅବଗତ ହେବେ ନାହିଁ କି ? ସେ କହିଛନ୍ତି ଯେ, ଯେଉଁଠାରେ ହିଂସା ଘଟୁଛି, ଏହା ଏକ ଅନ୍ତର୍ଜାତୀୟ ସୀମା ଅଞ୍ଚଳ, ତେଣୁ ସରକାର ଗୃହରେ ଉତ୍ତର ଦେବା ଉଚିତ ନୁହେଁ କି ? ରଞ୍ଜିତ କହିଛନ୍ତି ଯେ କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳ ଚାହୁଁଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ସଂସଦକୁ ଆସନ୍ତୁ ଏବଂ ମଣିପୁର ହିଂସା ବିଷୟରେ ଆଲୋଚନା କରନ୍ତୁ ବେଲି କଂଗ୍ରେସ ଦାବି କରିଛି।

ସୂଚନାଯୋଗ୍ୟ ଯେ, ମଣିପୁରରେ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ପରେଡ୍ କରାଯାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିରୋଧୀ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାକୁ ନିନ୍ଦା କରିଛନ୍ତି । ଏଭଳି ପ୍ରସଙ୍ଗରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ରାଜ୍ୟ ସରକାରଙ୍କୁ କହିଛନ୍ତି । ମଣିପୁରରେ ମେଟେଇ ସମ୍ପ୍ରଦାୟକୁ ଏସଟି ବର୍ଗରେ ଅନ୍ତର୍ଭୁକ୍ତ କରିବାର ଦାବିକୁ ବିରୋଧ କରି ମେ 3 ରେ ଏକ ରାଲିର ଆୟୋଜନ କରାଯାଇଥିଲା। ସମସ୍ତ ଆଦିବାସୀ ଛାତ୍ର ସଂଘ ମଣିପୁର ଦ୍ୱାରା ଏହି ରାଲିର ଆୟୋଜନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହି ରାଲି ହିଂସାର ରୂପ ନେଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ହିଂସାରେ ୧୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *