ଆଜି ଠାରୁ ପ୍ୟାରିସରେ ଆରମ୍ଭ ହେବାକୁ ଯାଉଛି ପାରାଲିମ୍ପିକ୍ସ କ୍ରୀଡ଼ାର ୧୭ତମ ସଂସ୍କରଣ। ଅନ୍ତର୍ଜାତୀୟ ପାରାଲିମ୍ପିକ୍ସ କମିଟି ଆନୁକୂଲ୍ୟରେ ହେବାକୁ ଯାଉଥିବା ଏହି ପ୍ରତିଯୋଗିତା ସେପ୍ଟେମ୍ବର ୮ ପର୍ଯ୍ୟନ୍ତ ଚାଲିବ। ଏଥିରେ ୧୬୯ଟି ଦେଶର ୪୪୦୦ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିବେ। ମୋଟ୍ ୨୨ଟି କ୍ରୀଡ଼ାରେ ୫୪୯ ଇଭେଣ୍ଟରେ ପ୍ରତିଯୋଗିତା ଆୟୋଜିତ ହେବ। ଏଥିରେ ଭାରତରୁ ୮୪ଜଣ ଆଥ୍ଲେଟ୍ ୧୨ଟି କ୍ରୀଡ଼ା ଶୃଙ୍ଖଳାରେ ଅଂଶଗ୍ରହଣ କରିବେ। ଯେଉଁଥିରେ ୩୨ଜଣ ମହିଳା ଖେଳାଳି ରହିଛନ୍ତି। ପ୍ରଥମ ଥର ପାଇଁ ଫ୍ରାନ୍ସ ପାରାଲିମ୍ପିକ୍ସ ଆୟୋଜନ କରିବାର ସୁଯୋଗ ପାଇଛି। ଉଦ୍ଘାଟନୀ ଉତ୍ସବ ଫ୍ରାନ୍ସର ରାଜଧାନୀ ପ୍ୟାରିସର ଐତିହାସିକ ଡି ଲା କଂକ୍ରୋଡ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବ। ଉଦ୍ଘାଟନୀ ସମାରୋହରେ ଥୋମାସ ଜୋଲିଙ୍କ ନେତୃତ୍ବରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିରେ ୪୪୦୦ କ୍ରୀଡ଼ାବିତଙ୍କ ସହ ୧୮୪ଜଣ ବିଭିନ୍ନ ଦେଶର ପ୍ରତିନିଧି ସାମିଲ ହେବେ। ଉଦ୍ଘାଟନୀ ଉତ୍ସବରେ ଭାରତ ପକ୍ଷରୁ ଜାଭେଲିନ ଫିଙ୍ଗାଳି ସୁମିତ ଅନ୍ତିଲ ଓ ମହିଳା ସଟ୍ପୁଟ ଫିଙ୍ଗାଳି ଭାଗ୍ୟଶ୍ରୀ ଯାଦବ ଧ୍ବଜା ବହନ କରିବେ। ଭାରତୀୟ ସମୟ ରାତି ୧୧ଟା୩୦ରେ ଉଦ୍ଘାଟନୀ ଉତ୍ସବ ଆୟୋଜିତ ହେବ। ପ୍ରତିଯୋଗିତା ୨୯ରୁ ଆରମ୍ଭ ହେବ। ପ୍ରତିଯୋଗିତାରେ ଭାରତ ଉନ୍ନତ ପ୍ରଦର୍ଶନ କରିବାର ଲକ୍ଷ୍ୟ ରଖିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now