16 days puja of maa durga

  • ମା ଚର୍ଚ୍ଚିକା ପୀଠରେ ଷୋଡଶ ଉପଚାର ପୂଜାରମ୍ଭ

    ବାଙ୍କି: ଧରାଧାମକୁ ଜଗତ ଜନନୀ ମା ଦୁର୍ଗାଙ୍କ ଆଗମନକୁ ନେଇ ଏବେ ଉତ୍ସବ ମୁଖର ଗାଁ ଠୁ ସହର। ସେପଟେ କାଶତଣ୍ଡି ନିଜର ଧୋବ ଫରଫର ଫୁଲରେ ସ୍ୱାଗତ କରୁଛି ମାଙ୍କ ଆଗମନକୁ । ଆଜି ଠାରୁ ବିଭିନ୍ନ ଶକ୍ତି ପୀଠରେ ଆରମ୍ଭ ହୋଇଯାଇଛି ଷୋଡଶ ଉପଚାରରେ ମାଙ୍କ ପହିଲି ପୂଜା । ତେଣୁ ଚଳଚଞ୍ଚଳ ହୋଇଉଠୁଛି ବାଙ୍କୀର ମା ଚର୍ଚ୍ଚିକାଙ୍କ ପୀଠ ।

     ଆଜିଠୁ ୧୬ ଦିନ ଯାଏଁ ଚାଲିବ ମା ଚର୍ଚ୍ଚିକା ପୀଠରେ  ଷୋଡଶ ଉପଚାରରେ ଶରତ କାଳୀନ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। । ଏହି ଶରତ କାଳୀନ ପୂଜା ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ୧୬ ଦିନ ବ୍ୟାପୀ ବିଭିନ୍ନ ବେଶରେ ଭକ୍ତ, ଶ୍ରଦ୍ଧାଳୁ ଓ ମାନସିକ ଧାରୀଙ୍କୁ  ଦର୍ଶନ  ଦେବେ ମା ଚର୍ଚ୍ଚିକା । ପୂର୍ବ ବିଧିପରମ୍ପରା ଅନୁଯାୟୀ ମନ୍ଦିର ରାଜଗୁରୁ ଭବାନୀ ଶଙ୍କର ମହାପାତ୍ରଙ୍କ ଦ୍ୱାରା ବାଙ୍କୀ ରାଜା ଦୁର୍ଗା ମାଧବ ଶ୍ରୀ ଚନ୍ଦନ ମହାପାତ୍ରଙ୍କୁ ପ୍ରଥମେ କରାଯାଇଥିଲା ବରଣୀ ।   ପରେ ମାଙ୍କ ସମ୍ମୁଖରେ ସ୍ଥାପନ କରାଯାଇଥିଲା ସଂକଳ୍ପ କଳସୀ । ଏହା ପରେ ପରେ ସେବାୟତ ମାନଙ୍କ ଦ୍ୱାରା ମହାନଦୀର ଶହେ ଆଠ ଗରା ରେ ପବିତ୍ର ଜଳ ଅଣାଯାଇ ମା ଙ୍କୁ ସ୍ନାନ କରାଯାଇଥିଲା । ଏହାପରେ ଆରମ୍ଭ ହୋଇଯାଇଥିଲା ଶାରଦୀୟ ଦୁର୍ଗା ପୂଜାକୁ ନେଇ ସେବାୟତ ମାନଙ୍କ ଦ୍ୱାରା ମାଙ୍କ ପହିଲି ପୂଜାର ପହିଲି ବେଶ ।

    ସେପଟେ  ମା ଙ୍କର ଏହି ପୀଠ ର ବିଶେଷତ୍ୱ ରହିଛି ମା ଙ୍କ ସମ୍ମୁଖରେ ସ୍ଥାପନ କରାଯାଇଥିବା ସଂକଳ୍ପ କଳସୀ ର ତଳେ ରହିଥିବା ଉଷୁନା ଧାନ ଗଜା ହୋଇଥାଏ । ଏହା ସହିତ ପ୍ରତ୍ୟକ ଦିନ ମା ଙ୍କ ସମ୍ମୁଖରେ ରାମାୟଣ ପଠନ ସହିତ ଚଣ୍ଡି ପାଠ କରାଯାଏ । ଯାହା ଅନ୍ୟ କେଉଁ ଶକ୍ତି ପୀଠରେ ଦେଖିବାକୁ ମିଳେ ନାହିଁ । ଅପର ପଟେ ଦୀର୍ଘ ୨ ବର୍ଷର ବ୍ୟବଧାନ ପରେ କଟକଣା ମୁକ୍ତ ଦୁର୍ଗା ପୂଜା ପାଳନ ରହିଥିବା ବେଳେ ବହୁ ସଂଖ୍ୟାରେ ଭକ୍ତ ମାନସିକଧାରୀ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ରହିବ ମା ଙ୍କ ର ଏହି ପୀଠ ରେ । ଏହାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

    ମନୋଜ କୁମାର ଦଳେଇଙ୍କ ରିପୋର୍ଟ

Back to top button