ବିସିସିଆଇର କଠୋର ନିଷ୍ପତ୍ତି । ଖେଳାଳିଙ୍କ ସାଙ୍ଗେ ଯାଇ ପାରିବେନି ପତ୍ନୀ । ଟୁର୍ଣ୍ଣାମେଣ୍ଟ ସମୟରେ କ୍ରିକେଟର ପତ୍ନୀଙ୍କ ସାଙ୍ଗେ ରହି ପାରିବେ ନାହିଁ । ପୁରା ସମୟ ନୁହେଁ କେବଳ ୨ ସପ୍ତାହ ଏକାଠି ରହିବାକୁ ଅନୁମତି ମିଳିବ । ଅନ୍ୟ ପରିବାର ବର୍ଗ ଓ ବାନ୍ଧବୀଙ୍କ ପାଇଁ ମଧ୍ୟ ସମାନ ନିୟମ ଲାଗୁ ହେବ । ନିକଟରେ ବର୍ଡର ଗାଭାସ୍କର ଟ୍ରଫି ଅଷ୍ଟ୍ରେଲିଆ ବିପକ୍ଷରେ ୧-୩ରେ ଅତ୍ୟନ୍ତ ଲଜ୍ଜାଜନକ ଭାବେ ହାରିଥିଲା ଭାରତୀୟ କ୍ରିକେଟ ଟିମ । ତା ପରେ ଏଭଳି ନିୟମ ଆଣିବାର ଯୋଜନା କରାଯାଉଛି । ଭାରତୀୟ ଟିମର ଖରାପ ପ୍ରଦର୍ଶନକୁ ନେଇ ପ୍ରବଳ ସମାଲୋଚନା ହୋଇଥିଲା। ଅଧିନାୟକ, ଖେଳାଳି, କୋଚ୍ ଏପରିକି ବିସିସିଆଇର ନିତୀ ନିୟମକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । ସେଥିପାଇଁ କଠୋର ଆଭିମୁଖ୍ୟ ସହ କିଛି ନିୟମ ଖେଳାଳିଙ୍କ ଶୃଙ୍ଖଳା ପାଇଁ କରିବାକୁ ଯାଉଛି ବିସିସିଆଇ । ନିକଟରେ ଅଷ୍ଟ୍ରେଲିଆ ମ୍ୟାଚ ସମୀକ୍ଷା ପାଇଁ ହେଡ କୋଚ୍ ଗୌତମ ଗମ୍ଭୀର,ଚୟନକର୍ତ୍ତା ଅଜିତ ଅଗରକର, ଅଧିନାୟକ ରୋହିତ ଶର୍ମାଙ୍କ ଉପସ୍ଥିତିରେ ବୈଠକ ହୋଇଥିଲା । ସେହିଠାରେ ହିଁ ନୂଆ ନିର୍ଦ୍ଦେଶାବଳୀ ସ୍ଥିର ହୋଇଛି ।
ଯଦି କୌଣସି ସିରିଜ ୪୫ ଦିନ କିମ୍ୱା ତା ଠାରୁ ଅଧିକ ଅବଧିର ହୁଏ ତେବେ ପରିବାର ଲୋକଙ୍କୁ ୧୪ ଦିନ ଏକାଠି ରହିବାର ଅନୁମତି ମିଳିବ ଯଦି ସିରିଜ ସମୟ ତା ଠାରୁ କମ ହୋଇଥିବ ତେବେ ମାତ୍ର ୭ ଦିନ ଏକାଠି ରହିପାରିବେ । ୭ ଦିନରୁ ଅଧିକ ସମୟ ଗୋଟେ ହୋଟେଲରେ ରହି ପାରିବେନି ଖେଳାଳି ଓ ତାଙ୍କ ପରିବାରବର୍ଗ। ସମସ୍ତ ଖେଳାଳି ଟିମ ବସରେ ଯାତ୍ରା କରିବା ବାଧ୍ୟତାମୂଳକ କରାଯିବ । ହେଡ କୋଚଙ୍କ ବ୍ୟକ୍ତିଗତ ମ୍ୟାନେଜର ଭିଆଇପି ବକ୍ସରେ ବସି ପାରିବେନାହିଁ । ଖେଳାଳିଙ୍କ ପାଇଁ ଉଦ୍ଦିଷ୍ଟ ବସରେ ଯିବାକୁ ଅନୁମତି ମିଳିବନାହିଁ । ଏପରିକି ଖେଳାଳି ରହୁଥିବା ହୋଟେଲରେ ସେ ରହି ପାରିବେ ନାହିଁ । ଖେଳାଳିଙ୍କ ଲଗେଜ୧୫୦ କେଜିରୁ ଅଧିକ ହେଲେ ବିସିସିଆଇ ଅତିରିକ୍ତ ସାମଗ୍ରୀର ଶୁଳ୍କ ପଇଠ କରିବନାହିଁ ।
ବିଗତ ମ୍ୟାଚରେ ଦୁର୍ବଳ ପ୍ରଦର୍ଶନ ଯୋଗୁଁ ଦଳ ୱାଲ୍ଡ ଟେଷ୍ଟ ଚାମ୍ପିଅନସିପରୁ ବାହାର ହୋଇଛି । ଏବଂ ଫାଇନାଲକୁ ଯିବା ସ୍ୱପ୍ନ ଭାଙ୍ଗିଯାଇଛି । ଯାହାକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ଡ୍ରେସିଂରୁମର ଗୁମର ବାହାରକୁ ଆସିବା, ସମନ୍ୱୟର ଅଭାବ ରହିବା ଭଳି ଅନେକ ଅଭିଯୋଗ ହୋଇଥିଲା । ରବିଚନ୍ଦ୍ରନ ଅଶ୍ୱିନଙ୍କ ସନ୍ୟାସରୁ ନେଇ ଶେଷ ମ୍ୟାଚରେ ରୋହିତ ଶର୍ମା ନିଜକୁ ଟିମରୁ ବାହାରେ ରଖିବା ଯାଏଁ ବିବାଦୀୟ ହୋଇଥିଲା । ଟିମ ମେମ୍ୱର ଠାରୁ ଅଲଗା ହୋଇ ନିଜ ପରିବାର ସହ ବିରାଟ କୋହଲି ଓ ଜସପ୍ରୀତ ବୁମରା ବୁଲିବା ଚର୍ଚ୍ଚାକୁ ଆସିଥିଲା ।
ଖେଳାଳିଙ୍କ ଧ୍ୟାନ ଖେଳରୁ ଯେଭଳି ଅନ୍ୟତ୍ର ନଯାଏ ସେଥିପାଇଁ ଏଭଳି ନିୟମ କରାଯାଉଥିବା କୁହାଯାଉଛି। ବିଭିନ୍ନ ସମୟରେ ସ୍ତ୍ରୀ ପିଲାଙ୍କ ସହ ଛୁଟି କଟାଇବା ଭଳି ପ୍ଲେୟାର ମାନେ ଯାଉଥିବା ଅଭିଯୋଗ ହୋଇ ଆସୁଥିଲା । ତେବେ ବିସିସିଆର ସମୀକ୍ଷା ବୋଧେ ଗୋଟିଏ ନିଷ୍କର୍ଷରେ ପହଞ୍ଚିଛି ।ସ୍ତ୍ରୀମାନେ ହିଁ ଖେଳ ବିଗାଡୁଛନ୍ତି ।ପ୍ରଦର୍ଶନ କରାପ ପଛରେ ସେମାନେ ହିଁ ଦାୟୀ । ବିଭିନ୍ନ ସମୟରେ ପତ୍ନୀଙ୍କ ଉପସ୍ଥିତିରେ ମ୍ୟାଚ ଖେଳି ଦମଦାର ପ୍ରଦର୍ଶନ କରିଛନ୍ତି ଷ୍ଟାର କ୍ରିକେଟରମାନେ ।ତେଣୁ ଏଭଳି ନିୟମକୁ ନେଇ ଖେଳାଳିଙ୍କ ସହ ଅନୁଷ୍କା,ସଞ୍ଜନା,ଅଥୀୟା ଓ ପୃଥ୍ୱୀଙ୍କ କଣ ରହିବ ପ୍ରତିକ୍ରିୟା ତାକୁ ଅପେକ୍ଷା ।

Naxatra News is now on Whatsapp
Join and get latest news update delivered to you via whatsapp
Join Now