ସେଲିବ୍ରିଟି ଷ୍ଟାରଓ୍ୱାର୍..

ଅନେକ ଷ୍ଟାରଙ୍କ ଭାଗ୍ୟ ଖୋଲିଲେ ନା ବନ୍ଦ କଲେ ଭୋଟର। ଅଭିନେତା ଓ ଅଭିନେତ୍ରୀରୁ ରାଜନୀତି ମୈଦାନରେ ଭାଗ୍ୟ ପରୀକ୍ଷା କରିଥିବା ଅନେକ ସେଲିବ୍ରିଟି ପ୍ରଥମ ଥର ନିର୍ବାଚନୀ ମୈଦାନରେ ଡେବ୍ୟୁ କରିଥିଲା ବେଳେ ଅନେକ ଦ୍ୱିତୀୟ କି ତୃତୀୟ ଥର ଭୋଟରଙ୍କ ପରୀକ୍ଷାର ସମ୍ମୁଖୀନ ହେଉଛନ୍ତି। ଜୁନ୍‌ ୪ର ଫଳାଫଳ ଉପରେ ଏହି ସେଲିବ୍ରିଟିଙ୍କୁ ଭୋଟର ଆପଣାଇଲେ ନା ପ୍ରତ୍ୟାଖ୍ୟାନ କଲେ, ସ୍ପଷ୍ଟ ହେବ। ଭୋଟରଙ୍କ ମୁଡ୍ କେଉଁ ସେଲିବ୍ରିଟି ତଥା ଷ୍ଟାରଙ୍କୁ କୋଳେଇଲେ ଆଉ କାହାକୁ ଦୂରେଇଦେଲେ। ମଣ୍ଡି ଆସନରୁ ପ୍ରଥମ ଥର ବିଜେପି ଟିକଟରେ ଡେବ୍ୟୁ କରୁଛନ୍ତି କଙ୍ଗନା ରାଣାଓ୍ୱତ୍। ମିରଟ ଆସନରେ ରାମାୟଣ ଚରିତ୍ରରେ ଅଭିନୟ କରିଥିବା ଅରୁଣ ଗୋଭିଲ୍ ଭୋଟରଙ୍କ ପରୀକ୍ଷାର ସମ୍ମୁଖୀନ ହେଉଛନ୍ତି ପ୍ରଥମ ଥର। ଆନ୍ଧ୍ରର ପିଥାପୁରମ ଆସନରେ ଜନସେନା ପାର୍ଟିର ପ୍ରାର୍ଥୀ ପଓ୍ୱନ କଲ୍ୟାଣଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଭୋଟର। ଡ୍ରିମ୍ ଗାର୍ଲ ହେମାମାଳିନୀ ୟୁପିର ମଥୁରାରୁ ତୃତୀୟ ଥର ଛିଡା ହୋଇଥିଲେ। ମଥୁରାରୁ ହ୍ୟାଟ୍ରିକ୍ ଲକ୍ଷ୍ୟରେ ଥିବା ହେମମାଳିନୀଙ୍କୁ ଏଥର ଭୋଟର ପୂର୍ବଥର ଭଳି ଆଦରିବେ ନା ପ୍ରତ୍ୟାଖ୍ୟାନ କରିବେ, ତା ଉପରେ ରହିଛି ନଜର। ଗୋରଖପୁରରୁ ଭୋଜପୁରୀ ଅଭିନେତା ରବି କିଷାନ ଦ୍ୱିତୀୟ ଥର ଭାଗ୍ୟ ପରୀକ୍ଷା କରିଛନ୍ତି।

କେରଳର ଥ୍ରିସୁରରୁ ପ୍ରଖ୍ୟାତ ଅଭିନେତା ସୁରେଶ ଗୋପି ପ୍ରତିଦ୍ୱନ୍ଦିତା କରିଥିଲେ। ବିହାରର କାରାକଟ ଆସନରେ ସ୍ୱାଧୀନରେ ଲଢ଼ିଥିଲେ ଭୋଜପୁରୀ ଷ୍ଟାର୍ ପଓ୍ୱନ ସିଂ। ବିଜେପି ବିଦ୍ରୋହୀ ଭାବେ ନିର୍ବାଚନରେ ଛିଡ଼ା ହୋଇଥିବାରୁ ତାଙ୍କୁ ଦଳ ବହିଷ୍କୃତ କରିଥିଲା। ନର୍ଥ-ଇଷ୍ଟ ଦିଲ୍ଲୀରୁ ଭୋଜପୁରୀ ଗାୟକ ମନୋଜ ତିଓ୍ୱାରୀ ତୃତୀୟ ଥର ବିଜେପି ଟିକଟରେ ଭାଗ୍ୟ ପରୀକ୍ଷା କରିଛନ୍ତି। ଆଜମଗଡ଼ ଆସନରେ ଭୋଜପୁରୀ ଅଭିନେତା ଦିନେଶ ଲାଲ ଯାଦବ ଓରଫ ନେରୁହା ବିଜେପି ଟିକଟରେ ଲଢ଼ିଛନ୍ତି। ଚୁରୁରୁ ଦେବେନ୍ଦ୍ର ଝାଝରିଆ, ହୁଗଳିରୁ ଲକେଟ ଟାଟାର୍ଜୀ ଓ ମେଦିନିପୁରରୁ ଅଭିନେତ୍ରୀ ଅଗ୍ନିମିତ୍ର ପାଉଲ ପ୍ରମୁଖ ବିଜେପି ଟିକଟରେ ଲଢ଼ିଛନ୍ତି। ଟିଏମସିରେ ବି ଅନେକ ସେଲିବ୍ରିଟି ଏଥର ନିର୍ବାଚନରେ ଭାଗ୍ୟ ପରୀକ୍ଷା କରିଛନ୍ତି। ବାହାରାମପୋର ଆସନରେ କ୍ରିକେଟର ୟୁସୁଫ ପଠାନ୍, ବର୍ଦ୍ଧମାନ- ଦୁର୍ଗାପୁରରୁ କିର୍ତ୍ତି ଆଜାଦ, ଆସୋନସୋଲ ଆସନରେ ଶତୃଘ୍ନ ସିହ୍ନା, ବିରଭୂମରୁ ଶତାବ୍ଦୀ ରାୟ, ବାରାକପୋରରୁ ପାର୍ଥ ଭୌମିକ, ହୁଗଳିରୁ ରଚନା ବାନାର୍ଜୀ ଓ ମେଦିନିପୁରରୁ ଦେବ ଲଢ଼ିଥିଲେ।

ଷ୍ଟାର୍ ପାଓ୍ୱାର ଜରିଆରେ କ୍ଷମତା ଦଖଲ ଲାଗି ବିଜେପି ଓ ଟିଏମସି ପଛକୁ ଦେଖିଲେ ବିଜେଡି , ଓଡ଼ିଶା ବିଜେପି ଓ କଂଗ୍ରେସ ବି ପଛରେ ପଡ଼ିନଥିଲା। ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡ଼ଚଣା ଆସନରୁ ଲଢ଼ାଇଥିଲା ବିଜେଡି। ସେପଟେ ଦୁଇ ଥରର ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କୁ ବିଜେପି କୋଳେଇନେଇ ଦିଗପହଣ୍ଡି ବିଧାନସଭାରୁ ଲଢ଼ାଇଥିଲା ଏଥର। କୋରେଇରୁ ଅଭିନେତା ଆକାଶ ଦାସ ନାୟକଙ୍କୁ ବିଜେପି ଟିକଟ ଦେଇ ଲଢ଼ାଇଥିଲା ବେଳେ ବଲାଙ୍ଗୀର ସଂସଦୀୟ କ୍ଷେତ୍ରରୁ ଅଭିନେତା ମନୋଜ ମିଶ୍ରଙ୍କୁ ପ୍ରାର୍ଥୀ କରିଥିଲା କଂଗ୍ରେସ।

ଷ୍ଟାର ପାଓ୍ୱାର୍ ଏଥର ଭୋଟରଙ୍କୁ କେତେଦୂର ଆକର୍ଷିତ କରିପାରିଛି। କେଉଁ ସେଲିବ୍ରିଟି ଭୋଟରଙ୍କ ପରୀକ୍ଷାରେ ପାସ୍ ହେଲେ ଆଉ କିଏ ଫେଲ୍।ଜୁନ୍ ୪ରେ ଏହା ସ୍ପଷ୍ଟ ହେବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *