ଟଙ୍କା ଦେଲେ ସବୁ ସମ୍ଭବ। ସବୁ ନିୟମକୁ ଦଳିଚକଟି ହେବ। ଜରୁରୀ ବେଳେ ନିଜ ଜମିର କିଛି ଭାଗ କିଣାବିକା କରିବାକୁ ଚାହୁଁଥିବା ଲୋକେ ଗୋଟିଏ ପଟେ ହନ୍ତସନ୍ତ ହେଉଥିଲା ବେଳେ ଅନ୍ୟପଟେ ସବ-ରେଜିଷ୍ଟ୍ରାର ଅଫିସର କିଛି ଅସାଧୁ ଅଧିକାରୀ ଓ କର୍ମଚାରୀ ମୋଟା ଅଙ୍କର ହାତଗୁଞ୍ଜାରେ ଏହାକୁ ସମ୍ଭବ କରୁଛନ୍ତି। ବଡ଼ ବଡ଼ ବିଲଡରଙ୍କ କାମ ଟଙ୍କା ବଳରେ ଅନାୟାସାରେ ହେଉଛି। ଏ ସନ୍ଦର୍ଭରେ ରାଜସ୍ୱ ମନ୍ତ୍ରୀଙ୍କୁ ଓଡ଼ିଶା ବିକାଶ ଅଭିଯାନ ୬ଟି ଦଲିଲର ପ୍ରମାଣ ଦେବା ପରେ ଆରମ୍ଭ ହୋଇଛି ଅନୁଧ୍ୟାନ।
କାହିଁକି ପାର୍ଟ-ପ୍ଲଟ୍ କିଣାବିକାକୁ ଅନୁମତି ମିଳୁନି। ଚାଷ ଜମିରେ ରେରା ନିୟମ ଲାଗୁ ନୁହେଁ। ତା ସତ୍ତ୍ୱେ ରେରାର ଆଳରେ ପାର୍ ହୋଇଯାଉଛନ୍ତି ସବ୍-ରେଜିଷ୍ଟ୍ରାର ଅଫିସ୍। ଜରୁରୀ ଆବଶ୍ୟକତା ବେଳେ ଜମିର କିଛି ଅଂଶ ବିକିବାକୁ ଚାହୁଁଥିଲେ ବି ନାନା ନିୟମର ଆଳରେ ଏହା ହୋଇପାରୁନି। ସମ୍ୱଲପୁର ସବ-ରେଜିଷ୍ଟ୍ରାର ଅଫିସ ଅଚାନକ ପରିଦର୍ଶନ ବେଳେ ରାଜସ୍ୱ ମନ୍ତ୍ରୀ କହିଥିଲେ, ପାର୍ଟ ଜମି ପଞ୍ଜୀକରଣ ସମସ୍ୟା ନେଇ ଅନେକ ଆପତ୍ତି ଅଭିଯୋଗ ତାଙ୍କ କାନକୁ ଆସିଛି। ଚିକିତ୍ସା , ପିଲାଙ୍କ ପାଠପଢ଼ା ହେଉ ଅବା ବିବାହ ଲାଗି ଜରୁରୀ ଅର୍ଥ ଦରକାର ବେଳେ ବାଧକ ସାଜୁଛି କିଣାବିକା ସମସ୍ୟା। ଆଉ ଏହାକୁ ସରଳୀକରଣ ଲାଗି ରେରା ଆଇନରେ ଆବଶ୍ୟକୀୟ ସଂଶୋଧନ, ନଗର ଉନ୍ନୟନ ବିଭାଗ ସହ ସମନ୍ୱୟରେ ସମାଧାନ ଓ ସର୍ବୋପରି ଆଇଜିଆର ସମସ୍ତ ସବ-ରେଜିଷ୍ଟ୍ରାରଙ୍କୁ ଏସଓପି ଜାରି କରିବେ ବୋଲି ଅନେକ କଥା କହିଥିଲେ ମନ୍ତ୍ରୀ ପୂଜାରୀ।
ଆଉ ସାମୂହିକ ସ୍ୱାର୍ଥରେ ଜଡ଼ିତ ଏହି ପ୍ରସଙ୍ଗକୁ ଆରମ୍ଭରୁ ଆଇନ ମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ଓଡ଼ିଶା ବିକାଶ ଅଭିଯାନ। ତେବେ ଯିଏ ମୋଟା ଅଙ୍କର ଟଙ୍କା ଦେଉଛି, ତାହାର ଭିତିରିଆ ପାର୍ଟ-ପ୍ଲଟ ପଞ୍ଜୀକରଣ ହେଉଛି ବୋଲି ସଙ୍ଗୀନ ଅଭିଯୋଗ ଆଣିଥିଲା ଏହି ସଂଗଠନ। ଆଉ କାନରେ ଏ କଥା ପଡ଼ିବାରୁ ପ୍ରମାଣ ମାଗିଥିଲେ ରାଜସ୍ୱ ମନ୍ତ୍ରୀ। ଯଦି ହେବ, ସମସ୍ତଙ୍କର ହେବ। ଯଦି ନାହିଁ, ତା ହେଲେ କିଛି ନିର୍ଦ୍ଦିଷ୍ଟ ପ୍ରଭାବଶାଳୀଙ୍କର ହେଉଛି ପୁଣି କେମିତି। ଗୋଟିଏ ପ୍ରମାଣ ଆଣି ଦେଖାଇଦେଲେ, କେବଳ ଆକ୍ସନ ହେବନି। ହଜାର ହଜାର ଲୋକ ପାର୍ଟ-ଜମି କିଣାବିକା କରିନପାରି ସନ୍ତୁଳିତ ହେଉଥିବା ସମସ୍ୟାରୁ ବି ତ୍ରାହି ମିଳିବ ବୋଲି କଥା ଦେଇଥିଲେ ରାଜସ୍ୱ ମନ୍ତ୍ରୀ। ଆଉ ମନ୍ତ୍ରୀ ସିନା ଗୋଟିଏ ଦଲିଲ ମାଗିଥିଲେ। କିନ୍ତୁ ଓଡ଼ିଶା ବିକାଶ ଅଭିଯାନ ମନ୍ତ୍ରୀଙ୍କୁ ପ୍ରାଥମିକତା ଭିତ୍ତିରେ ଦେଇଛି ୬ଟି ଦଲିଲ୍। ଖଣ୍ଡଗିରି ଓ ଜଟଣୀ ସବ-ରେଜିଷ୍ଟ୍ରାର ଅଫିସରେ କିଭଳି ପାର୍ଟ-ଜମି ପଞ୍ଜୀକରଣ ହୋଇଛି, ତାହାର ପ୍ରମାଣ ରଖିଛି। କେଉଁଠି ଜମି ଆଂଶିକ ବୋଲି ଧରା ନ ପଡ଼ିବା ଭୟରେ ଦଲିଲରେ ନକ୍ସା ଖଞ୍ଜାଯାଇନି ତ ପୁଣି କେଉଁଠି ମୂଳ ପଟ୍ଟାରୁ କେତେ ଅଂଶ ବିକାହୋଇଛି, ତାହାର ପ୍ରମାଣକୁ ଏଡ଼ାଇ ଦିଆଯାଇଛି। ଜମିର କେଉଁ ପଟୁ କେତେ ଅଂଶ ବିକାଯାଇଛି, ତାକୁ ବି ଚତୁରତାର ସହ ଦର୍ଶାଯାଇନି। ସାଧାରଣରେ ହୃଦବୋଧ ହେବ କି ଫୁଲ ପ୍ଲଟ୍ ବା ଜମି ବିକାଯାଇଛି। ସବୁଠୁ ତ ବଳିଗଲା, ଘରବାରି ଜମି କିଣାବିକାରେ ବି ହୋଇଛି ବଡ଼ ଧରଣର ଚଞ୍ଚକତା। ଜଟଣୀ ସବ-ରେଜଷ୍ଟ୍ରାର ଅଫିସରେ ତ ଏ କେଳେଙ୍କାରୀ ସବୁଠୁ ବେଶୀ। ଆଉ ଯେଉଁ କିଛି ନିର୍ଦ୍ଦିଷ୍ଟ ଲୋକଙ୍କର ଏଭଳି ପାର୍ଟ-ପ୍ଲଟ କିଣାବିକା ହୋଇଛି, ସେମାନେ ସବୁ ପ୍ରଭାବଶାଳୀ ଜମି ମାଲିକ ନଚେତ ବଡ଼ ବିଲଡର।
ଲୋକେ ପାର୍ଟ-ପ୍ଲଟ କିଣାବିକାରେ ଅଙ୍କୁଶ ଲାଗିବା ଦିନଠୁ ବେଶ୍ ହନ୍ତସନ୍ତ ହେଲେଣି। ଯଦି ବିକିବ ଫୁଲ୍ ପ୍ଲଟ। ନଚେତ କେବେ ରେରାରୁ ଅନୁମତି ଆଣ ତ କେବେ ବିଡିଏରୁ ଲେ-ଆଉଟ୍ ଆପ୍ରୁଭାଲ ଆଣ କହି ସବ୍-ରେଜିଷ୍ଟ୍ରାର ଅଫିସ ଦୌଡ଼ାଉଛି। ଏମିତିରେ ସାଧାରଣ ଚାଷୀଟିଏ ଉପାୟଶୂନ୍ୟ ହୋଇ ବାଧ୍ୟବାଧକତାରେ କମ୍ ଦରରେ ବିଲଡରଙ୍କୁ ସବୁତକ ଜମି ବିକିବାକୁ ବାଧ୍ୟ ହେଉଥିଲା। ତେବେ ଏ କଥାର ବାସ୍ତବତା ବୁଝିବା ପରେ ଏହି ସମସ୍ୟାର ତ୍ୱରିତ ସମାଧାନ କେମିତି ହେବ, ଉଚ୍ଚସ୍ତରୀୟ ବୈଠକ ଡାକିବାକୁ ଯାଉଛନ୍ତି ଖୁବଶୀଘ୍ର ରାଜସ୍ୱ ମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ କାନରେ ବି ଏ କଥା ପଡ଼ିସାରିଛି। ସମସ୍ତ ଦଲିଲକୁ ଟିକିନିଖି ତର୍ଜମା ପରେ ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ। ସେପଟେ ଆଇଜିଆରଙ୍କ ଭୂମିକା ଓ ଡିଏସଆରଙ୍କ ଭୂମିକାକୁ ନେଇ ଅଙ୍ଗୁଳି ଉଠିଛି।
ନାନା ନିୟମର ଥୋପ ଦେଖାଇ ପାର୍ଟ-ପ୍ଲଟ କିଣାବିକାରେ ଲାଗିଛି ରୋକ୍। ଅବଶ୍ୟ କିଛି ମାସ ତଳେ ବିଡିଏ ଆଉ ଚାଷ ଜମି ଉପରେ ଲେ-ଆଉଟ୍ ଏନଓସି ଦେଇପାରିବନି କହି ହାତ ଟେକିଦେଇସାରିଛି। ଏ ସନ୍ଦର୍ଭରେ ଭୁବନେଶ୍ୱର, ଖଣ୍ଡଗିରି, ବାଲିଅନ୍ତା, ଜଟଣୀ ଓ ଖୋର୍ଦ୍ଧା ସବ-ରେଜିଷ୍ଟ୍ରାରଙ୍କୁ ଚିଠି କରିସାରିଛି। ଚାଷ ଜମିର ପାର୍ଟ କିଣାବିକା ଉପରେ ବିଡିଏର ଏନଓସି ଜରୁରୀ ନୁହେଁ ବୋଲି କହିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now