ସୁସ୍ଥ ହେବା ଯାଏ ଇଡିକୁ ସମୟ ମାଗିଲେ ସୋନିଆ…

Spread the love

ନୂଆଦିଲ୍ଲୀ: ନାସନାଲ ହେରାଲ୍ଡ ମାମଲାରେ ଫସିଥିବା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ଆସନ୍ତା ୨୩ ତାରିଖରେ ହାଜର ହେବାକୁ ଥିବା ବେଳେ କିନ୍ତୁ ଆଉ କିଛି ଦିନ ମହଲତ ମାଗିଛନ୍ତି ସୋନିଆ। ଇଡିକୁ ପତ୍ର ଲେଖି ସୋନିଆ ଉଲ୍ଲେଖ କରିଛନ୍ତି କି, କୋଭିଡ କାରଣରୁ ଫେସଫୁସରେ ହୋଇଥିବା ସଂକ୍ରମଣ ଭଲ ହେବା ପର୍ଯ୍ୟନ୍ତ ତାଙ୍କ ପଚରାଉଚରାକୁ ଆଉ କିଛି ସପ୍ତାହ ପାଇଁ ସ୍ଥଗିତ ରଖାଯାଉ।

ଏନେଇ ସୂଚନା ଦେଇଛନ୍ତି ଦଳର ମହାସଚିବ ଜୟରାମ ରମେଶ। ରମେଶ ଟ୍ବିଟ କରି କହିଛନ୍ତି, ସୋନିଆ ଗାନ୍ଧୀ କୋଭିଡ ଓ ଫୁସଫୁସ୍‌ ସଂକ୍ରମଣରେ ହସ୍ପିଟାଲରେ ଭର୍ତ୍ତି ହେବା ପରେ ଡାକ୍ତର ତାଙ୍କୁ ଘରେ ଆରାମ କରିବାକୁ ପରାମର୍ଶ ଦେଇଛନ୍ତି। ଏପରି ବେଳେ ତାଙ୍କର ଇଡିରେ ଉପସ୍ଥିତି ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ଆଉ କିଛି ସପ୍ତାହ ପାଇଁ ସ୍ଥଗିତ ରଖିବାକୁ ସେ ଇଡିକୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି।

ଜୁନ ୨୩ରେ ସୋନିଆଙ୍କୁ ଇଡିରେ ପଚରାଉଚରା ପାଇଁ ଡକା ଯାଇଛି। କିନ୍ତୁ ସେ କୋଭିଡରେ ସଂକ୍ରମିତ ହେବା ପରେ ତାଙ୍କୁ ଦିଲ୍ଲୀସ୍ଥିତ ଗଙ୍ଗାରାମ ହସ୍ପିଟାରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଚିକିତ୍ସିତ ହୋଇ ସେ ସୋମବାର ଘରକୁ ଫେରିଛନ୍ତି, କିନ୍ତୁ ତାଙ୍କୁ ଘରେ ଆରାମ କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି।

ସେପଟେ, ଏହି ମାମଲାରେ ଇଡି ଗତ ୫ ଦିନ ଧରି ରାହୁଲଙ୍କୁ ଲଗାତର ଜେରା କରି ଚାଲିଛି। ମଙ୍ଗଳବାର ଦିନ ରାହୁଲଙ୍କୁ ୧୦ ଘଣ୍ଟା ଧରି ଜେରା କରିଛନ୍ତି।

Leave a Reply

Your email address will not be published. Required fields are marked *