ସମ୍ଭାବ୍ୟ ବର୍ଷା ଓ ଏହାର ମୁକାବିଲା ନିମନ୍ତେ କୃଷି ବିଭାଗର ଏକ ପ୍ରସ୍ତୁତି ବୈଠକ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କୃଷି ନିର୍ଦ୍ଦେଶକ ଶ୍ରୀ ଶୁଭମ ସକ୍ସେନା, ଭାରତୀୟ ପାଣିପାଗ ନିର୍ଦ୍ଦେଶିକା ଶ୍ରୀମତୀ ମନୋରମା ମହାନ୍ତି, ଓୟୁଏଟି ଡିନ୍ ଡଃ. ପ୍ରସନ୍ନଜିତ୍ ମିଶ୍ର ମଧ୍ୟ ଯୋଗଦେଇଥିଲେ ।ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଏଯାବତ୍ ରାଜ୍ୟରେ ସମ୍ଭାବ୍ୟ ବାତ୍ୟାର କୌଣସି ସୂଚନା ନାହିଁ । କିନ୍ତୁ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ କାରଣରୁ ସାମୟିକ ଭାବେ ରାଜ୍ୟର କିଛି ସ୍ଥାନରେ ବିକ୍ଷିପ୍ତ ବର୍ଷା ହେବାର ସମ୍ଭାବନା ରହିଛି ଏବଂ ଵିଶେଷ କରି ଉପକୂଳ ଓଡ଼ିଶାରେ କିଛିସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଛି। ତଦନୁଯାୟୀ ଚାଷୀ ମାନଙ୍କୁ ପାଣିପାଗ ବିଭାଗର ପରାମର୍ଶକୁ ଅନୁପାଳନ କରିବା ପାଇଁ କୃଷି ସଚିବ ଡ. ପାଢ଼ୀ ଅନୁରୋଧ କରିଛନ୍ତି ।
ଚଳିତ ଖରିଫ୍ ଋତୁରେ (ଜୁନ୍ ୧ ରୁ ସେପ୍ଟେମ୍ବର ୩୦ ମଧ୍ଯରେ), ରାଜ୍ୟରେ ୧୦୦ ପ୍ରତିଶତ ବର୍ଷା ସାଧାରଣ ଭାବେ ହୋଇଛି ଏବଂ ଏହି କାରଣରୁ ଭଲ ଫସଲ ଅମଳ ଆଶା କରାଯାଉଛି । ଚାଷୀ ଭାଇ ଭଉଣୀମାନେ କୌଣସି ପ୍ରକାର ବିଭ୍ରାନ୍ତିକର ତଥ୍ୟ ଶୁଣି ଭୟଭୀତ ନ ହେବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ଆବଶ୍ୟକସ୍ଥଳେ ଚାଷୀମାନେ ୧୫୫୩୩୩ ନମ୍ବରରେ ଯୋଗାଯୋଗ କରିପାରିବେ କିମ୍ବା ନିକଟସ୍ଥ ଆଂଚଳିକ କୃଷି ଗବେଷଣା କେନ୍ଦ୍ର/ କୃଷି ଅଧିକାରୀଙ୍କୁ ଯୋଗାଯୋଗ କରିପାରିବେ । ବୈଠକରେ ବହୁ ବିଭାଗୀୟ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now