ବଞ୍ଚିକି ଆସିବାର ଅଛି ଯଦି ଠିକ୍ ସାଇଜ୍‌ରେ ରହ; ସାମ୍ୱାଦିକଙ୍କୁ ବିଡିଓଙ୍କ ଧମକ…

Spread the love

ବୁଗୁଡ଼ା ବିଡିଓଙ୍କ ଦାଦାଗିରି। ବ୍ଲକରେ ପଶିପାରିବୁନି। ଯଦି ବଞ୍ଚିକି ରହିବାର ଅଛି, ତେବେ ସାଇଜରେ ରହ। ଏଭଳି ଶବ୍ଦରେ ଧମକାଇଲେ ନକ୍ଷତ୍ର ନ୍ୟୁଜ୍ ପ୍ରତିନିଧିଙ୍କୁ ବିଡିଓ। ବ୍ଲକ ଦୁର୍ନୀତି ବାବଦରେ ଖବର ପ୍ରସାରଣକୁ ନେଇ ସାମ୍ୱାଦିକଙ୍କୁ ସାମ୍ୱାଦିକତାର ନୈତିକତା ପଢାଇବାକୁ ଯାଇ ଆଗ ଡକାଇଲେ। ହେଲେ ସାମ୍ୱାଦିକ ଅଲଗା କାମରେ ବ୍ୟସ୍ତ ଥିବାରୁ ନ ଆସିବାରୁ ଫୋନରେ ଧମକାଇଲେ। ଯାହାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ଏଭଳି ପ୍ରଶାସନିକ ଅଧିକାରୀଙ୍କ ସୌଜନ୍ୟତାକୁ ନେଇ ଅଙ୍ଗୁଳି ଉଠାଇଛନ୍ତି।

କେଉଁଠି କେମିତି ପଶିବୁ ମୁଁ ଦେଖିବି..ବଞ୍ଚିକି ଆସିବାର ଅଛି ଯଦି ଠିକ୍ ସାଇଜରେ ରହ..ମୂର୍ଖ ଭଳି କଥାବାର୍ତ୍ତା କରନି..ହାରିବା ଲୋକ କଥାରେ ଡେଉଁଛୁ.. ସେ ପିଠିରେ ପଡ଼ିବନି..ଏମିତି ଶବ୍ଦରେ ନକ୍ଷତ୍ର ନ୍ୟୁଜ୍ ପ୍ରତିନିଧିଙ୍କୁ ଫୋନରେ ଧମକ ଦେଇଛନ୍ତି ବୁଗୁଡ଼ା ବିଡିଓ ତନ୍ମୟ ପାତ୍ର। ବୁଗୁଡ଼ା ବ୍ଲକ ଅନ୍ତର୍ଗତ ସୁନାକେରା ପ୍ରାଥମିକ ବିଦ୍ୟାଳୟ କିଭଳି ବିପଦସଙ୍କୁଳ ଅବସ୍ଥାରେ ଅଛି ଓ ନାନା ଅବ୍ୟବସ୍ଥା ଘେରରେ, ତଥାପି ପ୍ରଶାସନ ଶୁଣୁନଥିବା ସମ୍ପର୍କିତ ରିପୋର୍ଟ ପ୍ରସାରଣର ଏ ହେଉଛି ପ୍ରତିଫଳନ। ପିଇଓଙ୍କ ଫୋନରେ ଆଗ ସାମ୍ୱାଦିକ ଅଭିମନ୍ୟୁ ମିଶ୍ରଙ୍କୁ ଚାମ୍ୱରକୁ ଡକାଇଲେ ଦେଖା କରିବାକୁ। କାର୍ଯ୍ୟ ବ୍ୟସ୍ତତା ହେତୁ ଏବେ ଯାଇପାରିବିନି କହିବାରୁ ଫୋନ୍ ଧରିଲେ ବିଡ଼ିଓ ମହାଶୟ। ଆଉ ତା ପରେ ସାମ୍ୱାଦିକତାର ନୈତିକତାର ଶିକ୍ଷା ଦେଉ ଦେଉ ମୁହାଁଇଲେ ଓ ଦେଖାଇଲେ ଅଶାଳୀନ ବ୍ୟବହାର। ମାରିଦେବାକୁ ଧମକ ଦେବା ସହ ସତେ ଯେମିତି କୌଣସି ରାଜନୀତି ଦଳର ହାତବାରିସି ସାଜିଥିବାର ରୂପ କାଢିଲେ। ଏହାକୁ ନେଇ ଯେତେବେଳେ ବିଡ଼ିଓଙ୍କର ସ୍ପଷ୍ଟତା ଲୋଡିଥିଲୁ, ତେବେ ସଫେଇରେ ସଫା ସଫା ଏଡାଇଗଲେ ସବୁ ଅଭିଯୋଗକୁ। ଖବର ପ୍ରସାରଣ କରି ପ୍ରଶାସନକୁ ନିନ୍ଦିତ କରିବାର କୁଆଡ଼େ ପ୍ରୟାସ କରିଛନ୍ତି ସାମ୍ୱାଦିକ ବୋଲି କହୁଥିଲେ ବିଡ଼ିଓ ମହାଶୟ। ହେଲେ ଯେଉଁ ଅଭିଯୋଗ ଅଙ୍ଗନଓ୍ୱାଡି କର୍ମୀ, ପ୍ରଧାନ ଶିକ୍ଷୟତ୍ରୀ କରିଛନ୍ତି, ସେ କଅଣ ମିଛ। ଯଦି ମିଛ, ସତ ବାହାର କରିବାକୁ ଉଦ୍ୟମ କଲେ କି ବିଡ଼ିଓ ତନ୍ମୟ ପାତ୍ର। ସାମ୍ୱାଦିକ ଯଦି ମିଛ ଓ ଉଦେଶ୍ୟମୂଳକ ଖବର ପ୍ରସାରଣ କରିଥିବେ, ତେବେ ତାଙ୍କ ବିରୁଦ୍ଧରେ ଆଇନଗତ ଆକ୍ସନ ନେବାକୁ କାହାକୁ ମନା ଅଛି କି। ହେଲେ ଏମିତି ଅସଭ୍ୟ ଓ ଅଶାଳୀନତା ଆଚରଣ ପରେ ବି ସାମାନ୍ୟ ଅବଶୋଷ ବଦଳରେ ଫାଙ୍କି ଦେବା କେତେଦୂର ଯୁକ୍ତିଯୁକ୍ତ। ଯାହାକୁ ସବୁ ମହଲରେ ନିନ୍ଦା କରାଯାଇଛି। ସାମାଜିକ ଗଣମାଧ୍ୟମରେ ବି ବିଡ଼ିଓଙ୍କ ବିରୁଦ୍ଧରେ ବିଷୋଦଗାର କରିଛନ୍ତି ଅନେକ।

ବିଡ଼ିଓ ତନ୍ମୟ ପାତ୍ର କେଉଁ ହାରିଥିବା ନେତାଙ୍କ କଥା କହୁଛନ୍ତି। ପିଠିରେ କେହି ପଡ଼ିବେନି ବୋଲି ଏ ନାଲିଆଖି ଦେଖାଇବା ପଛରେ କିଏ ତାଙ୍କୁ ସାହସ ଦେଇଛି। କାହା ସାହାସରେ ବଳୀୟାନ ବିଡ଼ିଓ। ବୋଧହୁଏ ଭୁଲିଯାଉଛନ୍ତି କାହାର ହାତବାରିସି ସାଜି କାମ କଲେ ତାହାର ପରିଣତି କଅଣ ହୁଏ।  ଲୋକଙ୍କ ପାଇଁ ପ୍ରଶାସନ। ସମସ୍ୟା ଓ ସମାଧାନର ସେତୁ ଭାବେ କାମ କରେ ଗଣମାଧ୍ୟମ। ଭୁଲ୍ ଥିଲେ ଦଣ୍ଡ ମିଳୁ। ମାତ୍ର ବିନା ଭୁଲ୍‌ରେ ଭୟସଞ୍ଚାର କରି ଚତୁର୍ଥସ୍ତମ୍ଭକୁ ଆଖି ଦେଖାଇବା ବିଡ଼ମ୍ୱନା।

Leave a Reply

Your email address will not be published. Required fields are marked *