ବିହାର ହାର୍- ଲାଲୁଙ୍କ ପରିବାରରେ ଝଡ଼- ଝିଅ ରୋହିଣୀ ରାଜନୀତି ଓ ପରିବାର ସହ ଛିନ୍ନ କଲେ ସମ୍ପର୍କ

ବିହାର ନିର୍ବାଚନରେ ଆରଜେଡିର ଶୋଚନୀୟ ପ୍ରଦର୍ଶନ ପରେ ଲାଲୁଙ୍କ ପରିବାରରେ ଆସିଛି ବଡ଼ ଝଡ଼। ରାଜନୀତି ଛାଡ଼ିଲେ ଲାଲୁଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ। ରାଜନୀତିରୁ ସନ୍ୟାସ ଘୋଷଣା ସହ ପରିବାର ସହ ବି ସମ୍ପର୍କ ଛିନ୍ନ କଲେ ରୋହିଣୀ। ସଞ୍ଜୟ ଯାଦବ ଓ ରମିଜଙ୍କ ଉପରେ ଲଗାଇଛନ୍ତି ଗମ୍ଭୀର ଆରୋପ। ସଞ୍ଜୟ ଓ ରମିଜ ତାଙ୍କୁ ଏମିତି କରିବାକୁ କହିଥିବା କହିଛନ୍ତି ରୋହିଣୀ। ଆଉ ସମସ୍ତ ଦୋଷ ସେ ନିଜ ଉପରକୁ ନେଉଛନ୍ତି। ସଞ୍ଜୟ ଯାଦବ ହେଉଛନ୍ତି ଆରଜେଡିର ରାଜ୍ୟସଭା ସାଂସଦ। ତେଜସ୍ୱୀଙ୍କ ସବୁଠୁ ଭରସାଯୋଗ୍ୟ ସହଯୋଗୀ। ତେଜସ୍ୱୀଙ୍କ ପରାମର୍ଶଦାତା। ଆଉ ରମିଜ୍ ହେଉଛନ୍ତି ତେଜସ୍ୱୀଙ୍କ ପୁରୁଣା ସାଙ୍ଗ। ଯିଏ ପଡ଼ୋଶୀ ରାଜ୍ୟ ୟୁପିରେ ଏକ ରାଜନୀତିକ ପରିବାରରୁ ଆସିଛନ୍ତି। ନିର୍ବାଚନ ପୂର୍ବରୁ ଏକ ଭାଇରାଲ ଫଟୋରେ ବିହାର ଅଧିକାର ଯାତ୍ରା ବେଳେ ବସରେ ତେଜସ୍ୱୀଙ୍କ ସହ ଫ୍ରଣ୍ଟ ସିଟରେ ସଞ୍ଜୟ ବସିଥିଲେ। ଏହାକୁ ନେଇ ରୋହିଣୀ ଅପମାନ ବିବେଚନା କରିଥିଲେ। ସୋସିଆଲ ମିଡିଆରେ ରୋହିଣୀ ଲେଖିଥିଲେ, ଏହି ସିଟ୍ କେବଳ ଦଳର ସର୍ବୋଚ୍ଚ ନେତାଙ୍କର ଅଟେ। ଯଦି କିଏ ନିଜକୁ ନିଜେ ଶୀର୍ଷ ନେତୃତ୍ୱ ଉପରେ ଭାବୁଛି, ତାହେଲେ ଅଲଗା କଥା। ଏହା ପରେ ରୋହିଣୀଙ୍କୁ ନେଇ ସୋସିଆଲ ମିଡିଆରେ ବେଶ୍ ଟ୍ରୋଲ୍ କରାଯାଇଥିଲା। ତେଜପ୍ରତାପ ବି ସଞ୍ଜୟଙ୍କୁ ଜୟଚନ୍ଦ କହି ଟାର୍ଗେଟ କରିଆସିଛନ୍ତି। ସଞ୍ଜୟଙ୍କ କଥାରେ ପଡ଼ି ତାଙ୍କୁ ତେଜସ୍ୱୀ ଆରଜେଡିରୁ ବହିଷ୍କାର କରିଥିଲେ ବୋଲି ଆରୋପ ଲଦିଆସୁଛନ୍ତି ତେଜପ୍ରତାପ।ରୋହିଣୀ ଡିସେମ୍ୱର ୨୦୨୨ରେ ବାପା ଲାଲୁଙ୍କୁ ନିଜର କିଡନୀ ଦାନ କରିଥିଲେ। ଏହି ଟ୍ରାନ୍ସପ୍ଲାଣ୍ଟ ସିଙ୍ଗାପୁରର ମାଉଣ୍ଟ ଏଲିଜାବେଥ୍ ହସ୍ପିଟାଲରେ ସଫଳତାପୂର୍ବକ ହୋଇଥିଲା। ରୋହିଣୀ ନିଜ ପରିବାର ସହ ସିଙ୍ଗାପୁରରେ ହିଁ ରୁହନ୍ତି। ନିର୍ବାଚନ ସମୟରେ ସେ ବିହାର ଆସିଥିଲେ। ଆଉ ଭାଇ ତେଜସ୍ୱୀଙ୍କ ଲାଗି ପ୍ରଚାର କରୁଥିଲେ। ରୋହିଣୀ ୨୦୨୪ ଲୋକସଭା ନିର୍ବାଚନ ବି ଲଢ଼ିଥିଲେ। କିନ୍ତୁ ହାରିଯାଇଥିଲେ। ମହାଗଠବନ୍ଧନର ଶୋଚନୀୟ ପରାଜୟ, ଆରଜେଡି ମାତ୍ର ୨୫ ଆସନରେ ହାମୁଡ଼େଇ ପଡ଼ିବାରୁ ଲାଲୁଙ୍କ ପରିବାରରେ ବଡ଼ ଝଡ଼ ଆସିଛି। ରେଜଲ୍ଚ ଆସିବା ପରେ ତାଙ୍କ ବଡ଼ ପୁଅ ତେଜପ୍ରତାପ ଯାଦବ ସାନଭାଇ ତେଜସ୍ୱୀଙ୍କୁ କଡ଼ା କଟାକ୍ଷ କରିଥିଲେ। ଏହା ସହ ମୋଦି ଓ ଏନଡିଏ ନେତାଙ୍କୁ ବେଶ୍ ପ୍ରଶଂସା କରିଥିଲେ ତେଜପ୍ରତାପ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *