ଜଳ ସମ୍ପଦ ବିଭାଗ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଜଳ ସମ୍ପଦ ବିଭାଗ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ । ରାଜ୍ୟର ହାଇଡ୍ରୋଲୋଜିକାଲ୍ ତଥ୍ୟ ଅନୁଧ୍ୟାନ କଲେ । ବିଭିନ୍ନ ଉପ-ବିଭାଗ ବୁଲି କାର୍ଯ୍ୟ ବ୍ୟବସ୍ଥା ଅନୁଧ୍ୟାନ କଲେ । କର୍ମଚାରୀମାନଙ୍କୁ ଅଧିକ ପ୍ରତିବଦ୍ଧତାର ସହ କାମ କରିବାକୁ ପରାମର୍ଶ ଦେଲେ । ଜଳ ସମ୍ପଦ ବିଭାଗକୁ ଆହୁରି ସୁଦକ୍ଷ ଓ ସ୍ମାର୍ଟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ପୂର୍ବାହ୍ନ ୧୦ଟା ସମୟରେ ରାଜୀବ ଭବନସ୍ଥିତ ଜଳ ସମ୍ପଦ ବିଭାଗ ପରିଦର୍ଶନ କରି ବିଭାଗର ସବିସ୍ତୃତ କାର୍ଯ୍ୟାବଳୀ ସମ୍ପର୍କରେ ପଚାରି ବୁଝିଛନ୍ତି।

ମୁଖ୍ୟମନ୍ତ୍ରୀ ଜଳ ସମ୍ପଦ ବିଭାଗରେ ପହଞ୍ଚି ପ୍ରଥମେ ଅଷ୍ଟମ ମହଲାସ୍ଥିତ ରାଜ୍ୟ ଜଳ ବିଜ୍ଞାନ ତଥ୍ୟ କେନ୍ଦ୍ର (State Hydrological Data Center) ଯାଇ ସେଠାରେ ରାଜ୍ୟରେ ବିଭିନ୍ନ ଜଳ ଭଣ୍ଡାର ଓ ନଦୀ ଗୁଡିକରେ ଜଳ ସ୍ଥିତି ଅନୁଧ୍ୟାନ କରିବା ସହିତ ଏହାର କାର୍ଯ୍ୟ ପ୍ରଣାଳୀ ସମ୍ପର୍କରେ ବୁଝିଥିଲେ। ସୂଚନାଯୋଗ୍ୟ ଯେ, ରାଜ୍ୟ ଜଳ ବିଜ୍ଞାନ ତଥ୍ୟ କେନ୍ଦ୍ରର ତଥ୍ୟ ଅନୁଯାୟୀ Real-Time ଭିତ୍ତିରେ ରାଜ୍ୟରେ ଜଳ ପରିଚାଳନା କରାଯାଇଥାଏ।

ଏହା ପରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଉପବିଭାଗ ପରିଦର୍ଶନ କରି ବିଭାଗୀୟ ଅଧିକାରୀ, ଯନ୍ତ୍ରୀ ଓ କର୍ମଚାରୀମାନଙ୍କ ସହିତ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ସେମାନଙ୍କ କାର୍ଯ୍ୟରେ ସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ କହିଥିଲେ ଯେ, ରାଜ୍ୟ ସରକାରଙ୍କ ଲକ୍ଷ୍ୟ ପୂରଣ ପାଇଁ ଆପଣମାନେ ଆହୁରି ପ୍ରତିବଦ୍ଧତାର ସହ କାମ କରନ୍ତୁ ।

ପରିଦର୍ଶନ ପରେ ଗଣମାଧ୍ୟମକୁ ବିବୃତ୍ତି ରଖି, ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୨୯-୩୦ ସୁଦ୍ଧା ରାଜ୍ୟରେ ୧୫ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚନ କରାଯିବାର ଲକ୍ଷ୍ୟ ରଖାଯାଇଛି। ଏଥି ସହିତ କେନାଲର ଶେଷ ମୁଣ୍ଡ ପର୍ଯ୍ୟନ୍ତ ଜଳ ପହଞ୍ଚାଇବାକୁ ଆମେ ସୁନିଶ୍ଚିତ କରୁଛୁ। ଏହାକୁ ଦୃଷ୍ଟିରେ ରଖି ବିଭାଗକୁ ଆହୁରି ସୁଦକ୍ଷ ଓ ସ୍ମାର୍ଟ କାର୍ଯ୍ୟାଳୟରେ ପରିଣତ କରାଯିବ।

ମୁଖ୍ୟମନ୍ତ୍ରୀଙ୍କ ପରିଦର୍ଶନ ସମୟରେ ଉନ୍ନୟନ କମିଶନର ତଥା ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ଚନ୍ଦ୍ରଶେଖର ପାଢୀ ଏବଂ ବିଭାଗୀୟ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *