ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ଜନସାଧାରଣଙ୍କ ଅଧିକାର: ବିଶ୍ୱଭୂଷଣ

Spread the love

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନରେ ପୂର୍ବତନ ମନ୍ତ୍ରୀ ତଥା ସମାଜବାଦୀ ନେତା ସ୍ୱର୍ଗତ ପ୍ରଦୀପ୍ତ କିଶୋରା ଦାସଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ୍ତ କିଶୋର ଦାସଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହିତ ତାଙ୍କର ସମାଜସେବା, ନେତୃତ୍ୱ ଓ ନିଷ୍ଠାପରତା ଉପରେ ଉଦ୍‌ବୋଧନ ଦେଇଥିଲେ ।

ସ୍ୱର୍ଗତ ଦାସଙ୍କୁ ରାଜ୍ୟପାଳ ଜଣେ ସଚ୍ଚୋଟ ଓ ଦୁର୍ନୀତିମୁକ୍ତ ନେତା ଭାବରେ ବର୍ଣ୍ଣନା କରିଥିଲେ । ସ୍ୱର୍ଗତ ଦାସ ଜଣେ ସ୍ୱଚ୍ଛତା ସଂପୂର୍ଣ୍ଣ ମନ୍ତ୍ରୀ ଥିଲେ । ଆଇନ ଓ ନୀତିଗତ କାର୍ଯ୍ୟଧାରାକୁ ସମ୍ମାନ ଦେବା ସହିତ ତାହା ସେ କାର୍ଯ୍ୟରେ ପରିଣତ କରୁଥିଲେ । କୃଷି ଓ କୃଷକଙ୍କର ଉନ୍ନତି ଓ ସୁରକ୍ଷା ପାଇଁ ସେ ସବୁବେଳେ ଚିନ୍ତା କରୁଥିଲେ । ଓଡ଼ିଶା ଲୋକଙ୍କ ସେବା ଓ ସମାଜସେବାକୁ ସେ ପ୍ରାଧାନ୍ୟ ଦେଉଥିଲେ ବୋଲି ରାଜ୍ୟପାଳ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ରାଜ୍ୟପାଳ ଗଣତନ୍ତ୍ରକୁ ହତ୍ୟା କରି ଯେଉଁଭଳି ଭାରତ ବର୍ଷରେ ଜରୁରୀ ପରିସ୍ଥିତି ଜାରି ହୋଇଥିଲା ତାହା ବର୍ଣ୍ଣନା କରିଥିଲେ । ଗଣତନ୍ତ୍ରକୁ ସୁରକ୍ଷା ପାଇଁ ଲୋକନାୟକ ଜୟପ୍ରକାଶ ନାରାୟଣ ସଂପୂର୍ଣ୍ଣକ୍ରାନ୍ତି ଆନ୍ଦୋଳନ କରିଥିଲେ ପରେ ଏହି ଆନ୍ଦୋଳନ ଗଣତନ୍ତ୍ରର ସୁରକ୍ଷା ଆନ୍ଦୋଳନରେ ପରିଣତ ହୋଇଥିଲା । ଏହା ଆନ୍ଦୋଳନରେ ଗଣତନ୍ତ୍ରକୁ ସୁରକ୍ଷା ଦେବାକୁ ଭାରତ ବର୍ଷର ହଜାର ହଜାର ବୁଦ୍ଧିଜୀବି, ଓକିଲ, ଛାତ୍ର, ନେତା ଆଦି ପ୍ରତ୍ୟେକ ବର୍ଗର ଲୋକ ସାମିଲ୍ ହୋଇଥିଲେ । ଗଣତନ୍ତ୍ରକୁ ସୁରକ୍ଷା ଦେବା ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ । ଦୁର୍ନୀତି, ଭ୍ରଷ୍ଟାଚାର ବିରୋଧରେ ଲଢ଼େଇ କରି ଏକ ସୁସ୍ଥ ସୁନ୍ଦର ଦେଶ ଗଠନ କରିବା ପ୍ରତ୍ୟେକ ନାଗରିକଙ୍କର ଧ୍ୟେୟ ହେଉ । ଉପଯୁକ୍ତ ଲୋକଙ୍କୁ ରାଜ୍ୟ ବା ଦେଶର ଶାସନର ଦାୟିତ୍ୱ ଦେବା ଉଚିତ । ଏଥିପାଇଁ ପ୍ରତ୍ୟେକ ଜନସାଧାରଣ ସଚେତନ ହୁଅନ୍ତୁ । ସ୍ୱଚ୍ଛ ଓ ଦୁର୍ନୀତି ମୁକ୍ତ ଶାସନ ଜନସାଧାରଣଙ୍କର ଅଧିକାର । ଏଥିପାଇଁ ଆଜିର ସମୟରେ କୌଣସି ବ୍ୟକ୍ତି ଦୁର୍ନୀତି ବିରୋଧରେ ଲଢ଼େଇ କରୁନାହାନ୍ତି ବୋଲି ରାଜ୍ୟପାଳ ଉକ୍ତ କ୍ଷୋଭ ପ୍ରକାଶ କରିଥିଲେ । ଅନ୍ୟାୟ, ଅନୀତି, ଅତ୍ୟାଚାର ବିରୋଧରେ ବୁଦ୍ଧିଜିବୀମାନେ ସ୍ୱର ଉତୋଳନ କରିବାକୁ ରାଜ୍ୟପାଳ ଆହ୍ୱାନ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ସମେତ ସମ୍ବାଦର ସଂପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ପ୍ରଦପ୍ତ କିଶୋର ଦାସଙ୍କ ବିଷୟରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ବିଜୟାନ୍ଦ ସିଂହ ତାଙ୍କ ବିଷୟରେ ସମ୍ୟକ ଆଲୋଚନା କରିଥିଲା ବେଳେ ଅନୁଷ୍ଠାନର ସଭାପତି କାର୍ତିକ ଚନ୍ଦ୍ର ବରାଳ ସଭାର ସଭାପତିତ୍ୱ କରିଥିଲେ । ସେହିପରି ବିଶିଷ୍ଟ ସାହିତ୍ୟିକ ଡ. ବିଭୂତି ପଟ୍ଟନାୟକ ଓ ବରିଷ୍ଠ ସମାଜବାଦୀ ନେତା କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ‘ପ୍ରଦୀପ୍ତ କିଶୋର ଦାସ ଜନ୍ମ ଶତବାର୍ଷିକୀ ସମ୍ମାନ’ ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *