ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ଭଉଣୀ ପ୍ରୀୟଙ୍କା ଗାନ୍ଧୀ ବୁଧବାର ଉତ୍ତରପ୍ରଦେଶ ସମ୍ଭଲ ଯାତ୍ରା ପାଇଁ ଯାଉଥିଲେ । ହେଲେ ଯାତ୍ରା ସଫଳ ହୋଇନଥିଲା ଦିଲ୍ଲୀ ଏବଂ ନୋଏଡ଼ା ମଧ୍ୟରେ ଥିବା ଗାଜୀପୁର ସୀମାରେ ତାଙ୍କୁ ଅଟକାଇ ଦିଆଯାଇଛି ।ଯାହାଫଳରେ ଏକ ହାଇ ଭୋଲ୍ଟେଜ୍ ଡ୍ରାମା ଦେଖିବାକୁ ମିଳିଛି ।ତାଙ୍କ ଗାଡ଼ିକୁ ଅଟକାଇବା ପରେ ରାହୁଲଗାନ୍ଧୀଙ୍କ ସମେତ କଂଗ୍ରେସ ନେତା ମାନେ ଗାଡ଼ିରୁ ବାହାରି ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ତା ପରେ ବି ରାହୁଲ ଙ୍କୁ ଆଗକୁ ବଢିବା ପାଇଁ ଅନୁମତି ମିଳିଲା ନାହିଁ ।ସୀମାରେ ପ୍ରବଳ ବିଶୃଙ୍ଖଳା ଦେଖିବାକୁ ମିଳିଥିଲା। କାରଣ ପୁଲିସ ରାଜପଥକୁ ଅବରୋଧ କରିବାରୁ ଟ୍ରାଫିକ୍ ଜାମ୍ ହୋଇଥିଲା। ରାସ୍ତାରେ ବ୍ୟାରିକେଡ୍ ରଖାଯାଇ ଟ୍ରାଫିକ୍ ଅଟକା ଯାଇଥିଲା। ଏପଟେ ସ୍ଲୋଗାନ ଦେଇ କଂଗ୍ରେସ କର୍ମୀମାନେ ବ୍ୟାରିକେଡ୍ ଉପରକୁ ଚଢ଼ିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା।କଂଗ୍ରେସ ନେତାମାନେ ସକାଳ ପ୍ରାୟ ୧୦.୧୫ରେ ଦିଲ୍ଲୀ ଛାଡି ୧୧ଟା ସମୟରେ ସୀମାରେ ପହଞ୍ଚିଥିଲେ। ହେଲେ ସେମାନଙ୍କର ଦଳ ଆଉ ଆଗକୁ ଯାଇପାରିଲା ନାହିଁ।ସେମାନଙ୍କୁ ଅବରୋଧ କରାଯିବା ପରେ କଂଗ୍ରେସ ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ ଟ୍ୱିଟ୍ କରି କହିଛନ୍ତି ଯେ ‘‘ଆମ ଦେଶରେ ଶାନ୍ତି ଏବଂ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ ଦୃଷ୍ଟିରେ ରଖି ଆମେ ପୀଡିତଙ୍କ ପରିବାରକୁ ଭେଟିବାକୁ ସ୍ଥିର କରିଛୁ। ୟୁପି ସରକାର ଆମ ପ୍ରତିନିଧୀଙ୍କୁ ସମ୍ଭଲ ପରିଦର୍ଶନ କରିବାକୁ ଅନୁମତି ଦେବା ଉଚିତ୍।’’ଉଲ୍ଲେଖଯୋଗ୍ୟ, ସମ୍ଭଲରେ ବାହାର ଲୋକଙ୍କ ପ୍ରବେଶ ଉପରେ ଉତ୍ତରପ୍ରଦେଶ ପ୍ରଶାସନ କଟକଣା ଲଗାଇଛନ୍ତି। ଆସନ୍ତା ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ସମ୍ଭଲକୁ କୌଣସି ବାହାର ଲୋକ ପ୍ରବେଶ କରିପାରିବେନି ବୋଲି ଉତ୍ତରପ୍ରଦେଶ ପ୍ରଶାସନ କହିଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now