ସୁନା ଚମକରେ ଆଖି ଜଳକା

ବିବାହ ଋତୁରେ ଅଡୁଆ ବଢାଇଲାଣି ସୁନା ଦର । ପ୍ରତି ବର୍ଗ ନିଜ ନିଜ ହିସାବରେ ପ୍ରଭାବିତ । ଯେତେ ପ୍ଲାଟିନମ ଓ ଡାଇମଣ୍ଡ କଥା କହିଲେ ମଧ୍ୟ ନିରୋଳା ସୁନା ଗହଣା ବିନା ବାହାଘର କଥା ଚିନ୍ତା କରି ପାରୁନଥିବା ଭାରତୀୟଙ୍କ ପାଇଁ ଏ ସମୟ ଆହ୍ୱାନ ହୋଇଛି । କିଣିବା ପୂର୍ବରୁ ୧୦ଥର ଚିନ୍ତା କରିବାକୁ ପଡ଼ୁଛି । ଯାହା କିଣିବେ ଭାବିଥିଲେ ସେଥିରେ କାଣ୍ଟଛାଣ୍ଟ କରିବାକୁ ବାଧ୍ୟ ହେଉଛନ୍ତି । ଆଉ ଦୁଇ ଚାରି ଦିନ ରହିକି କିଣିଲେ ଯେ ସୁନା ଦାମ କମିଯିବ ସେ ଆଶ୍ୱାସନା ଏକ୍ସପର୍ଟ ଦେଇ ପାରୁନାହାଁନ୍ତି । ପ୍ରତ୍ୟେକ ଦିନ ଦର ଉପରମୁହାଁ ହେଉଛି ସିନା ଖସିବା ସମ୍ଭାବନା ଦେଖା ଯାଉନାହିଁ । ଭୁବନେଶ୍ୱରରେ ୧୦ ଗ୍ରାମ ୨୪ କ୍ୟାରେଟ ସୁନା ୮୨,୪୨୦ ଟଙ୍କାରେ ପହଞ୍ଚିଛି । ସେହିଭଳି ୨୨ କ୍ୟାରେଟ ସୁନା ୧୦ ଗ୍ରାମକୁ ୭୫,୫୫୦ ଟଙ୍କା ରହିଛି । ତା ଅର୍ଥ ଗୋଟେ ଗ୍ରାମ ୨୨ କ୍ୟାରେଟ ସୁନା ଦର ୭ହଜାର ୫୫୫ଟଙ୍କା । ତା ସାଙ୍ଗକୁ ପୁଣି ଗ୍ରାମ ପିଛା ଗଢା ମଜୁରୀ । ୨୪ କ୍ୟାରେଟ୍ ସୁନାର ଦର ବୃଦ୍ଧି ସୁନା ବାର ଓ କଏନ କିଣୁଥିବା ଲୋକଙ୍କୁ ପ୍ରଭାବିତ କରୁଛି । କିନ୍ତୁ ୨୨ କ୍ୟାରେଟ ସୁନାର ଦର ସାଧାରଣ ଜନତାକୁ ପ୍ରଭାବିତ କରୁଛି । ସେପଟେ ରୁପା ଦାମ ମଧ୍ୟ କିଛି କମ ନାହିଁ ।

ରୁପା କିଲୋ ପିଛା ଦର ୧ଲକ୍ଷ୪ହଜାର ଟଙ୍କା ହୋଇଛି । ରାଜ୍ୟର ପ୍ରମୁଖ ସହର ମାନଙ୍କରେ ଏହିଭଳି ରେଟ ହିଁ ରହିଛି । ଜାତୀୟ ସ୍ତରରେ ମଧ୍ୟ ସମାନ ଅବସ୍ଥା । ତା ଛଡ଼ା ଏହା ମଧ୍ୟରେ ଦର କିଛି କମିବା ସମ୍ଭାବନା ନାହିଁ । ତେବେ ପ୍ରଥମ ଥର ପାଇଁ ୮୦ ହଜାର ଟଙ୍କା ଟପିଛି ସୁନା ଦାମ। ଏହାକୁ ନେଇ ଅର୍ଥନୀତିଜ୍ଞମାନେ ଭିନ୍ନଭିନ୍ନ ମତ ଦେଉଛନ୍ତି । କୁହାଯାଉଛି ଆମେରିକାରେ ଟ୍ରମ୍ପଙ୍କ ଶାସନ ଆରମ୍ଭ ହେବା ସହ ଅର୍ଥନୀତିରେ ତାର ପ୍ରଭାବ ଦେଖାଦେଇଛି । ଅସ୍ଥିରତା ଆଶଙ୍କାରେ ନିବେଶକ ମାନେ ନିଜ ପୁଞ୍ଜିକୁ ସୁନାରେ ନିବେଶ କରିବା ଆରମ୍ଭ କରିଛନ୍ତି । ବିତ୍ତିୟ ଅନିଶ୍ଚିତତା ବେଳେ ସୁନା କିଛିଟା ସୁରକ୍ଷା ଦେଇ ପାରିବ ସେ ସମ୍ଭାବନା ରହିଛି । ସେଥିପାଇଁ ସୁନା ଉପରେ ଗୁରୁତ୍ୱ ବଢୁଛି ତେଣୁ ସୁନା ତା ରେଟ ବଢାଇ ନିଜ ଗୁରୁତ୍ୱ ଆହୁରି ବୃଦ୍ଧି କରିଛି । କେବଳ ସେତିକି ନୁହେଁ ଡଲାରରେ ନିବେଶ କରି ଭଲ ରିଟର୍ଣ୍ଣ ପାଉଥିବା ଲୋକ ମଧ୍ୟ ସୁନାରେ ନିବେଶ ଆଡକୁ ଫେରିଛନ୍ତି । ଟ୍ରମ୍ପଙ୍କ ଆର୍ଥୀକ ନୀତି ଏ ପରିସ୍ଥିତି ପାଇଁ ଦାୟୀ ଥିବା କୁହାଯାଉଛି । ଯଦି ସବୁ କିଛି ଠିକ ରହିବ ତେବେ ୨୦୨୫ ମଧ୍ୟଭାଗରେ ସୁନାର ଦରରେ ସ୍ଥିରତା ଦେଖାଯିବ । ବଜାରରେ ବିଭିନ୍ନ ସାମଗ୍ରୀର ଚଢା ଦରକୁ ନେଇ ସାଧାରଣ ଲୋକ ଚିନ୍ତିତ ଥିବା ବେଳେ ସୁନା ରୁପା ଦର ସବୁ ବର୍ଗକୁ ବାଧୁଛି ।

ମଧ୍ୟବିତ୍ତ ବିଶେଷ ଭାବେ ଏହା ଦ୍ୱାରା ପେଶୀ ହେଉଛି । ବିବାହ ଋତୁରେ ନୂଆ ଡିଜାଇନ ଆସିଲେ କିଣିବାକୁ ଅପେକ୍ଷା କରିଥିବା ଲୋକ ଏବେ ପସ୍ତଉଛନ୍ତି । ସେଥିପାଇଁ ଏକ୍ସପର୍ଟ କହୁଛନ୍ତି ଅଫ ସିଜିନରେ ସୁନା କିଣି ରଖନ୍ତୁ। ପ୍ରତି ଦିନ ଦର ହ୍ରାସ ଓ ବୃଦ୍ଧି ଟ୍ରାକ କରନ୍ତୁ । ଗଢା ମଜୁରୀ ଉପରେ ରିବେଟ ମିଳୁଥିଲେ କିଛିଟା ସୁବିଧା ମିଳିବ । ଏବଂ ସୁନା କିଣାରେ ଯେତେବେଳେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ହେଉଛି ସେଠି ସୁନାର ସୁଦ୍ଧତାର ଯାଞ୍ଚ ଓ ହଲମାର୍କ ଟାଗକୁ ଗୁରୁତ୍ୱ ଦିଅନ୍ତୁ। ଫଳରେ ଆବଶ୍ୟକସ୍ଥଳେ ସେହି ସୁନା ହିଁ ଆପଣଙ୍କୁ କାମ ଦେବ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *