ବାପାଙ୍କ କବରରେ ଫାତିହା ପଢ଼ୁଥିଲାବେଳେ ଛୁରୀ ଭୂଷି ମାରିଦେଲେ ଦୁର୍ବୃତ୍ତ

ଅନୈତିକ ସମ୍ପର୍କ ନେଇଗଲା ଜୀବନ। ବାପାଙ୍କ କବରରେ ଫାତିହା ପଢ଼ୁଥିଲା ବେଳେ ୨୫ ବର୍ଷୀୟ ପୁଅକୁ ଛୁରୀ ଭୁଷି ହତ୍ୟା କରିଦେଲେ ଦୁର୍ବୃତ୍ତ। ମୋରାଦାବାଦ ମର୍ଡରକୁ ନେଇ ସବୁଠି ଚହଳ ପଡ଼ିଯାଇଛି। ଅକ୍ଟୋବର ୨୧ରେ ୟୁସୁଫଙ୍କ ପିତାଙ୍କ ମୃତ୍ୟୁ ହୋଇଥିଲା। ଶୁକ୍ରବାର ନମାଜ ପରେ ମଶାଣୀକୁ ଯାଇ ବାପାଙ୍କ କବରରେ ଫାତିହା ପଢ଼ିବାକୁ ଯାଇଥିଲେ ୟୁସୁଫ। ଏତିକିବେଳେ ଦୌଲତବାଗର ଗଳିରୁ କିଛି ଲୋକ ଆସିଥିଲେ। ଅଚାନକ ସେମାନେ ୟୁସୁଫକୁ ଛୁରୀ ଭୁଷିଦେଲେ। ଏଭଳି ଆକ୍ରମଣ ଦେଖି ସେଠାରେ ଭିଡ଼ ଜମିବାରୁ ଭୟଭୀତ କରିବାକୁ ଆକ୍ରମଣକାରୀ ଫାଙ୍କା ଗୁଳିଚାଳନା କରିଥିଲେ। ଆଉ ଏହାର ମଉକା ନେଇ ଘଟଣାସ୍ଥଳରୁ ଖସିଯିବା ପରେ ୟୁସୁଫଙ୍କୁ ପରିଜନ ଲୋକେ ତୁରନ୍ତ ହସ୍ପିଟାଲ ନେଇଥିଲେ। କିନ୍ତୁ ହସ୍ପିଟାଲରେ ପହଞ୍ଚିବା ଆଗରୁ ୟୁସୁଫଙ୍କ ପ୍ରାଣବାୟୁ ଉଡ଼ିସାରିଥିଲା। ଏସ୍‌ପି କହିଛନ୍ତି, ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ବିଳମ୍ୱିତ ରାତିରେ ଅଭିଯୁକ୍ତ ଇକରାମ ଥାନାରେ ସରେଣ୍ଡର କରିଛି। ବାକି ଅଭିଯୁକ୍ତଙ୍କୁ ଗିରଫ ଲାଗି ତନାଘନା ଜାରି ରହିଛି। ମର୍ଡର ପଛର କାରଣ ବି ଖୁଲାସା କରିଛି ପୁଲିସ। ଅଭିଯୁକ୍ତ ଦିଲସାଦର ପତ୍ନୀ ୪ ମାସ ତଳେ ୟୁସୁଫଙ୍କ ସହ ନିକାହ କରିଥିଲେ। ଦିଲସାଦକୁ ତଲାକ୍ ଦେଇଥିଲେ। ୟୁସୁଫଙ୍କ ପ୍ରେମରେ ପଡ଼ିଥିଲେ ଦିଲସାଦର ପତ୍ନୀ। ସେବେଠୁ ଦୁଇ ପକ୍ଷ ଭିତରେ ବିବାଦ ଓ ଛକାପଞ୍ଝା ଜାରିଥିଲା।

ୟୁସୁଫଙ୍କ ଭାଇଙ୍କ ଏତଲା କ୍ରମେ ଚାରି ଭାଇ ଦିଲସାଦ, ଶାହାନାଓ୍ୱାଜ, ସର୍ଫରାଜ ଓ ଇକରାମଙ୍କ ସମେତ ସେମାନଙ୍କ ପିତା ଶମଶାଦ୍ ଓ କଂଗ୍ରେସ ଜିଲ୍ଲାପରିଷଦ ଶକୀଲଙ୍କ ବିରୁଦ୍ଧରେ ହତ୍ୟାମାମଲା ରୁଜୁ ହୋଇଛି। ୟୁସୁଫ ଓ ଦିଲସାଦଙ୍କ ଭିତରେ ନିବିଡ଼ ବନ୍ଧୁତା ଥିଲା। କିନ୍ତୁ ନିଜ ପତ୍ନୀ ନାହିଦାଙ୍କ ସହ ୟୁସୁଫଙ୍କ ପରକୀୟାପ୍ରୀତିକୁ କେନ୍ଦ୍ର କରି ଶତୃତା ବଢ଼ିଥିଲା। ଆଉ ଶେଷରେ ଏଥିଲାଗି ୟୁସୁଫଙ୍କ ଜୀବନ ଗଲା। ୟୁସୁଫଙ୍କ ପିତାଙ୍କ ପରଲୋକ ପରେ ୟୁସୁଫଙ୍କୁ ସବୁଦିନ ଲାଗି ରାସ୍ତାରୁ ହଟାଇବାକୁ ଷଡ଼ଯନ୍ତ୍ର କରିଥିଲେ ଦିଲସାଦର ପରିବାର। ଅଢ଼େଇ ମାସ ତଳେ ବି ନାହିଦାଙ୍କ ଦିଅର ଶାହାନାଓ୍ୱାଜ୍ ୟୁସୁଫଙ୍କୁ ରାସ୍ତାରେ ଅଟକାଇ ଧମକ ଦେଇଥିଲେ। ଦୁହିଁଙ୍କ ଭିତରେ ମାରପିଟ୍ ବି ହୋଇଥିଲା। ୟୁସୁଫଙ୍କ ପିତା ଜୀବିତ ଥିଲା ବେଳେ ଦୁଇ ପରିବାର ଭିତରେ ଥାନାରେ ଆପୋଷ ବୁଝାମଣା ହୋଇଯାଇଥିଲା। ଶାହାନାଓ୍ୱାଜ ଓ ୟୁସୁଫ ପରସ୍ପର ସହ କୋଳାକୋଳି ବି ହୋଇଥିଲେ। କିନ୍ତୁ ଭିତରେ ୟୁସୁଫକୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରୁଥିଲେ। ୟୁସୁଫଙ୍କ ପିତାଙ୍କ ପରଲୋକ ପରେ ୟୁସୁଫଙ୍କୁ ରେକି କରିବାକୁ ଆରମ୍ଭ କରିଥିଲେ ଦିଲସାଦ ପରିବାର।

ସ୍ୱାମୀକୁ ତଲାକ ଦେଇ ପ୍ରେମିକର ହାତ ଧରିଥିଲେ ନାହିଦା। କିନ୍ତୁ ଏହା ହିଁ କାଳ ସାଜିଲା। ୟୁସୁଫକୁ ମାରିଦେଲେ ଦିଲସାଦର ପରିବାର। ଏବେ ଦିଲସାଦର ପୁରା ପରିବାର ଯିବେ ଜେଲକୁ। ପ୍ରେମ ପାଇଁ ଛାରଖାର ହୋଇଗଲା ଦୁଇ ପରିବାର କହିଲେ ଭୁଲ୍ ହେବନି। ସେପଟେ ୟୁସୁଫଙ୍କ ମାଆ ନିଜ ପତି ଓ ପୁଅକୁ ୨୫ ଦିନ ବ୍ୟବଧାନରେ ହରାଇ ଭାଙ୍ଗିପଡ଼ିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *