ବାଲିଯାତ୍ରା ପାଇଁ ଆସିଲା ଟ୍ରାଫିକ କଟକଣା

ଆଜିଠୁ କଟକ ଐତିହାସିକ ବାଲିଯାତ୍ରା ଆରମ୍ଭ ହୋଇଛି । ସଂନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଉଦଘାଟନ କରିଛନ୍ତି । ଏଥର ଉପ ଓ ତଳ ପଡିଆ ମିଶାଇ ମୋଟ ୨୫ ଶହରୁ ଉର୍ଦ୍ଧ ଷ୍ଟଲ ପ୍ରସ୍ତୁତ ହୋଇଛି । କଟକ ବାଲିଯାତ୍ରା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଚି । ଆସନ୍ତାକାଲିଠାରୁ ୨୨ ତାରିଖ ପର୍ଯ୍ଯନ୍ତ ଏହି କଟକଣା ବଳବତ୍ତର ରହିବ ।ଦିନ ୨ଟାରୁ ଭିଡ ଭାଙ୍ଗିବା ପର୍ଯ୍ୟନ୍ତ ଏହି କଟକଣା ଲାଗୁ ରହିବ ।

ଟ୍ରାଫିକ୍ କଟକଣା ଅନୁସାରେ, ଭୁବନେଶ୍ବରରୁ ନନ୍ଦନକାନନ, ବାରଙ୍ଗ, ତ୍ରିଶୂଳିଆ ଏବଂ କାଠଯୋଡି ରିଂ ରୋଡ୍ ଦେଇ ଖାନନଗର ପଟୁ ଆସୁଥିବା ସମସ୍ତ ତିନି ଚକିଆ ଓ ଚାରି ଚକିଆ ଯାନ ବେଲଭିୟୁ (ଜୁଡିସିଆଲ ଏକାଡ଼େମୀ), ସତୀଚୌରା ଛକ, ସେଲଟର ଛକ ଓ କନିକା ଛକ ଦେଇ ବାଲିଯାତ୍ରା ପଡ଼ିଆ ଆଡ଼କୁ ଯାଇ ପାରିବେ ନାହିଁ । ସେମାନେ ବେଲଭିୟୁ ଛକରୁ ସିଡିଏ ୧୧ ଛକ ଦେଇ ବିଜୁ ପଟ୍ଟନାୟକ ପାର୍କ, ଭୁଆସୁଣୀ ପଡ଼ିଆ କିମ୍ବା କୃଷକ ବଜାର ପଡ଼ିଆରେ ଗାଡି ପାର୍କିଂ କରିବେ। ସେଠାରୁ ସେମାନେ ପ୍ରଶାସନ ଯୋଗାଇଥିବା ଗାଡିରେ ବାଲିଯାତ୍ରା ପଡିଆ ପର୍ଯ୍ୟନ୍ତ ଆସିପାରିବେ ।ସେହିପରି ଆଠଗଡ଼, ବାଙ୍କୀ ପଟୁ ଆସୁଥିବା ତିନି ଚକିଆ ଓ ଚାରି ଚକିଆ ଯାନ ନରାଜ ସେତୁ ଓ ମଧୁସୂଦନ ସେତୁ ଦେଇ ବିଜୁପଟ୍ଟନାୟକ ପାର୍କ କିମ୍ବା ଭୁଆସୁଣୀ ପଡିଆରେ ଗାଡି ପାର୍କିଂ କରିବେ ।

ସେହିପରି ସତୀ ଚଉରା ଛକରୁ ଦୁଇ ଚକିଆ ଯାନଗୁଡ଼ିକ ସେଲ୍ଟର ଛକ ଓ କନିକା ଛକ ଦେଇ ଦୟାଶ୍ରମ ସାମ୍ନା ପଡ଼ିଆ କିମ୍ବା କାର୍ତ୍ତିକେଶ୍ବର ଗଡ଼ାର ବାମପଟ ପଡ଼ିଆରେ ଗାଡ଼ି ପାର୍କିଂ କରିପାରିବେ ।

ଚହଟା ଛକରୁ କୌଣସି ତିନି ଚକିଆ ଓ ଚାରି ଚକିଆ ଯାନ ସିଧା ହରିଣ ପାର୍କ ଦେଇ ବାଲିଯାତ୍ରା ପଡ଼ିଆକୁ ଯାଇପାରିବେ ନାହିଁ । ସେହି ଗାଡ଼ିଗୁଡ଼ିକ ଭୁଆସୁଣୀ ପଡ଼ିଆରେ ପାର୍କିଂ ହେବା ନେଇ ବ୍ୟବସ୍ଥା ହୋଇଛି .ବକ୍ସିବଜାର ଫାୟାର ଷ୍ଟେସନ୍ ଛକଠାରୁ କୌଣସି ତିନି ଚକିଆ ଓ ଚାରି ଚକିଆ ଯାନ ରିଜର୍ଭ ପୋଲିସ ଲାଇନ ଦେଇ ବାଲିଯାତ୍ରା ପଡ଼ିଆ ଆଡ଼କୁ ଯାଇପାରିବେ ନାହିଁ। ସେମାନେ ନାରୀ ସେବା ସଦନ ଛକରୁ ଡାହାଣକୁ ଯାଇ କଳାବିକାଶ କେନ୍ଦ୍ର ଓ ପି.ଏଚ.ଡି ଅଫିସ ଛକ ଦେଇ ଦୟାଶ୍ରମ ସାମ୍ନାରେ ଗାଡି ପାର୍କିଂ କରି ବାଲିଯାତ୍ରାକୁ ଯାଇପାରିବେ ।

ଯୋବ୍ରା ଓ ମାତାମଠ ପଟୁ ଆସୁଥିବା ସମସ୍ତ ଯାନ ବୋଷ ଇଞ୍ଜିନୟରିଂ କଲେଜ ପାଖ ପଡ଼ିଆ, ମାତାମଠ ପାର୍ଶ୍ୱ ପଡ଼ିଆ କିମ୍ବା ଓଡ଼ିଶା ମୁଖ୍ୟ ବିଚାରପତିଙ୍କ ବାସଭବନ ପାଖରୁ ଡାହାଣପଟ ଗଡ଼ାରେ ଥିବା ଷ୍ଟାଣ୍ଡଗୁଡ଼ିକରେ ଗାଡ଼ି ପାର୍କିଂ କରି ବାଲିଯାତ୍ରାକୁ ଯାଇ ପାରିବେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *