ମୋଦି ସରକାରରେ ଭାରତର କାହାଣୀ ବଦଳିଛି- ସମ୍ବିତ ପାତ୍ର

Spread the love

ଭଦ୍ରକ : ମୋଦି ସରକାରଙ୍କ ୯ ବର୍ଷ ଶାସନ କାଳରେ ଭାରତର କାହାଣୀ ବଦଳିଛି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ରେଳପଥ, ଆକାଶପଥ, ଜାତୀୟ ରାଜପଥ, ମିଶନ ଶକ୍ତି ସବୁ କ୍ଷେତ୍ରରେ ବିକାଶ ହୋଇଛି । ମୋଦି ସରକାରଙ୍କ ସଫଳତାକୁ ନେଇ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଷ୍ଟ୍ରୀୟ ପ୍ରବକ୍ତା ଡ. ସମ୍ବିତ ପାତ୍ର କେନ୍ଦ୍ର ସରକାରଙ୍କ ଜନହିତକର ଯୋଜନା ବିଷୟରେ କହିଥିଲେ । ଜିଲା ସଂସ୍କୃତି ଭବନରେ ଅନୁଷ୍ଠିତ ସମ୍ମିଳନୀକୁ ସମ୍ବୋଧିତ କରି ୮୦ କୋଟି ଭାରତୀୟଙ୍କୁ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଖାଦ୍ୟ ଯୋଗାଇ ଦିଆଯାଉଛି । ଦେଶରେ ୩ କୋଟି ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦିଆଯାଇଥିବାବେଳେ ଓଡ଼ିଶାର ୨୭ ଲକ୍ଷ ଲୋକଙ୍କୁ ଦିଆଯାଇଛି ବୋଲି ସେ କହିଥିଲେ । କିଶାନ ସମୃଦ୍ଧ ଯୋଜନାରେ ୧୨ କୋଟି କୃଷକଙ୍କୁ ସହାୟତା ପ୍ରଦାନ କରାଯାଇଛି । ୧୫ଟି ନୂତନ ଏମ୍ସ ଓ ୨୨୫ ଟି ମେଡିକାଲ କଲେଜ ପ୍ରତିଷ୍ଠା କରାଯାଇଛି । କୋଭିଡ୍ ସମୟରେ ୧୩୫ କୋଟି ଲୋକଙ୍କୁ ଭ୍ୟାକସିନ୍ ଦିଆଯାଇଛି । ୨୦୧୪ ପୂର୍ବରୁ ୭୪ ବିମାନ ବନ୍ଦର ଥିବାବେଳେ ୧୪୮ କୁ ବୃଦ୍ଧି ହୋଇଛି । ଏକଲକ୍ଷ ମହିଳାଙ୍କୁ ଉଜ୍ଜ୍ୱଳା ଯୋଜନାରେ ସାମିଲ କରାଯାଇଛି । ମିଶନଶକ୍ତି କ୍ଷେତ୍ରରେ ମହିଳା ସଶକ୍ତିକରଣ ପାଇଁ ୪୦୪୦ କୋଟି ଟଙ୍କା ଅନୁଦାନ ଦିଆଯାଇଛି ବୋଲି କହିଥିଲେ । ଏବଂ ବୟନଶିଳ୍ପ ପାର୍କ ଅଞ୍ଚଳରେ ହୋଇଥିବା ପାଚେରୀ, ରାସ୍ତା ନିର୍ମାଣ ଓ ଅନ୍ୟ ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିବା ସହ ତ୍ୱରିତ ଗତିରେ କାର୍ଯ୍ୟ କରାଯାଇ ସ୍ଥାନୀୟ ଅଞ୍ଚଳର ବିକାଶ ଓ ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି କରାଯାଇପାରିବ ବୋଲି ଖବରଦାତା ସମ୍ମିଳନୀରେ ପ୍ରକାଶ କରିଥିଲେ । ଏହି ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବରିଷ୍ଠ ନେତା ସଜ୍ଜନ ଶର୍ମା, ରାଜ୍ୟ ସଂପାଦକ ଅଭିମନ୍ୟୁ ସେଠୀ, ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡା. ପ୍ରଦୀପ କୁମାର ନାୟକ, ଜିଲା ସଭାପତି ହେମନ୍ତ କୁମା ରପାଢୀ, ଲୋକସଭା ପ୍ରଭାରୀ ଚନ୍ଦ୍ରଶେଖର ନନ୍ଦ, ବଦ୍ରୀ ନାରାୟଣ ଧଳ, ପଦ୍ମଲୋଚନ ପଣ୍ଡା, ମନସ୍ମିତା ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ । ମିଡିଆ ସେଲ୍ ସଂଯୋଜକ ବୈକୁଣ୍ଠନାଥ ସାହୁ, ପ୍ରକାଶ ମହାପାତ୍ର ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *