ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମାନଙ୍କର ଉତ୍କଟ ଦାରିଦ୍ର୍ୟତା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ଦାୟୀ : କଂଗ୍ରେସ

Spread the love

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କର ନିତୀ ଆୟୋଗ ରିପୋର୍ଟ ପ୍ରକାଶ ପାଇବା ପରେ ରାଜ୍ୟର ଉତ୍କଟ ଦାରିଦ୍ର୍ୟତାର ନଗ୍ନ ଚିତ୍ରକୁ ସ୍ପଷ୍ଟ ଭାବରେ ଅନୁଭବ କରିହେଉଛି । ଦୀର୍ଘ ୨୪ ବର୍ଷର ନିରନ୍ତର ଶାସନ ବ୍ୟବସ୍ଥାର ବିଜୁ ଜନତା ଦଳର ସରକାର ଓଡ଼ିଶାରେ ଶାସନ କଲାପରେ ଏବଂ ଖୋଦ୍ ନବୀନ ବାବୁ ୨୪ ବର୍ଷ କାଳ ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଲା ପରେ ରାଜ୍ୟବାସୀଙ୍କୁ ତାଙ୍କର ସବୁଠାରୁ ବଡ଼ ଦାନ ହେଉଛି, ମାଲକାନାଗିରିକୁ ଭାରତ ବର୍ଷର ସବୁଠାରୁ ଗରିବ ଜିଲ୍ଲା ରୂପେ ମାନ୍ୟତା ପ୍ରଦାନ କରିବା । ଏହା ହେଉଛି ବିଜୁ ଜନତା ଦଳ ସରକାର ଓ ନବୀନ ବାବୁଙ୍କ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଜନସାଧାରଣଙ୍କ ପ୍ରତି ତାଙ୍କର ନିଷ୍ଠା ଓ କର୍ତ୍ତବ୍ୟପରାୟଣ ବୋଲି ସମାଲୋଚନା କରି କହିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା ରାଜ୍ୟ କଂଗ୍ରେସର ମେନିଫେଷ୍ଟୋ କମିଟିର ଅଧ୍ୟକ୍ଷ  ପଞ୍ଚାନନ କାନୁନ୍‌ଗୋ ।

ମଙ୍ଗଳବାର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଲେ ଯେ, ରାଜ୍ୟର ସ୍ୱର୍ଣ୍ଣଗର୍ଭା ସୁନ୍ଦରଗଡ଼ ଜିଲ୍ଲା, ଯାଜପୁର ଜିଲ୍ଲା ଓ କେନ୍ଦୁଝର ଜିଲ୍ଲା ମାନଙ୍କରେ ବହୁ ନଗଡ଼ାର ଚିତ୍ର ବୟାନ କରୁଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ବାରମ୍ବାର ଏକ ନମ୍ବର ମୁଖ୍ୟମନ୍ତ୍ରୀ ବୋଲି ଦାବି କରୁଛନ୍ତି । କିନ୍ତୁ ରାଜ୍ୟର ପାରଦର୍ଶିତା ଲାଭ କରିବା ପରିବର୍ତେ ଏଭଳି ଅପମାନଜନକ ସ୍ଥିତି କିଭଳି ସୃଷ୍ଟି ହେଉଛି ? ଗରୀବ୍ ସୂଚକାଙ୍କ ୧୨ ଟି ଦିଗକୁ ଲକ୍ଷ୍ୟ କରି ପ୍ରସ୍ତୁତ କରାଯାଇଥିଲା । ରାଜ୍ୟର ମାଲକାନାଗିରି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମୟୁରଭଞ୍ଜ ଓ ଗଜପତି ଜିଲ୍ଲା ମାନଙ୍କରେ ଦାରିଦ୍ର୍ୟତାହାର ୪୫ ପ୍ରତିଶତ ରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ । କେନ୍ଦ୍ରରେ ବିଜେପି ସରକାର ରାଜ୍ୟରେ ୧୦ ଟି ଜିଲ୍ଲାକୁ ଆକାଂକ୍ଷା ଜିଲ୍ଲା ରୂପେ ଗ୍ରହଣ କରିଥିଲେ ଏବଂ ଏଥିପାଇଁ କେନ୍ଦ୍ର ସରକାରଙ୍କର ବିଭିନ୍ନ ପଦାଧିକାରୀ ଏବଂ ଖୋଦ୍ କେନ୍ଦ୍ର ମନ୍ତ୍ରୀମାନେ ଏହି ଜିଲ୍ଲା ଗୁଡ଼ିକର ଦାୟିତ୍ୱ ନେଇଥିଲେ । କିନ୍ତୁ ଏହି ସବୁ ଜିଲ୍ଲାମାନଙ୍କର ୭୦ ପ୍ରତିଶତରୁ ଅଧିକ ମହିଳା ରକ୍ତହିନତା ଓ ଅପପୃଷ୍ଠିର ଶିକାର ହେଉଛନ୍ତି । ଶିଶୁ ମୃତ୍ୟୁହାର ଏବଂ ଶୂନର ୫ ବର୍ଷ ପିଲାମାନଙ୍କ ମଧ୍ୟରେ ତାଙ୍କର ଶାରିରୀକ ବିକାଶ ଓ ଓଜନ ହ୍ରାସ ପାଇବା ଇତ୍ୟାଦି ବହୁ ପରିମାଣରେ ଦେଖାଦେଉଛି । ଏଥିପାଇଁ ଆମେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟି କରୁଛୁ । କେବଳ ଭାଷଣବାଜି ଛଡ଼ା ଗ୍ରାଉଣ୍ଡ ଜିରୋର କାର୍ଯ୍ୟ ସମ୍ପୂର୍ଣ୍ଣ ନିରାଶଜନକ । ସେହିପରି କଂଗ୍ରେସ ମୁଖପାତ୍ର ରଜନୀ ମହାନ୍ତି କହିଲେ ଯେ, ରାଜ୍ୟ ସରକାର ରାଜ୍ୟର ଗରିବିକୁ ଦ୍ରୁତଗତିରେ ହ୍ରାସ ହୋଇଛି ବୋଲି ଯେଉଁ ମିଛ କଥାଗୁଡ଼ିକ ପ୍ରଚାର କରୁଥିଲେ ଆଜି ନୀତି ଆୟୋଗର ରିପୋର୍ଟ ପ୍ରକାଶ ପରେ ପ୍ରମାଣିତ ହେଲା ।

ବିଜୁ ଜନତା ଦଳର ନେତା ମନ୍ତ୍ରୀ ସମସ୍ତେ ରାଜ୍ୟବାସୀଙ୍କ ପାଇଁ ଅହରହ ପରିଶ୍ରମ କରୁଛନ୍ତି ବୋଲି ଡ଼ିଣ୍ଡିିମ ପିଟୁଥିଲାବେଳେ ପ୍ରକୃତରେ ସେ କାହା ପାଇଁ କାମ କରୁଛନ୍ତି? ଯଦି ରାଜ୍ୟ ପାଇଁ ଏତେ ପରିଶ୍ରମ କରୁଛନ୍ତି ତାହାଲେ ରାଜ୍ୟର ଆଦିବାସୀ ବହୁଳ ଜିଲ୍ଲାମାନଙ୍କର ସ୍ଥିତିର ପରିବର୍ତ୍ତନ କାହିଁକି ହେଉ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ରାଜ୍ୟରେ ଏହି ଜିଲ୍ଲାମାନଙ୍କରେ ୭୦ ପ୍ରତିଶତରୁ ଅଧିକ ମହିଳା ଓ ଅପପୃଷ୍ଟିର ଶିକାର ହେଉଛନ୍ତି । ବିଶୁଦ୍ଧ ପାନୀୟ ଜଳ ଏମାନଙ୍କ ପାଇଁ ସାତସପନ । ଶିକ୍ଷା, ସ୍ୱାସ୍ଥ୍ୟ ବ୍ୟବସ୍ଥା, ପରିମଳ ଓ ରୋଜଗାର ଏ ସବୁ ଏମାନଙ୍କ ପାଇଁ ୨୫ ବର୍ଷ ଶାସନ ପରେ ଅପହଞ୍ଚ କାହିଁକି? ସୁନ୍ଦରଗଡ଼ ଜିଲ୍ଲାର ୨ ଟି ଉପନିର୍ବାଚନରେ ଖୋଦ୍‌ମୁଖ୍ୟମନ୍ତ୍ରୀ ଏହି ଜିଲ୍ଲାର ଦାୟିତ୍ୱ ନିଜେ ନେଲେ ବୋଲି କହିଥିଲେ । କିନ୍ତୁ ଜିଲ୍ଲାର ସ୍ଥିତିକୁ ପରଖିଲେ ମୁଖ୍ୟମନ୍ତ୍ରୀ କିଭଳି ଦାୟିତ୍ୱ ନେଉଛନ୍ତି ତାହା ଭଲ ଭାବରେ ବୁଝା ପଡ଼ୁଛି । ରାଜ୍ୟ ସରକାରଙ୍କର ସଚିବମାନେ ଏ ସବୁ ଜିଲ୍ଲାଗୁଡ଼ିକକୁ ଗସ୍ତ କରୁଥିଲ ତ? ଏହି ସବୁ ଜିଲ୍ଲା ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଆଗରୁ କେବେ ଗସ୍ତ କରୁଥିଲେ କି? ଏ ସରକାରର ରାଜ୍ୟବାସୀଙ୍କ ପ୍ରତି ତିଳେ ମାତ୍ର ନିଷ୍ଠା ନାହିଁ ବୋଲି ମହାନ୍ତି କହିଛନ୍ତି ।

Leave a Reply

Your email address will not be published. Required fields are marked *