ବଢୁଛି ମେକ୍ସିକୋର ଡେଡ ଜୋନ

Spread the love

ନୂଆଦିଲ୍ଲୀ: ଡେଡ ଜୋନ। ନାମରୁ ହିଁ ଏହାର ଭୟାବହତା ସମ୍ପର୍କରେ ଜଣାପଡି ଯାଉଛି। ଡେଡ ଜୋନ ବା ହାଇପୋକ୍ସିକ ଜୋନ ଏମିତି ଏକ ଅଞ୍ଚଳ ଯେଉଁଠାରେ ଅକ୍ସିଜେନର ଅଭାବ ରହିଥାଏ। ଏହା ସମୁଦ୍ରର ନିମ୍ନ ଭାଗରେ ରହିଛି। ଏହି ଡେଡ ଜୋନ ଅତ୍ୟନ୍ତ ବିପଦଶଙ୍କୁଳ ଓ ସାମୁଦ୍ରିକ ଜୀବଙ୍କୁ ନଷ୍ଟ କରିବାର କ୍ଷମତା ରଖିଛି।

ଏମିତି ତ ଦୁନିଆଯାକ ସମୁଦ୍ର ଉପକୂଳବର୍ତ୍ତୀ ଅନେକ ସ୍ଥାନ ରହିଛି ଯେଉଁଠି ପାଣିରେ ହଜାର ହଜାର ଡେଡ ଜୋନ ରହିଛି, କିନ୍ତୁ ମେକ୍ସିକୋର ଗଲ୍ଫର ଡେଡ ଜୋନ ଦୁନିଆର ସବୁଠାରୁ ବଡ ଡେଡ ଜୋନ। ତେବେ ଏଥିପାଇଁ ମଣିଷ ହିଁ ଦାୟୀ। ଏପରି କହିବାର ଯଥାର୍ଥତା ମଧ୍ୟ ରହିଛି।

ଦୁନିଆରେ ଯେଉଁଭଳି ଭାବେ ଜନସଂଖ୍ୟାରେ ବୃଦ୍ଧି ଘଟୁଛି, ତାହା ଖାଦ୍ୟର ଅଭାବ ଦେଖା ଦେଉଛି। ଖାଦ୍ୟାଭାବ ପାଇଁ ଚାଷରେ ଅଭିବୃଦ୍ଧି ପାଇଁ ମଣିଷ ନାନା ରାସାୟନିକ ସାରର ବ୍ୟବହାର କରୁଛି। ଫଳରେ ଫସଲ ଭଲ ଓ ଅଧିକ ଉପୁଜା ଯାଉଛି। ତେବେ ଫସଲ ସହ ସାମୁଦ୍ରିକ ଜୀବଙ୍କର କଣ ସମ୍ପର୍କ, ତାହା ଭାବୁଥିବେ। ହଁ ସାମୁଦ୍ରିକ ଜୀବଙ୍କର ପ୍ରତ୍ୟକ୍ଷ ନ ହେଲେ ମଧ୍ୟ ପରୋକ୍ଷ ସମ୍ପର୍କ ରହିଛି।

ଉଦାହରଣରେ ମିସିସିପି ନଦୀକୁ ନିଆଯାଉ। ଏହି ନଦୀ ଡ୍ରେନେଜ ସିଷ୍ଟମ ଭାବେ କାର୍ଯ୍ୟ କରିଥାଏ। ଏହା ୩୧ ଆମେରିକୀୟ ରାଜ୍ୟ ସହ କାନାଡାର କିଛି ଅଞ୍ଚଳକୁ ମଧ୍ୟ ଜୋଡିଥାଏ। ଯେତେବେଳେ ଜମିରେ ଚାଷୀ ରାସାୟନିକ ସାରର ବ୍ୟବହାର କରେ ସେତେବେଳେ ମାଟିରୁ ନାଇଟ୍ରୋଜେନ ଓ ଫସଫରସ ପରି ପୋଷକ ତତ୍ୱ ବର୍ଷା ଓ ତୁଷାର ପାତରେ ବହିଯାଇ ମିସିସିପି ନଦୀ ଜଳରେ ମିଶିଯାଏ।

ତେବେ ଖାଲି ରାସାୟନିକ ସାର ନୁହେଁ ସହରରେ ଥିବା କାରଖାନାର ବର୍ଜ୍ୟ ବସ୍ତୁ, ସ୍ୱେରେଜ ଲାଇନରୁ ବାହାରୁଥିବା ଦୁଷିତ ଜଳ ନଦୀରେ ମିଶି ନଦୀ ଜଳକୁ ପ୍ରଦୂଷିତ କରିଥାଏ। ନଦୀ ମାଧ୍ୟମରେ ଏସବୁ ମେକ୍ସିକୋର ଗଲ୍ଫ ଅଞ୍ଚଳକୁ ଚାଲିଯାଏ। ଗଲ୍ଫରେ ଏହି ଦୂଷିତ ତତ୍ତ୍ୱ ପହଞ୍ଚିବା ପୂର୍ବରୁ ପ୍ରାୟ ଏକ ହଜାର ମିଲ ଦୂରତା ଅତିକ୍ରମ କରିସାରିଥାଏ ଓ ଏହି ସମୟରେ ଏହା ଆହୁରି ଘାତକ ହୋଇଯାଏ। ପରେ ସମୁଦ୍ର ଜଳକୁ ପ୍ରଦୂଷିତ କରିଥାଏ।

ଏଥିରେ ସୃଷ୍ଟ ବିଭିନ୍ନ ଜୀବାଣିର ବଂଶ ବିସ୍ତାର ହୋଇାଏ। ସେସବୁ ସମୁଦ୍ରର ତଳ ଭାଗକୁ ଚାଲିଯାଇ ଅଧିକ ମାତ୍ରାରେ ଅକ୍ସିଜେନର ଉପଯୋଗ କରିବାରୁ ସେଠାରେ ଏହି ଗ୍ୟାସର ଅଭାବ ପରିଲକ୍ଷିତ ହୋଇଥାଏ। ଏହାକୁ ହାଇପୋକ୍ସିୟା କୁହାଯାଇଥାଏ। ସମୁଦ୍ର ଜଳରେ ଅକ୍ସିଜେନର ଅଭାବ ହେବାରୁ ବିଭିନ୍ନ ସାମୁଦ୍ରିକ ଜୀବଙ୍କୁ କ୍ଷତି ପହଞ୍ଚାଇଥାଏ।

ଗ୍ରୀଷ୍ମ ଋତୁରେ ଏମିତି ହୁଏ କି, ଗଲ୍ଫର ଡେଡ ଜୋନର ଆକାର ପ୍ରତି ବର୍ଷ ବୃଦ୍ଧି ପାଇଥାଏ। ବର୍ତ୍ତମାନ ସ୍ଥିତି ଏମିତି ହୋଇଛି କି, ଏହି ଡେଡ ଜୋନର ଆକାର ୩,୨୭୫ ବର୍ଗ ମିଲ ବା ନ୍ୟୁ ଜର୍ସି ସହର ଆକାରର ହେବାର ଆଶଙ୍କା କରାଯାଉଛି। ଅର୍ଥାତ୍ ଲକ୍ଷ ଲକ୍ଷ ଏକର ଜାଗାରେ ମାଛ ଓ ଅନ୍ୟ ଜଳ ଜୀବଙ୍କ ପ୍ରଜନନ କ୍ଷମତା ହ୍ରାସ ପାଇବାରେ ଲାଗିଛି।

ଯାହା ଆଗାମୀ ଦିନରେ ଏହି ଜୀବଙ୍କ ବଂଶ ଲୁପ୍ତ କରିଦେବାର ସମ୍ଭାବନା ସୃଷ୍ଟି କରିି। ଏଥିସହ ଜଳବାୟୁ ପରିବର୍ତ୍ତନ ଏହି ସମସ୍ୟାକୁ ଆହୁରି ବଢାଇ ଦେଉଛି।

Leave a Reply

Your email address will not be published. Required fields are marked *