ଯୁଦ୍ଧ ବେଳେ ଆଇପିଏଲ ସସପେଣ୍ଡ

ଭାରତ-ପାକିସ୍ତାନ ଉତ୍ତେଜନା ପରିପ୍ରେକ୍ଷୀରେ ସସପେଣ୍ଡ ହେଲା ଆଇପିଏଲ। ସମସ୍ତ ବିଦେଶୀ ଖେଳାଳୀଙ୍କୁ ସେମାନଙ୍କ ଦେଶକୁ ପଠାଇ ଦିଆଯାଇଛି। ବିଦେଶୀ ଖେଳାଳୀଙ୍କ ନିରାପଦ ଭାବେ ଫେରିବାକୁ ବିସିସିଆଇ ବି ସୁନିଶ୍ଚିତ କରିବ। ବିସିସିଆଇ କହିଛି, ଯୁଦ୍ଧ ଜାରି ବେଳେ କ୍ରିକେଟ୍ କେମିତି ଚାଲିବ। ଗୁରୁବାର ରାତିରେ ଆଇପିଏଲ ୨୦୨୫ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ଭିତରେ ଚାଲିଥିଲା ଖେଳ। ଧର୍ମଶାଳା ଗ୍ରାଉଣ୍ଡରେ ଚାଲିଥିବା ଖେଳକୁ ଅଧାରୁ ବନ୍ଦ କରିଦିଆଯାଇଥିଲା। ପୁରା ଷ୍ଟାଡିୟମକୁ ବ୍ଲାକ୍ ଆଉଟ୍ କରି ଦର୍ଶକଙ୍କୁ ଷ୍ଟାଡିୟମ ଛାଡ଼ିବାକୁ କୁହାଯାଇଥିଲା। ଫ୍ଲଡଲାଇଟ୍ ବନ୍ଦ କରିଦିଆଯାଇଥିଲା। କାରଣ ସେତିକିବେଳେ ସୀମାନ୍ତବର୍ତ୍ତୀ କ୍ଷେତ୍ରରେ ଘନ ଘନ ଡ୍ରୋନ୍ ଆଟାକ୍ ଜାରି ଥିଲା। ଜମ୍ମୁକଶ୍ମୀର, ରାଜସ୍ଥାନ ଓ ପଞ୍ଜାବର ଅନେକ ଅଞ୍ଚଳରେ ପାକିସ୍ତାନ ଆଟାକ୍ ଲାଗି ପ୍ରୟାସ କରିଥିଲା। ଏମିତି ସ୍ଥିତିରେ ଆଇପିଏଲ-୨୦୨୫ ଉପରେ ବି ସଂକଟର ବାଦଲ ଛାଇ ହୋଇଥିଲା। ଆଇପିଏଲ ମ୍ୟାଚକୁ ଏବେ ଅନିର୍ଦ୍ଦିଷ୍ଟ କାଳ ଲାଗି ସ୍ଥଗିତ କରିଦେଇଛି ବିସିସିଆଇ। ଭାରତୀୟ କ୍ରିକେଟ ଟିମର ଇଂଲଣ୍ଡ ଗସ୍ତ ସରିବା ପରେ ବାକି ଥିବା ଟୁର୍ଣ୍ଣାମେଣ୍ଟ ଖେଳାଯାଇପାରେ ବୋଲି କୁହାଯାଉଛି। ଫାଇନାଲ ସମେତ ମୋଟ୍‌ ୧୬ଟି ମୁକାବିଲା ହେବାର ଥିଲା। ଆଇପିଏଲର ଫାଇନାଲ୍ ମ୍ୟାଚ ମେ ୨୫ରେ କୋଲକାତାରେ ହେବାର ଥିଲା। ଯେଉଁଥିରେ ପ୍ଲେ-ଅଫ ମ୍ୟାଚ୍ ଖେଳାଯିବ। ଭାରତୀୟ ଟିମ୍ ଜୁନ୍ ୬ରେ ଇଂଲଣ୍ଡ ଯିବାର ଅଛି।  ପଞ୍ଜାବ ଓ ଦିଲ୍ଲୀ ଟିମ୍ ଖେଳାଳୀଙ୍କ ସମେତ ସପୋର୍ଟ ଷ୍ଟାଫ୍, ବ୍ରଡକାଷ୍ଟିଂ ଟିମକୁ ନେଇ ଏକ ସ୍ୱତନ୍ତ୍ର ଟ୍ରେନ୍ ପଠାନକୋଟରୁ ଦିଲ୍ଲୀ ଆସିବାର ଥିଲା। କିନ୍ତୁ ସୁରକ୍ଷା ଦୃଷ୍ଟିକୋଣରୁ ରେଲଓ୍ୱେକୁ ସ୍ପେଶିଆଲ ଟ୍ରେନ୍ ଅନୁମତି ମିଳୁନି। ସେଥିଲାଗି ଖେଳାଳୀଙ୍କୁ ସଡ଼କ ମାର୍ଗରେ ପଞ୍ଜାବ ଆସି ଏଠାରୁ ବିମାନ ଯୋଗେ ଦିଲ୍ଲୀ ତଥା ଅନ୍ୟ ସହରକୁ ଯିବାର ବ୍ୟବସ୍ଥା ହୋଇଛି। ଆଇପିଏଲ ଅଧ୍ୟକ୍ଷ ଅରୁଣ ଧୁମଲ ଗୁରୁବାର ରାତିରେ କହିଥିଲେ, ଏବେକାର ସ୍ଥିତିରେ ଆଇପିଏଲ ୧୮ତମ ସଂସ୍କରଣ ଜାରି ରହିବ। କିନ୍ତୁ ବିସିସିଆଇ ଏହାକୁ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଛି। ଏହା ପୂର୍ବରୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ବି ପାକିସ୍ତାନ ସୁପର ଲିଗ୍ (ପିଏସଏଲ)କୁ ଦୁବାଇକୁ ସ୍ଥାନାନ୍ତରିତ ଲାଗି ନିଷ୍ପତ୍ତି ନେଇସାରିଛି। ଭାରତ-ପାକିସ୍ତାନ ଉତ୍ତେଜନାକୁ ଦେଖି କ୍ରିକେଟ ଅଷ୍ଟ୍ରେଲିଆ ବି ସ୍ଥିତି ଉପରେ ନଜର ରଖିଥିଲା। ଅଷ୍ଟ୍ରେଲିଆର ଅନେକ ଖେଳାଳୀ ଆଇପିଏଲରେ ଖେଳୁଛନ୍ତି। ଅଷ୍ଟ୍ରେଲିଆ ସରକାର ପିସିବି, ବିସିସିଆଇ ଓ ସ୍ଥାନୀୟ ସରକାରଙ୍କ ସହ ନିୟମିତ ସମ୍ପର୍କରେ ରହି ଅପଡେଟ୍ ନେଉଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *