ଟିମ୍ ଇଣ୍ଡିଆ ଭଳି କାମ କର- ନୀତି ଆୟୋଗ ବୈଠକରେ ମୋଦିଙ୍କ ବାର୍ତ୍ତା

ସମସ୍ତେ ଟିମ୍ ଇଣ୍ଡିଆ ଭଳି କାମ କରିବାକୁ ପଡ଼ିବ। ଏମିତି ହେଲେ କୌଣସି ଲକ୍ଷ୍ୟ ହାସଲ କରିବା ଅସମ୍ଭବ ନୁହେଁ। କେନ୍ଦ୍ର ଓ ରାଜ୍ୟ ସରକାର ଗୋଟିଏ ମନରେ କାମ କରିବାକୁ ପଡ଼ିବ। ନୀତି ଆୟୋଗ ବୈଠକରେ ଏଭଳି ସନ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ବିକଶିତ ରାଜ୍ୟରୁ ବିକଶିତ ଭାରତ ଥିମ୍ ଉପରେ ଏହି ଦଶମ ଗଭର୍ଣ୍ଣିଂ କାଉନସିଲ ବୈଠକରେ ଅଧ୍ୟକ୍ଷତା କରିଥିଲେ ପ୍ରଧାନମନ୍ତ୍ରୀ। ୨୦୪୭ ଯାଏ ବିକଶିତ ରାଷ୍ଟ୍ର ତିଆରି ଲକ୍ଷ୍ୟରେ କି ରଣନୀତି ଆପଣାଇବାକୁ ପଡ଼ିବ, ତା ଉପରେ ମାନସମନ୍ଥନ ହୋଇଥିଲା। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖିଆଙ୍କ ସହ ବିଚାରବିମର୍ଶ ହୋଇଛି। ତେବେ ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲ ବୈଠକକୁ ଦକ୍ଷିଣ ଭାରତର ୩ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସିଲେନି। କର୍ଣ୍ଣାଟକ, କେରଳ ଓ ପୁଡ୍ଡୁଚେରୀ ମୁଖ୍ୟମନ୍ତ୍ରୀ ଅନୁପସ୍ଥିତ ଥିଲେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ବୈଠକରୁ ଦୂରେଇ ରହିଲେ। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବି ବୈଠକରେ ସାମିଲ୍ ହେଲେନି। କିନ୍ତୁ ବୈଠକ ପରେ ଦିଲ୍ଲୀ ପହଞ୍ଚିଥିଲେ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା କହିଛନ୍ତି, ତାଙ୍କ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ବ୍ୟସ୍ତ ଥିବାରୁ ସେ ସାମିଲ୍ ହୋଇପାରିଲେନି। ସେ ନିଜର ଅଭିଭାଷଣ ପଠାଇଥିଲେ। କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ନିଜ ବଦଳରେ ରାଜ୍ୟର ଅର୍ଥମନ୍ତ୍ରୀ ଏନ.ବାଳଗୋପାଳଙ୍କୁ ପଠାଇଥିଲେ। ଗଲା ବର୍ଷ ବି ଦିଲ୍ଲୀରେ ବସିଥିବା ନୀତି ଆୟୋଗ ବୈଠକକୁ ଯାଇନଥିଲେ ପିନାରାୟୀ। ପୁଡ୍ଡୁଚେରୀ ମୁଖ୍ୟମନ୍ତ୍ରୀ ଏନ.ରଙ୍ଗାସ୍ୱାମୀ ବି ବୈଠକକୁ ଆସିଲେନି। ଏହି ବୈଠକରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାମିଲ୍ ହୋଇଥିଲେ। ମହାରାଷ୍ଟ୍ର କଂଗ୍ରେସ କହିଛି, ପୂର୍ବରୁ ଯୋଜନା କମିଶନ ଥିଲା। ଏବେ ନୀତି ଆୟୋଗ ଆଳରେ ରାଜ୍ୟର ବିଭିନ୍ନ ଦାବିକୁ ଅଣଦେଖା କରାଯାଉଛି। ଭ୍ରଷ୍ଟାଚାର ମାମଲାରେ ସିଏଜି ଓ ନୀତି ଆୟୋଗ ରିପୋର୍ଟରେ ମୁହଁ ବନ୍ଦ ରହୁଛି। ଓଡ଼ିଶା କଂଗ୍ରେସ କହିଛି, ରାଜ୍ୟକୁ ତୁରନ୍ତ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦେବାକୁ ଓଡ଼ିଶା ସରକାର ଦାବି ରଖିବା ଦରକାର। ରେଳବାଇ କ୍ଷେତ୍ରରେ ଓଡ଼ିଶା ସବୁବେଳେ ଅବହେଳାର ଶୀକାର ହେଉଛି। ଖଣି ଦୁର୍ନୀତିକୁ ସୁଧାରିବାକୁ ନୀତିରେ ସଂଶୋଧନ ଜରୁରୀ। ଡବଲ ଇଞ୍ଜିନ ସରକାରର ଡ୍ରାମା ପ୍ରବଳ, କିନ୍ତୁ କାମ ଦୁର୍ବଳ। ମୋହନ ସରକାର କେବଳ ରଙ୍ଗ ବଦଳାଇବାରେ ଲାଗିଛନ୍ତି। ସରକାର କେନ୍ଦ୍ର ପାଖରେ ନ୍ୟାଯ୍ୟ ଦାବି ରଖିପାରୁନାହାନ୍ତି। ବିଜେଡି କହିଛି, କେନ୍ଦ୍ର ସରକାର ସବୁବେଳେ ଓଡ଼ିଶାକୁ ପାତରଅନ୍ତର କରୁଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ଅବଦାନ ତୁଳନାରେ ଅନୁଦାନ ମିଳୁନଥିବା ନେଇ ବାରମ୍ୱାର ଆପତ୍ତି କରିଥିଲେ। ଗ୍ରାମାଞ୍ଚଳ ଭିତ୍ତିଭୂମି ସୁଦୃଢ଼ୀକରଣ, ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟ ସମେତ ବ୍ୟାଙ୍କିଂ, ନେଟଓ୍ୱର୍କ ଓ ଫୋକସ ରାଜ୍ୟର ମାନ୍ୟତା ଲାଗି ସରକାର କେନ୍ଦ୍ର ପାଖରେ ଦୃଢ଼ ଉପସ୍ଥାପନା କରିବା ଜରୁରୀ।ନୀତି ଆୟୋଗ ବୈଠକରେ ୨୦୪୭ ରୋଡମ୍ୟାପ୍ ପ୍ରସ୍ତୁତ ହୋଇଛି। ବିଭିନ୍ନ ରାଜ୍ୟର ହକ୍ ଦାବି ଉପରେ ବିଚାରବିମର୍ଶ ହୋଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *