ଉପରାଷ୍ଟ୍ରପତି ଭୋଟିଂ : ରାଧାକ୍ରିଷ୍ଣନ ବନାମ ସୁଦର୍ଶନ

ଉପରାଷ୍ଟ୍ରପତି ନିର୍ବାଚନ ଲାଗି ଆଜି ସକାଳ ୧୦ଟାରୁ ଆରମ୍ଭ ହୋଇଥିଲା ଭୋଟିଂ।  ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ଓ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ ବି ସୁଦର୍ଶନ ରେଡ୍ଡୀଙ୍କ ଭିତରେ ହୋଇଛି ଟକ୍କର। ନମ୍ୱର ଗେମ୍ ଦେଖିଲେ ଯଦିଓ ଏନଡିଏ ପ୍ରାର୍ଥୀଙ୍କ ସପକ୍ଷରେ ଆବଶ୍ୟକୀୟ ସଂଖ୍ୟା ଅଛି। କିନ୍ତୁ ବିବେକାନୁମୋଦିତ ଭୋଟ ଉପରେ ଇଣ୍ଡିଆ ମେଣ୍ଟର ଭରସା ଥିଲା। ଭୋଟିଂରୁ ବିଜେଡି, ବିଆରଏସ ଓ ଅକାଳି ଦଳ ବିରତ ରହିଛି। ଏହି ୩ ଦଳ ପାଖରେ ମୋଟ୍ ୧୪ ସାଂସଦ ଅଛନ୍ତି। ସେଥିଲାଗି ୭୬୭ ସାଂସଦ ଭୋଟ୍ ଦେଇଛନ୍ତି। ଆଉ ଜିତିବାକୁ ୩୮୪ ସାଂସଦଙ୍କ ସମର୍ଥନ ଜରୁରୀ। ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ କହିଥିଲେ, ଜାତୀୟତା ଜିତିବ। ବିକଶିତ ଭାରତ ଲାଗି ସମସ୍ତେ ଏକଜୁଟ୍ ଅଛୁ। ଆଉ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ ସୁଦର୍ଶନ କହିଛନ୍ତି, ସେ ଦେଶର ଅନ୍ତରାତ୍ମା ଉଦ୍ଦେଶ୍ୟରେ ବାର୍ତ୍ତା ଦେଇସାରିଛନ୍ତି। ସିଭିଲ ସିଟିଜେନ୍ ସକରାତ୍ମକ ସଙ୍କେତ ଦେଇଛନ୍ତି। ସେ କେବେ ବି କ୍ରସଭୋଟିଂର କଥା କହିନାହାନ୍ତି। ପ୍ରଥମ ମତଦାତା ଭାବେ ପ୍ରଧାନମନ୍ତ୍ରୀ ମୋଦି ଭୋଟ୍ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଭୋଟ୍ ଦେବା ସମୟରେ ତାଙ୍କ ସହ ସଂସଦୀୟ ମନ୍ତ୍ରୀ କିରଣ ରିଜ୍ଜୁ, ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘାଓ୍ୱାଲ, ପିଏମଓ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡ଼ୁ ଉପସ୍ଥିତ ଥିଲେ। ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ସୁଦର୍ଶନ ରେଡ୍ଡୀଙ୍କର ଜିତିବାର ସମସ୍ତ ସମ୍ଭାବନା ରହିଛି। ସମସ୍ତେ ମିଳିମିଶି ଜିତାଇବାକୁ ଚେଷ୍ଟା ଜାରି ରହିଛି। ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଭୋଟ୍ ଦେଇଛନ୍ତି। ଅଖିଳେଶ ଯାଦବ କହିଛନ୍ତି, ବିଜେପିର ଏହା ନିୟମ ଯେ- ଆଗ ବ୍ୟବହାର କର, ପରେ ବର୍ବାଦ କର। ଜିତାପଟ୍ଟ ବିରୋଧୀ ମେଣ୍ଟ ପକ୍ଷରେ ଆସିବ। ସିପି ରାଧାକ୍ରିଷ୍ଣନଙ୍କ ଲାଗି ଟିଡିପିର ରାମମୋହନ ନାଇଡ଼ୁ ଓ ଜେଡିୟୁର ସଞ୍ଜୟ କୁମାର ଝା ପୋଲିଂ ଏଜେଣ୍ଟ ସାଜିଥିଲେ। କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି, ବିପକ୍ଷ ପ୍ରାର୍ଥୀଙ୍କ ହାର ନିଶ୍ଚିତ। ବିବେକାନୁମୋଦିତ ଭୋଟ୍ କିଏ କାହିଁକି ଦେବ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀଙ୍କୁ। ଯିଏ ଭ୍ରଷ୍ଟ, ଯିଏ ସାଂସଦ ବି ନୁହଁନ୍ତି, ଲାଲୁଙ୍କ ଭଳି ନେତାଙ୍କୁ ଭେଟି କେମିତି ନୈତିକତାର କଥା କହି ଅନ୍ତରଆତ୍ମା କଥା କହୁଛନ୍ତି। ଏନଡିଏ ପ୍ରାର୍ଥୀଙ୍କ ଜୀବନ ଉପଲବ୍ଧିରେ ଭରା। ବାଲାଟ ପେପରରେ ଗୁପ୍ତ ମତଦାନ ହୋଇଛି। ମତଦାନ ସଂଧ୍ୟା ୫ଟା ଯାଏ ଚାଲିବ। ସଂଧ୍ୟା ୬ରେ ଗଣନା ହୋଇ ରେଜଲ୍ଟ ବାହାରିବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *