ପୁ଼୍ଣି ମୁଖ୍ୟମନ୍ତ୍ରୀ ହେବେ ନବୀନ। କଂଗ୍ରେସ, ସ୍ୱାଧୀନଙ୍କୁ ସାଙ୍ଗରେ ନେଇ ବିଜେପିର ୧୦ ବିଧାୟକଙ୍କୁ ଯୋଗାଡ଼ରେ ବିଜେଡି ପୁଣି ସରକାରକୁ ଫେରିବାକୁ ଯାଉଛି। ମହାକାଳପଡ଼ା ବିଜେଡି ପଦଯାତ୍ରାରେ ଅତନୁଙ୍କ ଏହି ଆକଳନକୁ ନେଇ ରାଜନୀତି ତେଜିଛି। ବିଜେପି କହିଛି, ଅସ୍ଥିର ବିଜେଡି କ୍ଷମତାକୁ ଫେରିବ କଅଣ। ପାଲଟା ବିଜେପି ଲିଙ୍କରେ ବିଜେଡିର ୨୭ ବିଧାୟକ ଥିବାରୁ କୌଣସି ମୂହୂର୍ତ୍ତରେ ଭାଙ୍ଗିଯିବ ବିଜେଡି। କଂଗ୍ରେସ କହିଲାଣି, ହାଇକମାଣ୍ଡ ଯାହା କହିବେ ମାନିବୁ।
ପୁଣି ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ନବୀନ! ସଂଖ୍ୟା ଗଣିତ ଓ ସମର୍ଥନ ବଳରେ ଏଭଳି ଦମ୍ଭୋକ୍ତି ଦେଖାଇଛନ୍ତି ମହାକାଳପଡ଼ା ମାଟିରୁ ଅତନୁ ସବ୍ୟସାଚୀ ନାୟକ। କଂଗ୍ରେସର ୧୪, ୩ ସ୍ୱାଧୀନଙ୍କ ସମର୍ଥନ ତ ରହିବ। ତା ସହ ଅବଶିଷ୍ଟ ୧୦ ବିଧାୟକ ଯୋଗାଡ଼ କରିବୁ। ବିଜେଡିର ୫୧ ବିଧାୟକଙ୍କ ସହ ଏହି ସଂଖ୍ୟା ମିଶିଗଲେ ସଂଖ୍ୟାଗରିଷ୍ଠ ସରକାର ଭାବେ ଉଭା ହେବ ନୂଆ ସରକାର। ମୋହନ ସରକାର କ୍ଷମତାରୁ ଯିବେ। ଆଉ ଶାସନର ମଙ୍ଗ ପୁଣି ଧରିବେ ନବୀନ। ସପ୍ତାହକ ତଳେ ଅନୁରୂପ କଥା କହିଥିଲେ ବିଜେଡି ସାଂସଦ ମୁନା ଖାଁ। ବିଜେପିର ୧୪ ବିଧାୟକ ବିଜେଡି ଲିଂକରେ ଥିବାରୁ କୌଣସି ମୂହୂର୍ତ୍ତରେ ବିଜେପି ସରକାର ଭାଙ୍ଗିବାକୁ ଯାଉଛି କହି ମୁନା ଖାଁ ମନ୍ତବ୍ୟ ଦେଇଥିଲେ।
ସେପଟେ କ୍ଷମତାରୁ ଯିବା ପରେ ଅସ୍ଥିର ବିଜେଡି ବାଉଳା ହୋଇଗଲାଣି କହି କଟାକ୍ଷ କରିଛି ବିଜେପି। ଶାସନକୁ ଫେରିବ କଅଣ, ପାଲଟା ବିଜେଡି ଭାଙ୍ଗିବାକୁ ବସିଲାଣି। ବିଜେଡିର ୨୭ ବିଧାୟକ ବିଜେପି ଲିଂକରେ ଅଛନ୍ତି। ୩ ଦିନ ତଳେ ୨୭ ବିଜେଡି ବିଧାୟକ ଏକାଠି ହୋଇ ବିଜେପିକୁ ଚାଲିଯିବାକୁ ଶୀର୍ଷ ନେତୃତ୍ୱଙ୍କ ସହ ଯୋଗାଯୋଗରେ ଅଛନ୍ତି। ଅତନୁଙ୍କୁ ଗଣିତ ଜଣାନାହିଁ। ବିଜେଡି କର୍ମୀଙ୍କୁ ଏକାଠି ରଖିବାକୁ ଏଭଳି ବୟାନବାଜି ଦେଉଛନ୍ତି। ୨୦୨୯ ବେଳକୁ ଫାଳ ଫାଳ ହୋଇସାରିଥିବ କଂଗ୍ରେସ। କଂଗ୍ରେସ କହିଛି, ରାଜ୍ୟରେ ଚାଲିଛ ଅସ୍ଥିର ସରକାର। କେତେବେଳେ ବି କିଛି ହୋଇପାରେ। ବିଜେଡି ବଡ଼ ରଣନୀତିରେ ମାତିଛି। କଂଗ୍ରେସର ୧୪ ବିଧାୟକଙ୍କ ନିଷ୍ପତ୍ତି ହାଇକମାଣ୍ଡଙ୍କ ଉପରେ ନିର୍ଭର କରେ।
କିଏ କାହା ଲିଂକରେ। ସରକାର ଅସ୍ଥିର ନା କ୍ଷମତାକୁ ଫେରିବାକୁ ବିଜେଡି ବ୍ୟାକୁଳ। ବିନା ମଙ୍ଗୁଆଳରେ ଚାଲିଥିବା କଂଗ୍ରେସର ହାତ ଧରି ସତରେ କଅଣ ବିଜେଡି କ୍ଷମତାକୁ ଫେରିବାକୁ ଚାହୁଁଛି କି। ସମଦୂରତ୍ୱର କଥା କହିଆସୁଥିବା ନବୀନ ସତରେ କଅଣ କ୍ଷମତା ଲାଗି ନିଜର ଏହି ନୀତିକୁ ଚୁଲିକୁ ଠେଲିଦେବେ କି। ମୋହନ ସରକାରଙ୍କ ପ୍ରତି ବିପଦ ଅଛି କି। ଏ ତମାମ ଚର୍ଚ୍ଚା ଏହି ଆଲୋଚନାକୁ ତାଳ ଦେଇ ବଢ଼ିଚାଲିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now