ଓଡ଼ିଶାରେ ପୁଣି ଚିଟଫଣ୍ଡ ଭଳି ରାହାଜାନି ଚଳାଇଛନ୍ତି ଘରୋଇ ଫାଇନାନ୍ସ କମ୍ପାନୀ : ବିଜେପି

Spread the love

ଭୁବନେଶ୍ୱର : ଓଡ଼ିଶାରେ ଚିଟଫଣ୍ଡ ସଂସ୍ଥା ନୂଆ ରୂପରେଖରେ ଲୋକଙ୍କ ପାଖକୁ ଫେରିଛି । ଲୋକେ ଝାଳବୁହା ଧନ ଓ ଜୀବନର ପୁଞ୍ଜିକୁ ଘରୋଇ କମ୍ପାନୀମାନଙ୍କଠାରେ ରଖିଥିଲେ । ସେହି ଟଙ୍କାକୁ ଚିଟଫଣ୍ଡ କମ୍ପାନୀମାନେ ଲୁଟ୍ କଲାବେଳେ ରାଜ୍ୟ ସରକାର ଓ ଶାସକ ଦଳର ବିଚିତ୍ର ଭୂମିକା ଥିଲା । ରାଜ୍ୟ ସରକାର ଚିଟଫଣ୍ଡ କମ୍ପାନୀର ବ୍ରାଣ୍ଡ ଆମ୍ବାସିଡର ହୋଇ ଲୋକଙ୍କୁ ଭୂଆଁ ବୁଲାଇଲେ । ପରବର୍ତୀ କାଳରେ ଚିଟଫଣ୍ଡ କମ୍ପାନୀ ନାଁରେ ଆନ୍ଦୋଳନ, କେସ ହେଲା ଓ କମିସନ ବସିଲା । ସରକାର ୩ଶହ କୋଟି ଟଙ୍କାର କର୍ପସ ଫଣ୍ଡ କଲେ ଜମାକାରୀମାନଙ୍କୁ ତାଙ୍କ ଅର୍ଥ ଫେରାଇବା ପାଇଁ । ସବୁନାଟକ ପରେ ବି ଜମାକାରୀ ଟଙ୍କାଟିଏ ପାଇଲେ ନାହିଁ କି ରାଜ୍ୟ ସରକାର ଶିକ୍ଷାଲାଭ କଲେ ନାହିଁ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଡ.ଲେଖାଶ୍ରୀ କହିଛନ୍ତି ଯେ, ଭୁବନେଶ୍ୱରରେ ଡେଙ୍ଗୁ ଯେମିତି ବ୍ୟାପିଛି ବେସରକାରୀ ଅନିୟନ୍ତ୍ରିତ ଫାଇନାନ୍ସ କମ୍ପାନୀମାନେ ଠିକ୍ ସେମିତି ଓଡ଼ିଶାସାରା ମାତିଛନ୍ତି । ଆଜିବି ଓଡ଼ିଶାରେ ମହାଜନୀ କାରବାର ଚାଲିଛି ଯାହାକୁ ରାଜ୍ୟ ସରକାର ପ୍ରୋତ୍ସାହନ ଦେଉଛନ୍ତି । ଘରୋଇ ଫାଇନାନ୍ସ କମ୍ପାନୀମାନେ ଗାଁରେ ମହିଳାଙ୍କୁ ଏକାଠ କରି ବୈଠକ କରିବା ସହ ଜବରଦସ୍ତ ଋଣ ଦେଉଛନ୍ତି । ଏହି ମହିଳାମାନେ ଋଣ ପରିଷୋଧ ନକରିପାରିବା ପରେ ସେମାନେ ତାଙ୍କୁ ମାନସିକ ନିର୍ଯ୍ୟାତନା, ଅପମାନ ଦେବା ସହ ଆତ୍ମହତ୍ୟାକରିବାକୁ ବାଧ୍ୟ କରୁଛନ୍ତି । ଏହି ଘରୋଇ ଫାଇନାନ୍ସ କମ୍ପାନୀଙ୍କ ପାଇଁ ଜୁଲାଇ ୧ରେ ବଲାଙ୍ଗିର ଜିଲ୍ଲାର ଓଡ଼ିଆପଲ୍ଲୀ ଗାଁରେ ଡ୍ରାଇଭର ତାରାକାନ୍ତ ସାହୁ ଋଣଭାର ସହିନପାରି ଟ୍ରେନ ସାମ୍ନାକୁ ଡେଇଁ ଜୀବନ ହାରିଥିଲେ । ସେହିପରି ଜୁଲାଇ ୨ରେ ପୁରୀ ଜିଲ୍ଲା କଣାସ ବ୍ଳକ ଅଁଳାଯୋଡି ଗାଁର ବାନାମ୍ବର ବେହେରା ଓ ବନିତା ବେହେରା ଋଣ କରିଥିଲେ ଓ ଏସକେଏସ କମ୍ପାନୀର କର୍ମଚାରୀ ବର୍ଷାରାଣୀ ସାହୁ ତାଙ୍କୁ ଗାଳି ଗୁଲଜ କରି ଅପମାନିତ କରିବାରୁ ସେମାନେ ଆତ୍ମହତ୍ୟା କଲେ । ଜୁଲାଇ ୪ତାରିଖ ଦିନ ଭଦ୍ରକ ଜିଲ୍ଲାର ତିହିଡି ଥାନା କାମପଡା ପଞ୍ଚାୟତ ବରଣାକୂଳ ଗାଁର ଉପେନ୍ଦ୍ର ମଲ୍ଲିକ(୫୦) ଓ ପତ୍ନୀ ମିନତୀ ଦେବୀ(୪୫) ଋଣଭାର ସହି ନପାରି ଆତ୍ମହତ୍ୟା କରିଛନ୍ତି । ଜୁଲାଇ ୪ରେ ଦଶପଲ୍ଲା ବ୍ଲକ ଚଢ଼େଇଆପଲ୍ଲୀ ଗ୍ରାମ ପଞ୍ଚାୟତରେ ଦମ୍ପତି ଆତ୍ମହତ୍ୟା କରିଛନ୍ତି । ଚାନ୍ଦବାଲିଠାରେ ବନ୍ଧନ ବ୍ୟାଙ୍କ ଏସ୍ଏଚଜି ମାଧ୍ୟମରେ ମହିଳାଙ୍କୁ ଋଣ ଦେଇଥିଲା । ଋଣ ସୁଝି ନପାରିବାରୁ ତାଙ୍କ ସ୍ୱାମୀଙ୍କୁ ବନ୍ଧା ଯାଇଥିଲା ।

ଘରୋଇ ଫାଇନାନ୍ସ କମ୍ପାନୀମାନଙ୍କ ପାଇଁ ଓଡ଼ିଶାରେ ଚଳିତ ସପ୍ତାହରେ ୫ଜଣଙ୍କ ମୃତ୍ୟୁ ହେବା ସହ ଲକ୍ଷାଧିକ ଠକେଇ ହେଉଛି । ମୃତକଙ୍କ ପରିବାକୁ ୨୦ଲକ୍ଷ ଟଙ୍କା ସହାୟତା ପ୍ରଦାନ କରନ୍ତୁ ରାଜ୍ୟ ସରକାର । ୨୩ବର୍ଷ ବିଜେଡି ଶାସନ କରିବା ପରେ ଓଡ଼ିଶା ଲୋକଙ୍କୁ ରାଜ୍ୟ ସରକାର ବୁଡାଇ ଦେଇଛନ୍ତି । ଘରୋଇ ଫାଇନାନ୍ସ ସଂସ୍ଥାମାନେ ମହିଳା ଏସଏଚଜିଙ୍କୁ ଋଣ ଦେବାରେ କାହାର ଭୂମିକା ରହିଛି । ବିଜୁ ଜନତା ଦଳର ନେତା, ମନ୍ତ୍ରୀମାନେ ଘରୋଇ କମ୍ପାନୀମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି । ଏସଏଚଜି ମହିଳାଙ୍କ ବୈଠକ କରି ଟଙ୍କା ଋଣ ନେବାକୁ ବାଧ୍ୟ କରୁଛନ୍ତି । ଟଙ୍କା ନସୁଝି ପାରିବା ପରେ ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରୁଛନ୍ତି । ଏଭଳି ମାରାତ୍ମକ ଫାଇନାନ୍ସ କମ୍ପାନୀମାନଙ୍କୁ ଓଡ଼ିଶାରେ ପ୍ରଶ୍ରୟ କିଏ ଦେଲା? ଓଡ଼ିଶାରେ କେତେ ଘରୋଇ ଫାଇନାନ୍ସ କମ୍ପାନୀ ଅଛି ତାହାର ହିସାବ ଅଛି କି? ଘରୋଇ ଫାଇନାନ୍ସ କମ୍ପାନୀକୁ କିଏ ନିୟନ୍ତ୍ରଣ କରୁଛି । ଘରୋଇ ଫାଇନାନ୍ସ କମ୍ପାନୀ ୩୦ପ୍ରତିଶତରୁ ଅଧିକ ସୁଧ ନେଉଛନ୍ତି ତାହା ରାଜ୍ୟ ସରକାରଙ୍କ ଗାଇଡରେ ଅଛି ତ? ରାଜ୍ୟ ସରକାର ଲାଇସେନ୍ସ ଦେବାର ମେକାନିଜିମ୍ ଅଛି କି? ଏମାନେ କାହାକୁ ଋଣ ଦେବେ ସେମାନେ ଋଣ ସୁଝି ପାରିବେ କି ନାହିଁ । ଏସଏଚଜି, ଘରୋଇ ଫାଇନାନ୍ସ କମ୍ପାନୀ ଓ ରାଜ୍ୟ ସରକାରଙ୍କ ଭିତରେ କଣ ମଧୁ ଚନ୍ଦ୍ରିକା ଅଛି ତାହା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ଡ.ଲେଖାଶ୍ରୀ କହିଛନ୍ତି ।

ବିଜେଡିର ନେତା ଓ ପୋଲିସ ଅଧିକାରୀ ମୃତ ବନିତାଙ୍କ ଘରେ ପଂହଚିଥିଲେ ଓ ପରିବାର ଲୋକଙ୍କୁ କହିଲେ ଯେ, ଘରୋଇ କମ୍ପାନୀ ନାଁରେ ଏଫଆଇଆର ଦିଅ ନାହିଁ । ଏମାନେ କାହିଁ କମ୍ପାନୀର ମୁଖପାତ୍ର ହୋଇଛନ୍ତି ତାହା ରାଜ୍ୟ ସରକାର ଉତର ଦିଅନ୍ତୁ । ଗାଇଡ ଲାଇନ ପ୍ରସ୍ତୁତ କରନ୍ତୁ ରାଜ୍ୟ ସରକାର । ବିଜେପି ଆହ୍ୱାନ ଦେଉଛି ଋଣକାରୀମାନେ ମାଇକ୍ରୋ ଫାଇନାନ୍ସର ଇନଷ୍ଟଲ ଭରିବେ ନାହିଁ । ଗରୀବ ଲୋକଙ୍କୁ ଶୋଷଣ କରିବାରେ ନୂଆ ମାଧ୍ୟମ ପାଇଛନ୍ତି ରାଜ୍ୟ ସରକାର । ଓଡ଼ିଶାର ବାସ୍ତବିକ ବିକାଶର ସ୍ଥିତିକୁ ବିଜେଡିର ନେତା,ମନ୍ତ୍ରୀମାନେ ଦେଖନ୍ତୁ ବୋଲି ଡ. ଲେଖାଶ୍ରୀ କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ରମାରଞ୍ଜନ ବଳିୟାରସିଂହ, ରାଜ୍ୟ ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ କାର୍ଯ୍ୟକାରିଣୀ ଓମ୍ ପ୍ରକାଶ ମିଶ୍ର, ଲିଗାଲ୍ ସେଲ ରାଜ୍ୟ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *