ଚାଟ୍ ଜିପିଟିରେ ପକ୍କା ରାସ୍ତା ତିଆରି କରିଦେଲେ ଠିକାଦାର। ନିଜର କଚ୍ଚା ରାସ୍ତାର ଫଟୋକୁ ଏଆଇ ଇମେଜ ଟୁଲ୍ ବ୍ୟବହାର କରି ସିମେଣ୍ଟ କଂକ୍ରିଟ୍ ରୋଡ କରିଦେଇ ଇଞ୍ଜିନିୟରଙ୍କୁ ପଠାଇଦେଲେ। ଆଉ ଏହାକୁ ସତ ମଣି ଇଞ୍ଜିନିୟର ବି ବିଲ୍ ପାସ୍ କରିବାକୁ କହିଦେଲେ। ଏଭଳି ଏକ ଧୋକ୍କାର କାହାଣୀ ସାମ୍ନାକୁ ଆସିଛି। ଗାଁର ଏକ କଚ୍ଚା ରାସ୍ତାକୁ ସିମେଣ୍ଟ କଂକ୍ରିଟ ରାସ୍ତା ଲାଗି ଠିକାଦାରଙ୍କୁ କାମ ମିଳିଥିଲା। କିନ୍ତୁ ସେ କାମ ବିଲକୁଲ ଆରମ୍ଭ କରିନଥିଲେ। ଯେତେବଳେ ଯନ୍ତ୍ରୀଙ୍କ ଓ୍ୱାଟସଅପରେ ମେସେଜ୍ ଆସିଲା ଯେ, କାମ କେତେବାଟ ଗଲା। ଠିକାଦାର ତୁରନ୍ତ ଚାଲାକି କରିଥିଲେ। ଗାଁର କଚ୍ଚା ରାସ୍ତାର ଫଟୋ ଉଠାଇ ଏହାକୁ ଚାଟ୍ ଜିପିଟିର ଇମେଜ ଟୁଲ୍ ରେ ପକାଇଥିଲେ। ଆଉ ଏହି ଫଟୋରେ ସିସି ରୋଡ୍ କରିଦେଇଥିଲେ। କିଛି ସେକେେଣ୍ଡ ଭିତରେ ଏଆଇ ଫଟୋ ବଦଳାଇ ପକ୍କା ସଡ଼କ ଦେଖାଇଦେଲା। ଆଉ ଏହି ନକଲି ଫଟୋକୁ ଇଞ୍ଜିନିୟରଙ୍କ ଓ୍ୱାଟସଅପରେ ପଠାଇଦେଇଥିଲେ। କାମ ଏତେ ସୁନ୍ଦର ହୋଇଥିବା ଦେଖି ଯନ୍ତ୍ରୀ ବି ଖୁସ୍ ହୋଇଥିଲେ। ଆଉ ବିଲ୍ ପଠାଇଲେ ତୁରନ୍ତ ଟଙ୍କା ମିଳିବ ବୋଲି କହିଥିଲେ। ରାସ୍ତା କାମରେ ଦୁର୍ନୀତି ଲାଗି ଶେଷରେ ଠିକାଦାର ଜଣକ ଏଆଇର ଦୁରୁପଯୋଗ କରିବାକୁ ପଛାଇଲେନି। ଆଉ ଯନ୍ତ୍ରୀ ବି ଗ୍ରାଉଣ୍ଡକୁ ଯାଇ ସ୍ଥିତି ନ ପରଖି ଓ୍ୱାଟସଅପରେ ଦେଖିଦେଇ ବିଲ୍ ପାସ୍ ଲାଗି ଗ୍ରୀନ୍ ସିଗନାଲ ଦେଇଦେଲେ। କାରଣ କୌଣସି ସିଭିଲ ଓ୍ୱାର୍କରେ ଯନ୍ତ୍ରୀ ନିଜେ ଯାଇ କାମର ଅନୁଧ୍ୟାନ କରିବା କଥା। ଇନଷ୍ଟାଗ୍ରାମରେ ନଟିଓ୍ୱାର୍ଲଡ ଦ୍ୱାରା ପୋଷ୍ଟ ହୋଇଥିବା ଏହି ଭିଡ଼ିଓକୁ ଲକ୍ଷ ଲକ୍ଷ ୟୁଜର୍ସ ଦେଖିସାରିଲେଣି। ଅନେକ ଏଭଳି କ୍ରିଏଟିଭିଟି ନେଇ ଥଟ୍ଟା କରିଛନ୍ତି ତ ଅନେକ ଚାଟ୍ ଜିପିଟିର ଦୁରୁପଯୋଗକୁ ନେଇ ଗମ୍ଭୀର ଚିନ୍ତାପ୍ରକଟ କରିଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now