ପବିତ୍ର ମକର ସଂକ୍ରାନ୍ତି ପାଇଁ ଚଳଚଞ୍ଚଳ ରାଜ୍ୟ

ପବିତ୍ର ମକର ସଂକ୍ରାନ୍ତି ପାଇଁ ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ସମସ୍ତ ଦେବାଳୟ। କେଉଁଠି ବୁଡ଼ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ତ ଆଉ କେଉଁଠି ଲାଗିଛି ମେଳା। ଗାଁଠୁ ସହର ସବୁରି ଘରେ ଘରେ ପ୍ରସ୍ତୁତି ହେଉଛି ମକର ଚାଉଳ । ମକର ସଂକ୍ରାନ୍ତିଠାରୁ ଶୀତର ପ୍ରକୋପ କମେ ଓ ଦିନ ବଡ଼ ହୁଏ ଏବଂ ସୂର୍ଯ୍ୟଙ୍କର ତେଜ ପ୍ରଖର ହୁଏ ।  ଶ୍ରୀମନ୍ଦିରରେ ହୋଇଛି ସ୍ୱତନ୍ତ୍ର ନୀତିକାନ୍ତି। ପରମ୍ପରା ଅନୁଯାୟୀ ବାପଘରୁ ଶ୍ରୀମନ୍ଦିର ଲେଉଟିଛନ୍ତି ମା ଲକ୍ଷ୍ମୀ ଠାକୁରାଣୀ। ସାଙ୍ଗରେ ଆଣିଛନ୍ତି ମକର ଚାଉଳ। ଖାଲି ଶ୍ରୀମନ୍ଦିର ନୁହେଁ ପରମ୍ପରା ଅନୁଯାୟୀ ବିଭିନ୍ନ ମଠବାଡି ଓ ପୁରପଲ୍ଲୀରେ ପାଳିତ ହେଉଛି ମକର ସଂକ୍ରାନ୍ତି।

ଖୋର୍ଦ୍ଧା ବେଗୁନିଆ ବ୍ଲକର ଅଟ୍ରିର ପ୍ରସିଦ୍ଧ ହଟ୍ଟକେଶ୍ୱର ମହାଦେବ ନିକଟରେ ଭକ୍ତଙ୍କର ଲାଗିଛି ଲମ୍ବା ଲାଇନ। ଦୁର୍ଲଭ ଦର୍ଶନ କରି ବାବାଙ୍କ ସାନିଧ୍ୟ ଲାଭ କରୁଛନ୍ତି ଦୂରଦୂରାନ୍ତରୁ ଆସିଥିବା ଭକ୍ତ। ଏହାସହ ମାନସିକ ପ୍ରାପ୍ତ ପାଇଁ ମଧ୍ୟ ହଟକେଶ୍ୱର ମହାଦେବଙ୍କର ବେଶ ପ୍ରସିଦ୍ଧି ରହିଛି। ପ୍ରବାଦ ରହିଛି ମକର ସଂକ୍ରାନ୍ତି ଦିନ ନିଃସନ୍ତାନ ଦମ୍ପତି ବାବାଙ୍କ ନିକଟରେ ମାନସିକ ରଖି ନିକଟସ୍ଥ ଉଷ୍ମପ୍ରଷବଣ ଠାରେ ଥିବା ବାବାଙ୍କ ଦହନ କୁଣ୍ଡରୁ ଗୁଆ ଖୋଜି ସେବନ କଲେ ବର୍ଷକ ଭିତରେ ସନ୍ତାନ ପ୍ରାପ୍ତିହୋଇଥାଏ। ମଧ୍ୟାହ୍ନରେ ମକର ଉପଲକ୍ଷେ ବାବାଙ୍କ ନିକଟରେ ଲାଗିଁହୁଏ ମକର ଚାଉଳ ଭୋଗ। ଆଉ ଏଠାରେ ୫ ଦିନ ବ୍ୟାପି ଆୟୋଜିତ ହୋଇଥାଏ ମକର ମେଳା। ଘରକରଣା ସାମଗ୍ରୀ ସହିତ ଖେଳନା, ଆଉ ଚଟପଟି ଖାଦ୍ୟ ପରେ ରାତିକୁ ସାଂସ୍କୃତିକ ସଂନ୍ଧ୍ୟାରେ ମହୋତ୍ସବ ଦର୍ଶକଙ୍କୁ ମନୋରଞ୍ଜନରେ ବାନ୍ଧିରଖେ ।

ସେପଟେ  ବଡମ୍ବା ଓ ବାଙ୍କୀର ସୀମାନ୍ତରେ ମହାନଦୀର ଗର୍ଭ ଗୃହ ମଧ୍ୟରେ ବିରାଜିତ ବାବା ସିଂହନାଥଙ୍କ ପୀଠ ମକର ମେଳା ଯାତ୍ରାକୁ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼।  ଅହେତୁକ ଭିଡ଼କୁ ଦୃଷ୍ଟି ରେ ରଖି ପ୍ରଶାସନ ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା। . ପୂର୍ବଭଳି କୌଣସି ଅଘଟଣର ଯେଭଳି ପୁନରାବୃତ୍ତି ନଘଟେ, ସେଥିପାଇଁ  T-ସେତୁ ଉପରୁ ସ୍ୱତନ୍ତ୍ର ଧାଡିରେ ଯାଇ ଦର୍ଶନ କରିବା ଓ ମେଳା ବୁଲି ମଜା ଉଠାଇବା ପାଇଁ  ଅସ୍ଥାୟୀ ବ୍ୟାରିକେଟର ବ୍ୟବସ୍ଥା କରାଯାଇଛି।  ସେପଟେ ମହାନଦୀ ର ବାଲି ପଠା ଉପରେ ଶତାଧିକ ଉଠା ଦୋକାନୀ ନିଜର ଆସର ଜମାଇଛନ୍ତି। ଉଭୟ ବାଙ୍କୀ ଓ ବଡମ୍ବା ର ପ୍ରଶାସନିକ ଅଧିକାରୀ ମାନେ ରହି ଯାତ୍ରା କୁ ସଫଳ କରିବା ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି।   ତେବେ ପୀଠରେ ଶୌଚାଳୟ ସାଙ୍ଗକୁ ପିଇବା ପାଣିର ଅଭାବ ରହିଥିବା ଅଭିଯୋଗ ଆସିଛି। ଅନ୍ୟପଟେ ଭିଡ଼ କୁ ଏଡାଇବା ପାଇଁ ଗୋପୀନାଥପୁର ଠାରୁ ମହାନଦୀର ଗର୍ଭଗୃହ ମଧ୍ୟରେ ଯେଉଁ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଉଥିବା ତାହା ଅଦ୍ୟାବଧି ସମ୍ପନ୍ନ ହୋଇପାରିନାହିଁ।

ଦେଶରେ ବିଭିନ୍ନ ରାଜ୍ୟରେ କିଛି ନିଆରା ଢ଼ଙ୍ଗରେ ପାଳନ ହେଉଛି ଏହି ମକର ସଂକ୍ରାନ୍ତି । ଯାହାକୁ ନେଇ ଉତ୍ସବ ମୂଖର ହୋଇପଡିଛି ଗାଁଠୁ ସହର । ତେବେ ଓଡ଼ିଶାର ବିଭିନ୍ନ ଗାଁରେ ବେଶ ଉତ୍ସାହର ସହ ମକର ସଂକ୍ରାନ୍ତିକୁ ପାଳନ କରାଯାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *