ଚର୍ଚ୍ଚାରେ ପୁଣି ରଘୁବର ଦାସ

୧୪ ମାସ ପରେ ବିଜେପିକୁ ଫେରିଲେ ରଘୁବର ଦାସ। ସକ୍ରିୟ ରାଜନୀତିକୁ ଫେରିଛନ୍ତି ରଘୁବର ଦାସ। ହଜାର ହଜାର ସମର୍ଥକଙ୍କ ଗହଣରେ ଶୁକ୍ରବାର ରାଞ୍ଚିରେ ପୁଣି ଥରେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି। ଓଡ଼ିଶା ରାଜ୍ୟପାଳ ପଦରୁ ହଟିବା ପରେ ଝାଡ଼ଖଣ୍ଡ ରାଜନୀତିରେ ପୁଣି ଏଣ୍ଟ୍ରି ମାରିଛନ୍ତି ରଘୁବର। ରାଜ୍ୟପାଳ ହେବା ଯେତିକି ଗାରିମାର କଥା। ବିଜେପି ଦଳର ସଂଗଠନର ଦାସ ହେବା ବି ଗର୍ବର କଥା। ସେ ସେବକ ସାଜି ଦଳକୁ ଫେରିଛନ୍ତି। ଶେଷନିଃଶ୍ୱାସ ଯାଏ ଦଳର ସେବା କରିବେ। ଖୁବ୍ ଶୀଘ୍ର ଝାଡ଼ଖଣ୍ଡରେ ବିଜେପି କ୍ଷମତାକୁ ଫେରିବ ବୋଲି କହିଛନ୍ତି ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର। କେବଳ ଏତିକି ନୁହେଁ। ଲାଟସାହେବ ନୁହେଁ, ସେବକ ସାଜି ଓଡ଼ିଶାର ୩୦ ଜିଲ୍ଲା ବୁଲିଥିଲେ ବୋଲି କହିଛନ୍ତି ରଘୁବର।

ସେପଟେ ରଘୁବରଙ୍କ ପୁଣି ଥରେ ବିଜେପିକୁ ପ୍ରତ୍ୟାବର୍ତ୍ତନ ଓ ଓଡ଼ିଶା ବୁଲିବା ଖବର ଓଡ଼ିଶା ରାଜନୀତିରେ ଚର୍ଚ୍ଚାର ବିଷୟ ସାଜିଛି। ବିଜେଡି କହିଛି, ରଘୁବରଙ୍କ ଏଭଳି ମନ୍ତବ୍ୟ ଦୁର୍ଭାଗ୍ୟଜନକ। ସେ ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇବାକୁ ନୁହେଁ, ବରଂ ବିଜେପିର ଏଜେଣ୍ଟ ହୋଇ ଓଡ଼ିଶାକୁ ଆସିଥିଲେ। ନବୀନଙ୍କୁ ହରାଇବାକୁ ହୋଇଥିବା କୂଟକପଟରେ ତାଙ୍କର ସଂପୃକ୍ତି ଥିବା ରଘୁବରଙ୍କ ମନ୍ତବ୍ୟରୁ ସ୍ପଷ୍ଟ ହୋଇଛି। ନବୀନଙ୍କ ଲୋକାଭିମୁଖୀ କାମକୁ କିଭଳି ବନ୍ଦ ହେବ। ଆଉ ସମସ୍ତ ଶ୍ରେୟ କେନ୍ଦ୍ର ସରକାରଙ୍କୁ ଯିବ, ସେ ନେଇ ବିଧିବଦ୍ଧ ଭାବେ କାମ କରୁଥିଲେ। ଶାସକ ଦଳ କହିଛି, କ୍ଷମତାରୁ ଗଲା ପରେ ବାଉଳା ହୋଇଗଲାଣି ବିଜେଡି। ନବୀନଙ୍କ ଅପେକ୍ଷା ଲୋକଙ୍କ ଭଲମନ୍ଦ ବୁଝିବାକୁ ରଘୁବର ଅଧିକ ବୁଲିବାରୁ ବିଚଳିତ ହୋଇଯାଇଥିଲା ବିଜେଡି। ରାଜ୍ୟପାଳ ହେଲେ ବି ଲୋକଙ୍କ କଥା ଶୁଣୁଥିଲେ ରଘୁବର। ସାମ୍ୱିଧାନିକ ପଦମର୍ଯ୍ୟାଦାକୁ କଦାପି ଉଲ୍ଲଂଘନ କରିନାହାନ୍ତି। ଅନ ଦି ସ୍ପଟ୍ ସମାଧାନ କରୁଥିଲେ। ସରକାରଙ୍କୁ ସକରାତ୍ମକ ପରାମର୍ଶ ଦେଉଥିଲେ। ମୁଖ୍ୟମନ୍ତ୍ରୀ ଭାବେ ନବୀନ ନିଜ ଦାୟିତ୍ୱ ତୁଲାଇପାରିଲେନି। ସେଥିଲାଗି ଏବେ ବିଳିବିଳାଉଛନ୍ତି।

ରଘୁବର ଦାସ ରାଜ୍ୟପାଳ ଭାବେ ନିଜର ସ୍ୱଳ୍ପ ସମୟ ଓଡ଼ିଶାରେ କାଟିଥିଲେ ସୁଦ୍ଧା ବେଶ୍ ଲୋକପ୍ରିୟ ଥିଲେ। କିନ୍ତୁ ତାଙ୍କ ପୁଅ ଏଏସଓଙ୍କୁ ମାଡ଼ ମରା ଘଟଣା, ରାଜଭବନକୁ ଝାଡ଼ଖଣ୍ଡ ନିର୍ବାଚନ ଲାଗି ଓ୍ୱାରରୁମ୍ କରିବା ଭଳି ଆରୋପରେ ବି ଛନ୍ଦି ହୋଇଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *