ପରିଚୟ ପାଇଲା ୧୮୭ ଗାଁ:  ୩୨ ବର୍ଷରେ ହଜାରେ- ୭ ମାସରେ ଏତିକି

ପଡ଼ା ଗାଁକୁ ରାଜସ୍ୱ ଗାଁର ମାନ୍ୟତା ଦେବାରେ ଆଗେଇଲେ ସରକାର। ଗଲା ୭ ମାସ ଭିତରେ ୧୮୭ଟି ଗାଁକୁ ରାଜସ୍ୱ ଗାଁର ମାନ୍ୟତା ଦେଲେଣି ସରକାର। ଅଗଷ୍ଟ ୨୮, ୨୦୨୪ରୁ ଫେବୃଆରୀ ୧୫,୨୦୨୫ ଭିତରେ ଏହି ଉଲ୍ଲେଖନୀୟ ସଫଳତା ପାଇଛି ରାଜସ୍ୱ ବିଭାଗ। ଝାରସୁଗୁଡ଼ାରେ ସର୍ବାଧିକ ୫୩, କଳାହାଣ୍ଡିରେ ସର୍ବାଧିକ ୨୮ ଗାଁ ଏହି ତାଲିକାରେ ଅଛି। ଭଦ୍ରକର ୧୦, କଟକର ୫, ଗଞ୍ଜାମର ୮, ଖୋର୍ଦ୍ଧାର ୬, କନ୍ଧମାଳର ୨ ଓ କେନ୍ଦ୍ରାପଡ଼ାର ଗୋଟିଏ ଗାଁ ରାଜସ୍ୱ ଗାଁ ଭାବେ ନୂଆ ପରିଚୟ ପାଇଛି। ୧୯୯୨ରୁ ୨୦୨୪ ଭିତରେ ଅର୍ଥାତ୍ ୩୨ ବର୍ଷ ଭିତରେ ମାତ୍ର ହଜାରେ ଗାଁ ରାଜସ୍ୱ ଗାଁର ମାନ୍ୟତା ପାଇଥିଲା। ସରଳ ଭାଷାରେ କହିବାକୁ ଗଲେ, ପ୍ରତି ବର୍ଷ ହାରାହାରି ୩୦ ଗାଁ ଓ ପ୍ରତି ଜିଲ୍ଲା ଭାଗରେ ବର୍ଷ ପିଛା ଗୋଟିଏ ଗାଁ ପଡ଼ିଥିଲା। କିନ୍ତୁ ୭ ମାସ ଭିତରେ ୧୮୭ ଗାଁକୁ ଅନୁମତି ଦେଇଛି ରାଜସ୍ୱ ବିଭାଗ। ଏଯାବତ୍‌ ମୋଟ ୧୧୮୭ ଗାଁ ରାଜସ୍ୱ ଗାଁ ଭାବେ ପରିଚୟ ପାଇଛି। ବୋର୍ଡ ଅଫ ରେଭିନ୍ୟୁ ସବୁ ଦିଗକୁ ତର୍ଜମା ପରେ ରାଜସ୍ୱ ବିଭାଗକୁ ମୋହର ଲଗାଇବାକୁ ପଠାଇଥିଲା। ତେବେ ରାଜସ୍ୱ ମନ୍ତ୍ରୀ କହିଛନ୍ତି, ବାକି ଯେତିକି ପଡ଼ା ଗାଁକୁ ରାଜସ୍ୱ ଗାଁ କରିବାକୁ ପ୍ରସ୍ତାବ ଆସିଛି, ତାକୁ ମିଳିବ କି ନାହିଁ, ଜୁନ୍ ମାସ ସୁଦ୍ଧା ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ବର୍ଷ ବର୍ଷ ଧରି ନିଷ୍ପତ୍ତିକୁ ଝୁଲାଇ ରଖାଯିବନି। ରାଜସ୍ୱ ଗାଁ ଘୋଷଣା ହେବ କି ନାହିଁ, ଏହାକୁ ନେଇ ଆଉ ଲୋକେ କୌଣସି ସନ୍ଦେହ କି ଆଶଙ୍କାରେ ରହିବେନି। ଏବେ ଜିଲ୍ଲାସ୍ତରରେ ୨୧ଶହଟି ପଡ଼ା ଗାଁର ଆବେଦନ ବିଚାରାଧୀନ ଅଛି। ପୂର୍ବରୁ ରଦ୍ଦ ହୋଇଥିବା ୨୨୨୧ଟି ଆବେଦନର ବି ପୁନର୍ବିଚାର କରିବାକୁ ଯାଉଛନ୍ତି ସରକାର। ଆବଶ୍ୟକୀୟ ଗାଇଡଲାଇନ ପୂରଣ କରୁଥିଲେ, ସେମାନଙ୍କ କଥା ବି ବିଚାର ହେବ। ଜିଲ୍ଲାପାଳଙ୍କ ଦ୍ୱାରା ୫୫୦୮ ଟିର ପ୍ରସ୍ତାବ ଆସିଛି। ନିଜସ୍ୱ ଗୋଚର ଜମି, ଶ୍ମଶାନ ଆଦି ଆଧାରକୁ ଏଥର ବାଦ୍ ଦେଇଛନ୍ତି ସରକାର।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *