ପଞ୍ଚଭୂତରେ ବିଲୀନ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନ। ପୁରୀ ସ୍ୱର୍ଗଦ୍ୱାରରେ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ। ଅନ୍ତିମ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଯୋଗଗୁରୁ ରାମଦେବ ବାବା, ପୁରୀ ସଂସଦ ଡାକ୍ତର ସମ୍ବିତ ପାତ୍ର, ବହୁ ବରିଷ୍ଠ ନେତା।ଅନ୍ତିମ ସଂସ୍କାର ସମୟରେ ଦେବେନ୍ଦ୍ର ପ୍ରଧାନ ଅମର ରହେ ନାରାରେ କମ୍ପିଥିଲା ସ୍ୱର୍ଗଦ୍ୱାର।
ଭେଟରାନ ନେତାଙ୍କ ପରଲୋକରେ ସାରା ରାଜ୍ଯରେ ଶୋକର ଛାୟା ଖେଳିଯାଇଛି | ଡ଼ଃ ଦେବେନ୍ଦ୍ର ଦେବଗଡ଼ ଲୋକସଭା କ୍ଷେତ୍ରରୁ ଦୁଇଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୧୯୯୮ ଓ ୧୯୯୯ରେ ସେ ଦେବଗଡ଼ ଲୋକସଭା ଆସନରୁ ସଂସଦକୁ ନିର୍ବାଚିତ ହୋଇଥିଲେ । ୧୯୯୮ରେ ସେ କେନ୍ଦ୍ର ଭୂପୃଷ୍ଠ ପରିବହନ ମନ୍ତ୍ରୀ ହୋଇଥିଲେ । ୧୯୯୯ରେ ସେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ କେନ୍ଦ୍ର ଭୂପୃଷ୍ଠ ପରିବହନ ସହ କୃଷି ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ତାଙ୍କର ଅନେକ ଅବଦାନ ଥିବା ଓଡିଶା ଓ ଦେଶ ପ୍ରତି ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି | ଭାରତ ଓ ଓଡିଶା ଜଣେ ଅମୁଲ୍ୟ ରତ୍ନ କୁ ହରାଇଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି |
ସାନପୁଅ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ପୂରା ପରିବାର ଉପସ୍ଥିତି ଥିଲେ । ଗତକାଲି ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ବିମାନ ବନ୍ଦରରେ ମରଶରୀର ପହଁଚିବା ପରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ବାପାଙ୍କ ପାର୍ଥିବ ଶରୀର ପହଞ୍ଚିବା ବେଳେ ଉପସ୍ଥିତ ରହିଥିଲେ ପୁଅ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିମାନ ବନ୍ଦରରୁ ଏକ ସ୍ବତନ୍ତ୍ର ଗାଡିରେ ଡା. ପ୍ରଧାନଙ୍କ ପାର୍ଥିବ ଶରୀରକୁ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ନିଆଯାଇଥିଲା । ସେଠାରେ ରାଜ୍ୟ ବିଜେପିର ବହୁ ନେତା ଓ କର୍ମୀ ଦେବେନ୍ଦ୍ର ପ୍ରଧାନଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।
ପରେ ଚନ୍ଦ୍ରଶେଖରପୁର ସ୍ଥିତ ବାସଭବନକୁ ନିଆଯାଇଥିଲା ପାର୍ଥିବ ଶରୀର । ସେଠାରେ ଡା. ପ୍ରଧାନଙ୍କ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଦେବେନ୍ଦ୍ରଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ ନବୀନ । ଏଥିସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସଦବେଦନା ଜଣାଇଥିଲେ । ସେହିପରି ବିଜେଡିର ଅନ୍ୟ ନେତା ବି ଦେବେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।
ତାଳଚେର ବିଜେପି ମଣ୍ଡଳ ସଭାପତି ଭାବେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ୧୯୮୮ରୁ ୧୯୯୦ ଓ ୧୯୯୦ରୁ ୧୯୯୩ ପର୍ଯ୍ୟନ୍ତ କ୍ରମାଗତ ଭାବେ ଦୁଇଥର ସେ ରାଜ୍ୟ ବିଜେପି ସଭାପତି ଥିଲେ । ୧୯୯୫ରେ ସେ ତୃତୀୟ ଥର ପାଇଁ ବିଜେପି ରାଜ୍ୟ ସଭାପତି ଦାୟିତ୍ୱ ତୁଲାଇଥିଲେ । ୧୯୯୭ରୁ ୧୯୯୮ ପର୍ଯ୍ୟନ୍ତ ସେ ବିଜେପି କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଥିଲେ । ୨୦୦୧ରୁ ୨୦୦୨ ପର୍ଯ୍ୟନ୍ତ ସେ ବିଜେପି ରାଷ୍ଟ୍ରୀୟ ଉପସଭାପତି ଥିଲେ ।୧୯୪୧ରେ ଦେବେନ୍ଦ୍ର ଜନ୍ମ ଗ୍ରହଣ କରିଥିଲେ । ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ଅନୁଗୁଳ ଜିଲ୍ଲା ପାଇଁ ଅତୁଳନୀୟ ଅବଦାନ ରହିଥିଲା । ୧୯୮୦ ମସିହାରେ ବିଜେପିରେ ଯୋଗଦେଇଥିଲେ । ୧୯୮୩ ମସିହାରେ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ସଭାପତି ହୋଇଥଲେ |

Naxatra News is now on Whatsapp
Join and get latest news update delivered to you via whatsapp
Join Now