ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ସୁଭଦ୍ରା ଯୋଜନାର କରିବେ ଶୁଭାରମ୍ଭ

ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ଗସ୍ତ କାଳରେ ରାଜ୍ୟବାସୀଙ୍କର ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ ସହିତ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ କରିବେ। ପୂର୍ବାହ୍ନ ୧୦ଟା ୫୦ରେ ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଲା ପରେ ସେଠାରୁ ସିଧାସଳଖ ଗାଡ଼କଣ ବସ୍ତିରେ ପହଞ୍ଚିବେ। ପୂର୍ବାହ୍ନ ୧୧ଟା ୧୫ରୁ ୧୧ଟା ୪୫ ଯାଏ ସେଠାରେ ସେ ଆବାସ ହିତାଧିକାରୀଙ୍କ ସହ କଥା ହେବେ। ୧୧ଟା ୪୫ରେ ଗାଡ଼କଣ ଛାଡ଼ିବେ ଓ ୧୧ଟା ୫୫ରେ ଜନତା ମଇଦାନ ପହଞ୍ଚିବେ। ଜନତା ମଇଦାନରେ ଦିନ ୧ଟା ପର୍ଯ୍ୟନ୍ତ ରହିବେ ପ୍ରଧାନମନ୍ତ୍ରୀ। ସୁଭଦ୍ରା ସହିତ ଅନ୍ୟାନ୍ୟ ବିଭିନ୍ନ ଜନକଲ୍ୟାଣ ଯୋଜନାର ଶୁଭାରମ୍ବ ଓ ଲୋକାର୍ପଣ କରିବେ। ସୁଭଦ୍ରା ଯୋଜନାର ଶୁଭାରମ୍ଭ ପୂର୍ବରୁ ଜନତା ମଇଦାନରେ ସବୁ ପ୍ରକାରର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଛି। ଆକର୍ଷଣୀୟ ଷ୍ଟେଜ୍‌ ସାଙ୍ଗକୁ ୪ଟି ଶେଡ୍‌ ନିର୍ମାଣ କରାଯାଇଛି। ଏଥିରେ ସୁଭଦ୍ରା ହିତାଧିକାରୀ, ଭିଆଇପି, ଭିଭିଆଇପିଙ୍କ ସମେତ ନେତା, ମନ୍ତ୍ରୀ, ଗଣମାଧ୍ୟମ ପ୍ରତିନିଧି ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ବସିବାର ବ୍ୟବସ୍ଥା ହୋଇଛି। ଏହି ଯୋଜନାର ଲକ୍ଷାଧିକ ହିତାଧିକାରୀ ପ୍ରଥମ କିସ୍ତି ପାଇବାକୁ ଅପେକ୍ଷାରେ ଅଛନ୍ତି। ରାଜ୍ୟ ସରକାର ମଧ୍ୟ ପରୀକ୍ଷାମୂଳକ ଭାବେ ହିତାଧିକାରୀଙ୍କ ଆକାଉଣ୍ଟକୁ ଏକ ଟଙ୍କା ଲେଖାଏଁ ପଠାଇଛନ୍ତି। ଆଜି ପ୍ରଥମ କିସ୍ତିର ବାକି ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ। ଏଥି ସହିତ ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ନାମ ପଂଜୀକରଣ କରିସାରିଥିବା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଯିବ ବୋଲି ରାଜ୍ୟ ସରକାର ପୂର୍ବରୁ ଘୋଷଣା କରିସାରିଛନ୍ତି। ରାଜ୍ୟ ସରକାର କହିଛନ୍ତି ହିତାଧିକାରୀମାନେ ବ୍ୟସ୍ତ ହେବାର ଦରକାର ନାହିଁ। ଶେଷ ହିତାଧିକାରୀଙ୍କ ପର୍ଯ୍ୟନ୍ତ ଯୋଜନା ପହଞ୍ଚିବ। ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କ ଆବେଦନ ଓ ପଞ୍ଜିକରଣ ପ୍ରକ୍ରିୟା ଆସନ୍ତାବର୍ଷ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ପର୍ଯ୍ୟାୟକ୍ରମେ ପ୍ରଥମ କିସ୍ତିର ଟଙ୍କା ଦିଆଯିବ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି। 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *