୨୫ ବର୍ଷରେ ବିଜେଡି ଯାହା କରିନାହିଁ,ଆଗାମୀ ୫ ବର୍ଷ ବିଜେପି ସରକାରରେ ଅଧିକ ବିକାଶ ହେବ : ମନମୋହନ ସାମଲ

Spread the love

ଭୁବନେଶ୍ୱର : ଚଳିତ ମାସ ୬,୭ ଓ ୮ ତାରିଖ ଦିନ ଆସାମର ଗୈାହାଟୀଠାରେ ବିଜେପିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ସାଧାରଣ ସଂପାଦକ ମାନସ କୁମାର ମହାନ୍ତି, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ଶ୍ରୀମତୀ ଡି.ପୁରନ୍ଦେଶ୍ୱରୀ ଏବଂ ରାଜ୍ୟ ସହ ପ୍ରଭାରୀ ବିଜୟ ପାଲ୍ ସିଂହ ତୋମାର ପ୍ରମୁଖ ଯୋଗ ଦେବେ ।

ଅଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ପାର୍ଟୀର ସାଂଗଠନିକ କାର୍ଯ୍ୟ ଏବଂ ନିର୍ବାଚନ ରଣନୀତି ସଂପର୍କରେ ଏହି ବୈଠକରେ ବିସ୍ତୃତ ଆଲୋଚନା ହେବ । ଏଥି ସହ ରାଜ୍ୟର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି, ଶାସକ ବିଜୁ ଜନତା ଦଳ ଦ୍ୱାରା ଗଣତନ୍ତ୍ରକୁ ହତ୍ୟା କରାଯିବାର ପ୍ରଚେଷ୍ଟା, ବିଭିନ୍ନ କେନ୍ଦ୍ରୀୟ ଯୋଜନାକୁ ଚଞ୍ଚକତା କରାଯାଇ ରାଜ୍ୟ ସରକାର ନିଜସ୍ୱ ଯୋଜନାରେ ରୁପାନ୍ତରିତ କରିବାର ହୀନ ପ୍ରୟାସ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି, କେନ୍ଦ୍ରରୁ ଆସୁଥିବା ଟଙ୍କାକୁ ହଡପ୍ କରିବା ଆଦି ପ୍ରସଙ୍ଗକୁ ମଧ୍ୟ ବିସ୍ତୃତ ଭାବେ କେନ୍ଦ୍ରୀୟ ନେତୃମଣ୍ଡଳୀଙ୍କ ସହ ଆଲୋଚନା କରାଯିବ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି ।

ସେ କହିଛନ୍ତି କେନ୍ଦ୍ରରେ ତୃତୀୟ ଥର ଭାରତୀୟ ଜନତା ପାର୍ଟୀର ସରକାର ହେଉଛି । ଓଡିଶାରେ କେମିତି ବିଜେପି ସରକାର ଗଠନ କରିବ, ତାହା ଆମମାନଙ୍କର ମୁଳ ଲକ୍ଷ୍ୟ । ଡବଲ ଇଞ୍ଜିନ ସରକାର ହେଲେ ହିଁ ଓଡିଶାର ବିକାଶ କାର୍ଯ୍ୟ ଆହୁରି ତ୍ୱରାନ୍ୱିତ ହୋଇପାରିବ । ପ୍ରାକୃତିକ ସମ୍ପଦ ଏବଂ ଅପାର ସମ୍ଭାବନାର ରାଜ୍ୟ ହେଉଛି ଓଡିଶା । ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ରାଜ୍ୟକୁ ପ୍ରଚୁର ମାତ୍ରାରେ ଆର୍ଥିକ ଅନୁଦାନ ଆସୁଛି । ରାଜ୍ୟ ସରକାର ମାଗିବା ପୁର୍ବରୁ ମୋଦି ସରକାର ଟଙ୍କା ଦେଉଛନ୍ତି । କିନ୍ତୁ ବିଜେଡି ସରକାରର ଅପାରଗତା କାରଣରୁ କେନ୍ଦ୍ରରୁ ଆସୁଥିବା ଟଙ୍କା ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ କି ବିକାଶ କାର୍ଯ୍ୟ ମଧ୍ୟ ସଠିକ ଭାବେ ହୋଇପାରୁନାହିଁ । ବ୍ୟାପକ ଦୁର୍ନୀତି ଓ ଘୋଟାଲା ବିକାଶର ବାଧକ ସାଜିଛି । ସାଢେ ଚାରିକୋଟି ଓଡିଆ ଲୋକଙ୍କ ବିଶ୍ୱାସ ସହ ଖେଳିବାର କାହାର ଅଧିକାର ନାହିଁ । ରାଜ୍ୟରେ ଜାରୀ ରହିଥିବା ସାଂପ୍ରତିକ ରାଜନୈତିକ ପରିସ୍ଥତିକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ହେଉଛି ଯେ, ରାଜ୍ୟରେ ଶାସନ ବ୍ୟବସ୍ଥା ଠିକ ଚାଲିନାହିଁ । ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ରାଜ୍ୟବାସୀଙ୍କ ମନରେ ଅନେକ ପ୍ରଶ୍ୱବାଚୀ ସୃଷ୍ଟି ହୋଇଛି ! ଏଠି ଏକ କାମଚଳା ସରକାର ଚାଲିଛି ଯାହା ଚାଲିବା ଉଚିତ୍ ନୁହେଁ । ସାଢେ ଚାରି କୋଟି ଓଡିଶାବାସିଙ୍କ ଭାଗ୍ୟ ସହ ଖେଳିବାର ଅଧିକାର କାହାର ନାହିଁ । ବିଜୁ ଜନତା ଦଳର ୨୫ ବର୍ଷର ନିରୁଙ୍କଶ ଶାସନ ପରେ ମଧ୍ୟ ଓଡିଶାର କୈାଣସି ପରିବର୍ତନ ହୋଇନାହିଁ । ଗତ ୨୫ ବର୍ଷରେ ବିଜେଡି ଯାହା କରିନାହିଁ, ୫ ବର୍ଷ ବିଜେପି ସରକାରରେ ତାହାଠାରୁ ଅଧିକ ହେବ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।

Leave a Reply

Your email address will not be published. Required fields are marked *