ଛାତ୍ର କଂଗ୍ରେସର ନିଯୁକ୍ତି କ୍ରାନ୍ତି ଘୋଷଣା

Spread the love

ଭୁବନେଶ୍ୱର : ଖାଲି ପଡିଥିବା ସରକାରୀ ପଦବୀ ପୂରଣ, ଘରୋଇ ଶିଳ୍ପ ପ୍ରତିଷ୍ଠାନରେ ଓଡିଆଙ୍କୁ ନିଯୁକ୍ତି , ଠିକା ବ୍ୟବସ୍ଥା ଉଚ୍ଛେଦ ଆଦି ଦାବି ନେଇ ଛାତ୍ର କଂଗ୍ରେସ ଆଗାମୀ ଦିନରେ ନିଯୁକ୍ତି କ୍ରାନ୍ତି କରିବ ବୋଲି ସୂଚନା ଦେଇଛନ୍ତି ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନୱାଜ ।

ଗୁରୁବାର ଛାତ୍ର କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ୨୩ ବର୍ଷର ନବୀନ ସରକାର ବର୍ଷକୁ ୨ଲକ୍ଷ ନିଯୁକ୍ତି ଦେବେ ବୋଲି ଘୋଷଣା କଲେ । ଯାହା ପ୍ରତାରଣାରେ ପରିଣତ ହୋଇଛି । ବିଧାନସଭାରେ ମନ୍ତ୍ରୀ ଉପସ୍ଥାପିତ କରିଛନ୍ତି ଯେ ରାଜ୍ୟରେ ଏବେ ୮,୯୮,୭୧୭ ପଞ୍ଜିକୃତ ବେକାରୀ ଅଛନ୍ତି । ୨୦୨୧ ମସିହା ଡିସେମ୍ବର ମାସରେ ଓଡ଼ିଶାର ଅର୍ଥମନ୍ତ୍ରୀ ଗୃହରେ ଉପସ୍ଥାପନ କଲେ ଯେ ଓଡ଼ିଶା ସରକାରରେ ୨ଲକ୍ଷ ୨୬ ହଜାର ୫୫୯ଟି ପଦବୀ ଖାଲି ପଡ଼ିଛି । ଓଡ଼ିଶା ସରକାରରେ ମାତ୍ର ୩ଲକ୍ଷ ୯୮ ହଜାର ୫୭୭ ଜଣ କର୍ମଚାରୀ ଅଛନ୍ତି । ଏଣୁ ୨୩ ବର୍ଷ ଭିତରେ ନବୀନ ସରକାର ସମସ୍ତ ସରକାରୀ ପଦବୀ ପୂରଣ କରିବାରେ ଅକ୍ଷମ ହୋଇଛନ୍ତି । ପରୀକ୍ଷା ପୂର୍ବରୁ ଓଡ଼ିଶା ସରକାରଙ୍କର ଚାକିରୀ ସବୁ ବିକ୍ରି ହୋଇଯାଏ ।  ୨୩ ବର୍ଷ ଭିତରେ ନବୀନ ସରକାରରେ ୧୫୦ରୁ ଉର୍ଦ୍ଧ୍ୱ ବଡ଼ ଶିଳ୍ପ ପ୍ରତିଷ୍ଠା ପାଇଁ ଏମଓୟୁ ସ୍ୱାକ୍ଷର କଲେଣି । ମାତ୍ର ବାସ୍ତବରେ ଏହା ୨୦ ପ୍ରତିଶତ ସଫଳ ହୋଇପାରି ନାହିଁ । ଏଣୁ ନୂତନ ନିଯୁକ୍ତି ସୃଷ୍ଟି କରିବାରେ ନବୀନ ସରକାର ବିଫଳ ।

ସେହିପରି  ୨୦୧୩ ମସିହାରେ ନରେନ୍ଦ୍ର ମୋଦି ଘୋଷଣା କଲେ ଯେ, ଯଦି ବିଜେପି ସରକାର ଆସେ ତେବେ ବର୍ଷକୁ ୨ କୋଟି ନିଯୁକ୍ତି ଦେବେ । ହେଲେ ୮ ବର୍ଷରେ ମୋଦୀ ସରକାର ୧୬ କୋଟି ନିଯୁକ୍ତି ଦେଇପାରିଲେ କି? ଆଜିର ବେକାରୀ ସମସ୍ୟା ପାଇଁ ମୋଦୀ ଓ ନବୀନସରକାର ଦାୟି । ନିଯୁକ୍ତି ପ୍ରାପ୍ତ ହେବାକୁ ହେଲେ ରାଜ୍ୟ ଛାତ୍ର ଏବଂ ବେକାର ଯୁବକ / ଯୁବତୀଙ୍କର ସ୍ୱର ଶାଣିତ ହେବା ସହ ଲଢ଼େଇ ତିବ୍ର ହେବା ଦରକାର ।

 ୨ଲକ୍ଷ ୨୬ ହଜାର ୫୫୯ଟି ଖାଲି ପଡ଼ିଥିବା ସରକାରୀ ପଦବୀକୁ ନିର୍ଦ୍ଧିଷ୍ଠ ସମୟ ସୀମା ମଧ୍ୟରେ ପୁରଣ କରିବା ,ସମସ୍ତ ଘରୋଇ ଶିଳ୍ପ ଓ ବ୍ୟବସାୟ ପ୍ରତିଷ୍ଠାନରେ ୮୦ ପ୍ରତିଶତ ଓଡ଼ିଶା ଲୋକଙ୍କୁ ନିଯୁକ୍ତି .ସରକାରୀ ଚାକିରିରେ ଚୁକ୍ତି ଭିତିକ ଓ ଠିକା ନିଯୁକ୍ତି ବାତିଲ , ପ୍ରବାସୀ ଓଡ଼ିଆ, ଓଡ଼ିଶାକୁ ଫେରି ଓଡ଼ିଶାରେ ଜୀବିକା ନିର୍ବାହ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ସରକାର ସ୍ୱତନ୍ତ୍ର  ପ୍ୟାକେଜ ଏବଂ  ବେକାରୀ ଭତା ୫୦୦୦ ଟଙ୍କା ଦେବାକୁ ଛାତ୍ର କଂଗ୍ରେସ ଦାବି କରିଛି । ସାତ ଦିନ ଭିତରେ ଯଦି ରାଜ୍ୟ ସରକାର / କେନ୍ଦ୍ର ସରକାର ଏହି ଦାବୀ ଉପରେ ଉତର ନ ରଖନ୍ତି ତେବେ ଛାତ୍ର କଂଗ୍ରେସ” “ନିଯୁକ୍ତି କ୍ରାନ୍ତି” ମାଧ୍ୟମରେ ଓଡ଼ିଶାରେ ମହାସଂଗ୍ରାମ କରିବ ।

ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ଛାତ୍ର କଂଗ୍ରେସର ଉପସଭାପତି ସୁନିଲ ମାଟିଆ, ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ କୋଅଡ଼ିନେଟର ଅଖିଳେଷ ଯାଦବ ଓ ମନସା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *