ବିନା ନୀତିଶରେ ବିହାର ରାଜନୀତି ଅସମ୍ଭବ

Spread the love

ପାଟଣା: ବିନା ନୀତିଶରେ ବିହାର ରାଜନୀତିରେ ଆଉ କିଏ ନେତୃତ୍ୱ ନେବା ସମ୍ଭବ କି। ପାଖରେ ସଂଖ୍ୟା ଥାଉ ବା ନ ଥାଉ। ଫ୍ରଣ୍ଟଫୁଟ୍ ହେଉ ଅବା ବ୍ୟାକଡୋର୍‌ରେ ସବୁବେଳେ ସିଏମ ଚୌକି ଯେମିତି ନୀତିଶଙ୍କ ଲାଗି ଥୁଆ। ନୀତିଶ ଏମିତିରେ ୟୁ-ଟର୍ଣ୍ଣ ନେବାରେ ମାହିର। ଏ କଥା କାହାରିକୁ ଅଛପା ନୁହେଁ। ତା ସତ୍ତ୍ୱେ ତାଙ୍କ ଉପରେ ସମସ୍ତଙ୍କର ଭରସା କାହିଁକି। କେତେବେଳେ କାହା ହାତ ଛାଡ଼ିବେ ଆଉ କାହା ହାତ ଧରିବେ, ଏ କଥାର ଆକଳନ ଅନେକ ଥର ଆରମ୍ଭ ହୁଏ। ଜଣକ ହାତ ଛାଡ଼ି ଆଉ ଜଣକ ହାତ ଧରି କ୍ଷମତା ଚୌକିରେ ବସିବାରେ ମାହିର୍ ନୀତିଶ। କିଏ ନୀତିଶଙ୍କୁ ବିଶ୍ୱାସଘାତକ କୁହେ ତ କିଏ କୁହେ ନୀତିଶ ବିଲକୁଲ ଭରସାଯୋଗ୍ୟ ନୁହଁନ୍ତି। ହେଲେ କ୍ଷମତାକୁ ଆସିବା ବେଳକୁ ଏହି ବିଶ୍ୱାସଘାତକ ବ୍ୟକ୍ତିଟିର ବେଶ୍ ଲୋଡ଼ା ପଡ଼େ। ସତେ ଯେମିତି ନୀତିଶଙ୍କ ବିନା ବିହାର କ୍ଷମତା ଗାଦି ଭାବିବା ହିଁ ଭୁଲ୍। ସେଥିଲାଗି ତ ମହାଗଠବନ୍ଧନରୁ ଏନଡିଏ ସହ ମେଣ୍ଟ ଯାଏ। ହାତ ଛାଡ଼ିବା, ପଦ୍ମ କ୍ୟାମ୍ପ ସହ ହାତ ମିଳାଇ ସରକାର ଗଢ଼ିବା। ପୁଣି ପଦ୍ମକୁ ଟାଟା ବାଏ ବାଏ କରି ପୁଣି ଆରଜେଡିକୁ ଆଲିଙ୍ଗନ କରିନେବା। ପଟ୍ଟ ପରିବର୍ତ୍ତନ ଓ ସାଥୀ ବଦଳାଇବାରେ ମାହିର ନୀତିଶ। ରାଜନୀତିରେ କେତେବେଳେ କାହା ରଙ୍ଗରେ ରଙ୍ଗାୟିତ ହେବେ ଏ କଥା କାହାରିକୁ ଜଣା ନଥାଏ। କିନ୍ତୁ ରଙ୍ଗ ବଦଳାଇବା ଆଗରୁ କିଛି ଏମିତି ରାଜନୈତିକ ହଟ୍ଟଚମଟ କରିଥାଆନ୍ତି କି, ଏହାର ଆଭାସକୁ ନେଇ ବେଶ୍ ଆଗରୁ ଗଣମାଧ୍ୟମରେ ଆଲୋଚନାକୁ ଖୋରାକ୍ ମିଳିସାରିଥାଏ। ଏଥର ତ ଇଫତାର ପାର୍ଟିରୁ ହିଁ ଏଭଳି ବଦଳିଯିବେ ବୋଲି ସଙ୍କେତ ଦେଇସାରିଥିଲେ। ଏମିତିରେ ସଂଖ୍ୟା ଗଣିତରେ ଜେଡିୟୁ ତୃତୀୟ ସ୍ଥାନରେ ଥାଇ ବି ବିହାର ମୁଖ୍ୟମନ୍ତ୍ରୀ ଗାଦିରେ ନୀତିଶ ବସିବା କିଛି କମ୍ କଥା ନ ଥିଲା। ହେଲେ ନୀତିଶଙ୍କୁ ଚୌକି ଦେଇ ଏହାର ରିମୋଟ୍ କଣ୍ଟ୍ରୋଲ୍ ନିଜ ହାତରେ ରଖିବାକୁ ମନସ୍ଥ କରିଥିଲା ବିଜେପି। ହେଲେ ଏହାର ଆଭାସ ପାଇ ଅସ୍ଥିର ନୀତିଶ ମନେ ମନେ ବୋଧହୁଏ ଆକଳନ କରିସାରିଥିଲେ, ବେଶୀ ଦିନ ତିଷ୍ଠିବନି ମେଣ୍ଟ। କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଆରସିପି ସିଂଙ୍କୁ ମୋଦି ସ୍ଥାନ ଦେଇ ମେଣ୍ଟ ସରକାର ସଶକ୍ତ ଅଛି। ମେଣ୍ଟର ସ୍ଥାୟିତ୍ୱ ନେଇ ଉଠୁଥିବା ଅନେକ ସନ୍ଦେହ, ପ୍ରଶ୍ନକୁ ଦୂରୀଭୂତ କରିବାକୁ ଚେଷ୍ଟା କରିଥିଲେ ମୋଦି ସରକାର। ପୁରା ୫ ବର୍ଷ ମେଣ୍ଟ ସରକାର ଚାଲିବ ବୋଲି ଦମ୍ଭୋକ୍ତି ଓ ଦୃଢ଼ୋକ୍ତି କିନ୍ତୁ କୁଆଡ଼େ ମିଳେଇଗଲା। ଆରସିପି ସିଂ ମୋଦିଙ୍କ ନିକଟତର ହେଉଥିବା ଦେଖି ତାଙ୍କୁ ଆଉଥରେ ରାଜ୍ୟସଭାକୁ ପଠାଇଲେନି ନୀତିଶ। ଆରସିପି ପୁଣି ମନ୍ତ୍ରୀ ହେବାର ସ୍ୱପ୍ନ ଧୂଳିସାତ୍ ହୋଇଯାଇଥିଲା। ଯେମିତି ନୀତିଶ ମୁଖ୍ୟମନ୍ତ୍ରୀ ଥିଲା ବେଳେ ଉପ-ମୁଖ୍ୟମନ୍ତ୍ରୀ ଥିବା ବିଜେପିର ସୁଶୀଲ ମୋଦିଙ୍କୁ ଏହାର ମୂଲ୍ୟ ଭରଣା କରିବାକୁ ପଡ଼ିଥିଲା। ନୀତିଶଙ୍କ ଅତି ନିକଟତର ହେଉଥିବା ଦେଖି ସୁଶୀଲଙ୍କୁ ରାଜ୍ୟ ରାଜନୀତିରୁ ଦୂରେଇ ଦେଇ ରାଜ୍ୟସଭାକୁ ପଠାଇଦେଇଥିଲା ବିଜେପି। ଏନଡିଏ ଛାଡ଼ିଦେଲେ ନୀତିଶ। ଜାତିଭିତ୍ତିକ ଜନଗଣନାକୁ ନେଇ ଆରଜେଡି ସହ ନୀତିଶଙ୍କ ମନ ମିଶିଥିଲା। ଇଫତାର ପାର୍ଟିରୁ ଆରମ୍ଭ ନୀତିଶ-ତେଜସ୍ୱୀ ଭେଟଘାଟରୁ ହିଁ ବିହାର ରାଜନୀତିରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି ବୋଲି ଯାହା ଆକଳନ କରାଯାଉଥିଲା, ଶେଷରେ ସେୟା ହିଁ ହେଲା। ଏଥର ତ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନୀତିଶ ସମର୍ଥନ କରିବେ କି ନା, ତାକୁ ନେଇ ବି ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। କାରଣ ନୀତିଶ ସବୁବେଳେ ଓଲଟା କାମ କରିଥାଆନ୍ତି। ହେଲେ ଏଥର ଦ୍ରୌପଦୀଙ୍କୁ ସମର୍ଥନ କରି ମେଣ୍ଟରେ ଫାଟକୁ ନେଇ ହେଉଥିବା ଚର୍ଚ୍ଚାରେ କିଛି ସମୟ ଧରି ବିରାମ ଲଗାଇଥିଲେ ନୀତିଶ। କିନ୍ତୁ ଶେଷରେ ମହାମେଣ୍ଟର ନେତା ନିର୍ବାଚିତ ହୋଇ ନୂଆ ସରକାର ଗଢ଼ିବେ ବୋଲି ରାଜ୍ୟପାଳଙ୍କୁ ଦାବିପତ୍ର ଦେଇଛନ୍ତି ନୀତିଶ। ସେପଟେ ବିହାର କଂଗ୍ରେସର ପ୍ରଭାରୀ ଭକ୍ତ ଦାସଙ୍କ କହିବା କଥା, ହାଇକମାଣ୍ଡ ପୁରା ପ୍ରକରଣ ଉପରେ ନଜର ରଖିଛନ୍ତି। ମହାଗଠବନ୍ଧନ ସଂଖ୍ୟା ଗଣିତରେ ଆଗରେ ଥିଲା। କିନ୍ତୁ ବିଜେପିର ଚକ୍ରାନ୍ତ ଲାଗି ଶାସନ ଗାଦିରୁ ଅଳ୍ପକେ ଦୂରେଇ ଯାଇଥିଲା। ରାଜନୀତିକ ସମୀକ୍ଷକଙ୍କ କହିବା କଥା, ଏ ସବୁ କ୍ଷମତା ପାଇଁ। କିନ୍ତୁ ନୀତିଶ ସବୁରି ସୁନା ପୁଅ। ଯିଏ କ୍ଷମତାକୁ ଆସିଲା, ସେ ନୀତିଶଙ୍କ ବିନା କିଛି ନୁହେଁ ବୋଲି ନିଜକୁ ପ୍ରମାଣିତ କଲା। ନୀତିଶ ବି ଏକ ନିଆରା ବ୍ୟକ୍ତିତ୍ୱ କହିଲେ ଭୁଲ୍ ହେବନି। ତାଙ୍କ ପଟ୍ଟ ପରିବର୍ତ୍ତନର ଚରିତ୍ରକୁ ସମସ୍ତେ ଜାଣିଥିଲେ ସୁଦ୍ଧା ସେ ହିଁ ଆମ ନେତା ବୋଲି ବିନା ଦ୍ୱିଧାରେ କହିବାକୁ ନା ପଛାଇଛି ଆରଜେଡି, ନା ପଛାଇଛି କଂଗ୍ରେସ ନା ବିଜେପି। ଏବେ କେବଳ ଅତୀତର ସ୍କାନରରେ ବିଜେପି ନିଜକୁ ଆକଳନ କରୁ ବୋଲି ମହାଗଠବନ୍ଧନ କହୁଥିଲା ବେଳେ ନୀତିଶ ବିଶ୍ୱାସଘାତକର ପୁରୁଣା ଡିଣ୍ଡିମ ପିଟିବା ଛଡ଼ା ବିଜେପି ପାଖରେ ବି ଆଉ ଚାରା ନାହିଁ। କାରଣ ବିହାରରେ ନୀତିଶ ବିନା ନେତୃତ୍ୱ ଯେମିତି ଆଉ କାହାକୁ ଶୋଭାପାଉନି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *