ରାଞ୍ଚି: ବଢିଲା ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସମସ୍ୟା। କୌଣସି ବି ସମୟରେ ତାଙ୍କ ଆସନ ଛଡାଇ ନେବାକୁ ନିଷ୍ପତ୍ତି ନେଇ ପାରନ୍ତି ରାଜ୍ୟପାଳ। ମୁଖ୍ୟମନ୍ତ୍ରୀତ୍ବ କାଳରେ ଲାଭଜନକ ପଦରେ ରହିବା ଅଭିଯୋଗରେ ନିର୍ବାଚନ ଆୟୋଗ ଏକ ସିଲ ଲଫାପା ରାଜ୍ୟପାଳଙ୍କ ନିକଟକୁ ପଠାଇଛନ୍ତି। ଏହାକୁ ନେଇ ଝାରଖଣ୍ଡ ରାଜନୀତିରେ ଦେଖାଦେଇଛି ହଲଚଲ। ଜେଏମଏମର ସମସ୍ତ ବିଧାୟକଙ୍କୁ ନିଜ ଅଫିସକୁ ଡକାଇଛନ୍ତି ମୁଖ୍ୟମନ୍ତ୍ରୀ।
ମୁଖ୍ୟମନ୍ତ୍ରୀ ପଦରେ ରହି ସୋରେନ ନିଜ ନାମରେ ଖଣି ଲିଜରେ ନେବାର ଅଭିଯୋଗ ହୋଇଛି। ସୋରେନ ନିଜ ଭାଇ ବସନ୍ତ ସୋରେନଙ୍କୁ ଖନନ ପଟ୍ଟା ଆବଣ୍ଟନ କରିବାର ଅଭିଯୋଗ ଆଣିଛି ବିଜେପି। ପୂର୍ବରୁ ଇଡି ଖଣି ସଚିବ ପୂଜା ସଂଘଲଙ୍କୁ ମନି ଲଣ୍ଡରିଂ ମାମଲାରେ ଗିରଫ କରିଥିଲା। ପୂଜା ମୁଖ୍ୟମନ୍ତ୍ରୀଙ୍କୁ ଲିଜ ଲାଇସେନ୍ସ ପ୍ରଦାନ କରିଥିଲେ। ତାଙ୍କ ନିକଟରୁ ସରକାର ଖଣି ଖନନରେ ଚଳାଇଥିବା ଅନିୟମିତତାର ପ୍ରମାଣ ପାଇଛି।
ଏହାକୁ ନେଇ ବିଜେପି ଜେଏମଏମ ସରକାର ମନି ଲଣ୍ଡରିଂ ମାମଲାରେ ଲିପ୍ତ ଥିବା ନେଇ ଅଭିଯୋଗ ଆଣିବା ସହ ସୋରେନଙ୍କ ମୁଖ୍ୟମନ୍ତ୍ରୀତ୍ବକୁ ଅଯୋଗ୍ୟ ଘୋଷିତ କରିବାକୁ ଦାବି କରିଛି। ସେପେଟ ଇଡିର ଯାଞ୍ଚ ଆଧାରରେ ନିର୍ବାଚନ ଆୟୋଗ ଏକ ବନ୍ଦ ଲଫାପାରେ ସୋରେନଙ୍କୁ ସମ୍ବିଧାନର ଅନୁଚ୍ଛେଦ ୧୯୨ ଅନ୍ତର୍ଗତ ଅଯୋଗ୍ୟ ଘୋଷିତ କରିବାକୁ ପତ୍ର ଲେଖିଛି। ସେପଟେ ଗୁରୁବାର ରାଜ୍ୟପାଳ ରାଞ୍ଚିରେ ପହଞ୍ଚିଛନ୍ତି।
ମୁଖ୍ୟମନ୍ତ୍ରୀ ମଧ୍ୟ ସମସ୍ତ ବିଧାୟକଙ୍କୁ ସନ୍ଧ୍ୟାରେ ତାଙ୍କ ବାସଭବନରେ ଏକତ୍ରିତ ହେବାକୁ ଅନୁରୋଧ କରିଥିବା ବେଳେ ବହୁ ବିଧାୟକ ରାଞ୍ଚି ଅଭିମୁଖେ ବାହାରି ଯାଇଛନ୍ତି।
ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ କହିଛନ୍ତି କି, ଝାରଖଣ୍ଡର ଲୋକମାନେ ଜେଏମଏମକୁ ବହୁ ଆଶା ଭରସାରେ ଜିତାଥିଲେ। କିନ୍ତୁ ଯେତେବେଳେ ସେ ସତ୍ତାକୁ ଆସିଲେ ରାଜ୍ୟର ପ୍ରାକୃତିକ ସମ୍ବଳ ଲୁଟକରିବାରେ ଲାଗିଯାଇଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now