ଦୋହା ଡାଇମଣ୍ଡ ଲିଗରେ ନୂଆ କୀର୍ତ୍ତି ରଚିଲେ ନୀରଜ ଚୋପ୍ରା। ଦୋହାର ସୁହେମ ବିନ୍ ହମାଦ ଷ୍ଟାଡିଅମରେ ପୁରୁଷ ଜାଭେଲିନ ଥ୍ରୋ ଇଭେଣ୍ଟରେ ନିଜର ତୃତୀୟ ପ୍ରୟାସରେ ୯୦.୨୩ ମିଟରକୁ ଫୋପାଡ଼ିଛନ୍ତି ନୀରଜ। ପ୍ରଥମ ଥର ୯୦ ମିଟର ବ୍ୟାରିଅର କ୍ରସ୍ କଲେ ନୀରଜ। ଏହି ଲିଗରେ ଜର୍ମାନୀର ଜୁଲିୟନ ବେବର ଯଦିଓ ବାଜି ମାରିନେଲେ। କିନ୍ତୁ ନୀରଜ ଦ୍ୱିତୀୟ ସ୍ଥାନରେ ରହିଲେ। ବେବର ନିଜର ଶେଷ ପ୍ରୟାସରେ ୯୧.୦୬ ମିଟର ଦୂରକୁ ଫିଙ୍ଗିଥିଲେ ଜାଭେଲିନ୍। ବେବର ବି ପ୍ରଥମ ଥର ୯୦ ମିଟରରୁ ଅଧିକ ଦୂରକୁ ଜାଭେଲିନ ଥ୍ରୋ କରି ଦୁନିଆର ୨୬ତମ ଖେଳାଳୀ ସାଜିଲେ। ସେପଟେ ନୀରଜ ଏଭଳି କୀର୍ତ୍ତି ରଚିବାରେ ଦୁନିଆର ୨୫ତମ ଖେଳାଳୀ ଭାବେ ନିଜ ନାଁ ରଖିଲେ। ଦୁଇ ଥର ଅଲମ୍ପିକ୍ସ ପଦକ ବିଜେତା ନୀରଜ ବି ପ୍ରଥମ ଥର ୯୦ ମିଟର କ୍ରସ କରି ୯୦.୨୩ ମିଟର ଦୂରକୁ ଫିଙ୍ଗି ନୂଆ କୀର୍ତ୍ତି ରଚିଛନ୍ତି। ସେପଟେ ଦୁଇ ଥର ବିଶ୍ୱ ଚାମ୍ପିଅନସିପ୍ ଓ ପ୍ୟାରିସ୍ ଅଲମ୍ପିକ୍ସରେ କାଂସ୍ୟ ପଦ ବିଜେତା ଗ୍ରେନାଡାର କେ ଆଣ୍ଡରସନ ପିଟର୍ସ ୮୪.୬୫ ମିଟର ଥ୍ରୋ କରି ତୃତୀୟ ସ୍ଥାନରେ ରହିଲେ। ଭାରତର କିଶୋର ଜେନା ୭୮.୬୦ ମିଟର ଫିଙ୍ଗି ଅଷ୍ଟମ ସ୍ଥାନ ଅଧିକାର କରିଛନ୍ତି। ନୀରଜ ନୂଆ ରେକର୍ଡ କରିବା ପରେ କହିଛନ୍ତି, ଆସନ୍ତା ଟୁର୍ଣ୍ଣାମେଣ୍ଟରେ ଏହାଠୁ ଅଧିକ ଭଲ ପ୍ରଦର୍ଶନ କରିବେ। ନୀରଜ ପ୍ରଥମ ଥର ଦୋହା ଡାଇମଣ୍ଡ ଲିଗରେ ୨୦୧୮ରେ ଭାଗ ନେଇଥିଲେ। ସେତେବେଳେ ୮୭.୪୩ ମିଟରର ଥ୍ରୋ କରି ଚତୁର୍ଥ ସ୍ଥାନ ଅଧିକାର କରିଥିଲେ। ୨୦୨୩ରେ ଏଠାରେ ୮୮.୬୭ ମିଟର ଫିଙ୍ଗି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଆଉ ୨୦୨୪ରେ ୮୮.୩୬ ମିଟର ଥ୍ରୋ କରି ଦ୍ୱିତୀୟ ସ୍ଥାନରେ ଥିଲେ। ନୀରଜଙ୍କ ଏହି ନୂଆ କୀର୍ତ୍ତି ନେଇ ପ୍ରଧାନମନ୍ତ୍ରୀ ତାଙ୍କୁ ଶୁଭେଛା ଜଣାଇଛନ୍ତି। ନୀରଜଙ୍କ ସଫଳତାର ଶ୍ରେୟ ତାଙ୍କର ପରିଶ୍ରମ, ସମର୍ପଣ, ଅନୁଶାସନ ଓ ଇଛାଶକ୍ତିକୁ ଯାଉଛି। ନିଜ କ୍ୟାରିଅରର ସର୍ବଶ୍ରେଷ୍ଠ ଉପଲବ୍ଧି ଲାଗି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

Naxatra News is now on Whatsapp
Join and get latest news update delivered to you via whatsapp
Join Now