ନେହେରୁଙ୍କ ଚିଠିକୁ ନେଇ ଘମାସାନ ରାଜନୀତି

ପୂର୍ବତନ ପ୍ରଧାନମନ୍ତ୍ରୀ ନେହେରୁଙ୍କ ବ୍ୟକ୍ତିଗତ ଚିଠି, ଯାହା ସୋନିଆଙ୍କ ପାଖରେ ଅଛି, ତାକୁ ଫେରାଅ। ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଓ ଲାଇବ୍ରେରୀ ଏ ସନ୍ଦର୍ଭରେ ରାହୁଲଙ୍କୁ ଚିଠି ଲେଖିଛି। ଏହି ପତ୍ର ୨୦୦୮ରେ ଉପା ସରକାର ଅମଳରେ ସୋନିଆ ମାଗିଥିଲେ। ପିଏମ ସଂଗ୍ରହାଳୟର ସଦସ୍ୟ ରିଜଓ୍ୱାନ୍ କାଦରିଙ୍କ ପକ୍ଷରୁ ଡିସେମ୍ୱର ୧୦ରେ ଏହି ଚିଠି ଲେଖାକୁ କେନ୍ଦ୍ର କରି ଘମାସାନ ହେଲାଣି ରାଜନୀତି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ କାଦରି ଅପିଲ କରିଛନ୍ତି ଯେ, ସୋନିଆଙ୍କୁ ଦିଆଯାଇଥିବା ନେହେରୁଙ୍କ ଚିଠି, ଫଟୋ ଓ ଡିଜିଟାଲ କପିକୁ ଫେରାନ୍ତୁ। ଏହା ପୂର୍ବରୁ ସେପ୍ଟେମ୍ୱର ମାସରେ ଅନୁରୂପ ଅନୁରୋଧ କରି ସୋନିଆଙ୍କୁ ବି ପିଏମ୍ ସଂଗ୍ରହାଳୟ ଚିଠି ଲେଖିଥିଲା। ନେହେରୁଙ୍କ ସହ ସଂପୃକ୍ତ ଦସ୍ତାବିଜର ୫୧ ଡବା ଫେରାଇବା ଦିଗରେ ସହଯୋଗ କରନ୍ତୁ। ଏହି ୫୧ଟି ଡବାରେ ଏଡଓ୍ୱିନା ମାଉଣ୍ଟବେଟନ, ଅଲବର୍ଟ ଆଇନଷ୍ଟାଇନ୍, ଜୟପ୍ରକାଶ ନାରାୟଣ, ଅରୁଣା ଆସଫ ଅଲ୍ଲୀ, ପଦ୍ମଜା ନାଇଡୁ, ବିଜୟଲକ୍ଷ୍ମୀ ପଣ୍ଡିତ, ବାବୁ ଜଗଜୀବନ ରାମ ଓ ଗୋବିନ୍ଦ ବଲ୍ଲଭ ପନ୍ଥଙ୍କୁ ନେହେରୁ ଲେଖିଥିବା ଚିଠି ଥିଲା। ଏ ସବୁ ଦସ୍ତାବିଜ୍ ଐତିହାସିକ ଦୃଷ୍ଟିକୋଣରୁ ବେଶ୍ ମହତ୍ତ୍ୱପୂର୍ଣ୍ଣ ଅଟେ। ଏ ସବୁ ଚିଠି ଜବାହାରଲାଲ ନେହେରୁ ମେମୋରିଆଲ ୧୯୭୧ରେ ନେହେରୁ ମେମୋରିଆଲ ମ୍ୟୁଜିୟମ ଓ ଲାଇବ୍ରେରୀ ତଥା ପିଏମଏମଏଲକୁ ଦେଇଥିଲା। କାଦିର ଅପିଲ କରିଛନ୍ତି ଯେ, ସୋନିଆଙ୍କଠୁ ମାଗି ଏହାର ଅରିଜିନାଲ ଦସ୍ତାବିଜ୍ ନଚେତ ଏହାର ଫଟୋକପି ଅଥବା ଡିଜିଟାଲ କପି ଦେବାର ବ୍ୟବସ୍ଥା କରନ୍ତୁ। ଏହି ଦସ୍ତାବିଜ୍ ନେହେରୁ ପରିବାର ପାଇଁ ବ୍ୟକ୍ତିଗତ ମହତ୍ତ୍ୱ ରଖେ। ବିଜେପି କହିଛି, ସଂସଦରେ ସମ୍ୱିଧାନ ବିତର୍କ ବେଳେ ନେହେରୁ ବାସ୍ତବରେ ଏ ସବୁ ବ୍ୟକ୍ତିତ୍ୱଙ୍କୁ ଲେଖିଥିବା ଚିଠି ପଦାକୁ ଆସିଲେ, ଗଣତନ୍ତ୍ର ଓ ସମ୍ୱିଧାନର ସଂରକ୍ଷକ ବାସ୍ତବରେ କିଏ ଥିଲେ, ସ୍ପଷ୍ଟତା ଆଗକୁ ଆସନ୍ତା। କଂଗ୍ରେସ କହିଛି, ଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କୁ ବଦନାମ କରିବାକୁ ମୋଦି ବ୍ରିଗେଡ୍ ଅପପ୍ରୟାସରେ ମାତିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *