କଳା ପୋଷାକ ପିନ୍ଧିଲେ ଏହାକୁ ପ୍ରତିବାଦର ଏକ ପ୍ରତୀକାତ୍ମକ ଚିତ୍ର ବୋଲି ପରିଗଣିତ ହୋଇଆସୁଛି। ଆଉ ଏବେ ଏହି କଳା ପୋଷାକକୁ ନେଇ ତେଜିଲାଣି ରାଜନୀତି। ଏହାକୁ ବ୍ଲାକ୍ ମ୍ୟାଜିକ୍ ବା କଳାଜାଦୁ ବୋଲି ଅଭିହିତ କରି ପ୍ରଧାନମନ୍ତ୍ରୀ ବିରୋଧୀଙ୍କୁ ଶାଣିତ ଆକ୍ରମଣ ପରେ ଘମାସାନ ହେଲାଣି ଦେଶର ପଲିଟିକ୍ସ। ଦେଶରେ ଘଟୁଥିବା ନାନା କଳା କାରନାମାକୁ ଲୁଚାଇବାକୁ ସର୍ବଦା ଅପପ୍ରୟାସ କରୁଥିବା ମୋଦି ପ୍ରଧାନମନ୍ତ୍ରୀ ପଦର ଗାରିମାକୁ ନଷ୍ଟ କରୁଥିବାର ପାଲଟା ଆରୋପ ଲଦିଛନ୍ତି ରାହୁଲ ଗାନ୍ଧୀ। ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସ ନେତା କଳା ପୋଷାକ ପିନ୍ଧି ଆନ୍ଦୋଳନ କରିଥିଲେ। ସଡ଼କରୁ ନେଇ ସଂସଦ। ଦରବୃଦ୍ଧିକୁ ନେଇ କଂଗ୍ରେସ ନେତା ସୋନିଆ ଗାନ୍ଧୀ, ରାହୁଲ, ପ୍ରିୟଙ୍କାଙ୍କ ସମେତ ଅନେତ ତୁଙ୍ଗ ନେତା କଳା ପୋଷାକ ପିନ୍ଧିଥିଲେ। ଦରବୃଦ୍ଧି, କିଛି ନିର୍ଦ୍ଦିଷ୍ଟ ସାମଗ୍ରୀ ଉପରେ ଜିଏସଟି ବୃଦ୍ଧି ଓ ବେକାରୀ ସମସ୍ୟାକୁ ନେଇ ଏହି ଆନ୍ଦୋଳନ ହୋଇଥିଲା।
ଦେଶବ୍ୟାପୀ ଦରବୃଦ୍ଧି ପ୍ରତିବାଦ କରି ସରକାରଙ୍କୁ ଏକ ପ୍ରକାର ଅକଳରେ କଂଗ୍ରେସ ପକାଇଦେଇଥିଲା କହିଲେ ଭୁଲ୍ ହେବନି। ରାହୁଲ, ପ୍ରିୟଙ୍କାଙ୍କ ସମେତ ଅନେକ ତୁଙ୍ଗ ନେତାଙ୍କୁ ବି ପୁଲିସ ଗିରଫ କରିଥିଲା। ଶୁଣନ୍ତୁ ସେ ଦିନ କଅଣ କହିଥିଲେ କଂଗ୍ରେସ ନେତାଏ। ସେପଟେ ଦେଶବାସୀଙ୍କ ସ୍ୱାର୍ଥରେ ନୁହେଁ। ବରଂ ନିଜର ରାଜନୈତିକ ପତିଆରା ଓ ପ୍ରଭାବ ଦେଖାଇବାକୁ ଯାଇ ଏଭଳି ପରିଧାନ କରିଛି କଂଗ୍ରେସ ବୋଲି ଅନେକ ଶାସକ ଦଳର ନେତା କାଉଣ୍ଟର କରିଥିଲେ। କାରଣ ସଂସଦରେ ସରକାର ଆଲୋଚନା ଲାଗି ପ୍ରସ୍ତୁତ ବୋଲି କହିବା ସତ୍ତ୍ୱେ, କୋଭିଡ୍ ପାଇଁ ଅର୍ଥମନ୍ତ୍ରୀ ସଂସଦକୁ ଆସିପାରିନଥିବାରୁ ଏହା ଉପରେ ଆଲୋଚନା ହୋଇପାରିନଥିଲା ବୋଲି ଯେତେ ବୁଝାଇଲେ ବି ବିରୋଧୀ ଜାଣିଶୁଣି ଗୃହକୁ ଅଚଳ କରିଦେବାର ମାନସିକତାର ଏହା ପ୍ରତିଫଳନ ବୋଲି କହିଥିଲା ବିଜେପି। କାରଣ ଅର୍ଥମନ୍ତ୍ରୀ ଗୃହରେ ସେତେବେଳକୁ ଉତ୍ତର ରଖିସାରିଥିଲେ। ତା ସତ୍ତ୍ୱେ ବ୍ଲାକ୍ ଫ୍ରାଇଡେ ନାଁରେ କଂଗ୍ରେସର ଏଭଳି ଦେଶତମାମ ପ୍ରତିବାଦ କାହିଁକି, ଜନତା ଦେଖୁଛି ଓ ବୁଝୁଛି।
ସଂସଦ ସରିଗଲାଣି। ଦରବୃଦ୍ଧିକୁ ନେଇ ଗୃହରେ ଶେଷରେ ଆଲୋଚନା ବି ହୋଇଛି। ହେଲେ କଳା ପୋଷାକ ପରିଧାନ କରି ସେ ଦିନ ହଙ୍ଗାମା କରିଥିବା ବିରୋଧୀ କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। କିଛି ଲୋକ କଳାଜାଦୁରେ ବିଶ୍ୱାସ କରୁଛନ୍ତି ବୋଲି କହିଛନ୍ତି ମୋଦି। ଏହା ସେମାନଙ୍କ ହତାଶାଭାବ ଓ ନକରାତ୍ମକ ଭାବନାରେ ବୁଡ଼ି ରହିଥିବା କଥାକୁ ଦର୍ଶାଇଛି। ଏଭଳି ବ୍ଲାକ୍ ମ୍ୟାଜିକ ଦ୍ୱାରା ସେମାନେ କେବେ ବି ଲୋକଙ୍କ ବିଶ୍ୱାସ ଜିତିପାରିବେନି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। କଳା ପୋଷାକ ପିନ୍ଧିଲେ ଖରାପ ସମୟ ଶେଷ ହୋଇଯିବ ବୋଲି ଯଦି ଭାବୁଛନ୍ତି, ତେବେ ଭ୍ରମରେ ଅଛନ୍ତି। ସେପଟେ ମୋଦିଙ୍କ ଏହି ଶାଣିତ ଆକ୍ରମଣର ଜବାବ ରଖିଛନ୍ତି ରାହୁଲ ଗାନ୍ଧୀ। ପ୍ରଧାନମନ୍ତ୍ରୀଙ୍କୁ ନା ଦରବୃଦ୍ଧିରେ ଅତିଷ୍ଠ ଜନତାର ଦୁର୍ଦ୍ଦଶା ଦେଖାଯାଉଛି ନା ରୋଜଗାର ନ ପାଇ ଯୁବବର୍ଗଙ୍କ ହତାଶାଭାବକୁ ଦେଖାଯାଉଛି। ନିଜର କଳା କାରନାମାକୁ ଲୁଚାଇବାକୁ କଳା ଜାଦୁ ଭଳି ଅନ୍ଧବିଶ୍ୱାସ କଥା କହୁଛନ୍ତି ମୋଦି।
ଯାହାକି ପ୍ରଧାନମନ୍ତ୍ରୀ ପଦର ଗାରିମାକୁ ତଳେ ପକାଉଛି। ଦେଶକୁ ଭ୍ରମିତ କରିବା ବନ୍ଦ କରନ୍ତୁ ପ୍ରଧାନମନ୍ତ୍ରୀ। ଜନତାର ସ୍ୱାର୍ଥ ସମ୍ୱଳିତ ପ୍ରସଙ୍ଗ ଉପରେ ଜବାବ ଦେବାକୁ ପଡ଼ିବ। କଳା ପୋଷାକ ପ୍ରତିବାଦର ପ୍ରତୀକ। ନା କଳା ପୋଷାକ ଅନ୍ଧବିଶ୍ୱାସର ପ୍ରତୀକ। ମୋଦିଙ୍କ ଟାର୍ଗେଟ ପରେ କଂଗ୍ରେସର କାଉଣ୍ଟରକୁ ନେଇ ଏବେ ସବୁଆଡ଼େ ବ୍ଲାକ୍ ଡ୍ରେସରେ ଏମିତି କି ବ୍ଲାକ୍ ମ୍ୟାଜିକ୍ ଅଛି, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।
- ପ୍ରଦୀପ ନାୟକଙ୍କ ରିପୋର୍ଟ

Naxatra News is now on Whatsapp
Join and get latest news update delivered to you via whatsapp
Join Now