ଅରୁଣାଚଳପ୍ରଦେଶର ତାଓ୍ୱାଙ୍ଗରେ କର୍ତ୍ତବ୍ୟରତ ଅବସ୍ଥାରେ ଶହୀଦ ହୋଇଛନ୍ତି ରାଜକିଶୋର ମୁଣ୍ଡା। ବିହାର ରେଜିମେଣ୍ଟର ଷଷ୍ଠ ବାଟାଲିୟନରେ ହାବିଲଦାର ଭାବେ କାର୍ଯ୍ୟରତ ଥିଲେ ରାଜକିଶୋର। କେନ୍ଦୁଝର ସଦର ବ୍ଲକ ନୂଆଗାଁ ଗ୍ରାମର ରାଜକିଶୋର ଗଲା ମାର୍ଚ୍ଚ ୨୯ରେ ଶହୀଦ ହୋଇଛନ୍ତି। ତାଙ୍କ ମରଶରୀର ଭୁବନେଶ୍ୱର ବମାନବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶହୀଦ୍ ରାଜକିଶୋରଙ୍କ ଗାଁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ। ଶାନ୍ତ, ସରଳ ସ୍ୱଭାବର ରାଜକିଶୋରଙ୍କ ଭଳି ବୀରଙ୍କୁ ହରାଇ ସମସ୍ତେ ମର୍ମାହତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ଅକାଳରେ ବାପ ଛେଉଣ୍ଡ ହୋଇଯାଇଛନ୍ତି ଶହୀଦଙ୍କ ୨ ଝିଅ। ପତ୍ନୀଙ୍କ ଆଖିରୁ ସୁଖୁନି ଲୁହ। ସାନ ଝିଅ ରୋଗଗ୍ରସ୍ତ। ଶହୀଦଙ୍କ ଘର କାନ୍ଦବୋବାଳିରେ ଫାଟିପଡ଼ୁଛି। ପୈତୃକ ଗାଁ ନୂଆଗାଁରେ ପାର୍ଥିବ ଶରୀର ପହଞ୍ଚିବା ପରେ ହଜାର ହଜାର ଲୋକଙ୍କ ସମାବେଶ ଭିତରେ ପାର୍ଥିବ ଶରୀରକୁ ଗାଁ ପରିକ୍ରମା କରାଯାଇଥିଲା। ଶହୀଦ ରାଜକିଶୋର ଅମର ରହେ ଧ୍ୱନିର ପ୍ରକମ୍ପିତ ହୋଇଥିଲା ପୁରା ପରିବେଶ। ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।
ପଞ୍ଚଭୂତରେ ବିଲୀନ ହୋଇଛି ଶହୀଦଙ୍କ ପାର୍ଥିବ ଶରୀର। ତାଙ୍କ ବଳିଦାନ ଓ ତ୍ୟାଗକୁ ସବୁବେଳେ ଝୁରୁଥିବ ଏ ମାଟି। ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦେବା ସହ ଏଭଳି ପରିବାରରେ ଜନ୍ମ ହୋଇଥିବା ବୀରଙ୍କ ଲାଗି ଆଜି ପୁରା ନୂଆଗାଁ ମାଟି ବି ନିଜକୁ ଗର୍ବିତ ମନେକରୁଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now