akhaya parija

  • ଅକ୍ଷୟଙ୍କୁ ତିନି କୋଟି ମାଗିଥିଲେ ବ୍ଲାକମେଲ କୁଇନ

    ଭୁବନେଶ୍ୱର: ସିନେମା ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ୩ କୋଟି ଟଙ୍କା ମାଗିଥିଲେ ଅର୍ଚ୍ଚନା। ଟଙ୍କା ନ ଦେଲେ ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ ବ୍ଲାକମେଲ କୁଇନ। ପରିଜାଙ୍କୁ ଧମକ ଦେଇ କହିଥିଲେ, ଜଣେ ଯୁବତୀଙ୍କ ସହ ତୁମର ଆପତ୍ତିଜନକ ଭିଡିଓ ମୋ ହାତରେ ଅଛି। ମୋତେ ୩ କୋଟି ନ ଦେଲେ ତୁମକୁ ବରବାଦ କରିଦେବି। କାଟି ପିସ ପିସ କରି କାଟିଦେବି। ଏହାକୁ ନେଇ ଏବେ ଅର୍ଚ୍ଚନା ବନ୍ଧା ହୋଇଛନ୍ତି।

    ଅର୍ଚ୍ଚନାଙ୍କ ବିରୋଧରେ ଭୁବନେଶ୍ବରରେ ଦୁଇଟି ମାମଲା ହୋଇଥିଲା। ଗୋଟିଏ ଅକ୍ଟୋବର ୨ରେ ଜଣେ ଯୁବତୀ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିବା ବେଳେ  ଅନ୍ୟ ଅଭିଯୋଗ କରିଥିଲେ ଅକ୍ଷୟ ପରିଜା ସେପ୍ଟେମ୍ବର ୩୦ ତାରିଖରେ। ପରିଜା ଅଭିଯୋଗ କରିଥିଲେ କି, ଅର୍ଚ୍ଚନା ନାଗ ଜଣେ ଯୁବତୀଙ୍କ ଜରିଆରେ ତାଙ୍କୁ ବ୍ଲାକ ମେଲ କରୁଛି। ଏକ ହୋଟେଲକୁ ଡକାଇ ନିଜକୁ ଜଣେ ଓକିଲ କହିବା ସହ ତାଙ୍କଠାରୁ ୩ କୋଟି ମାଗିଛନ୍ତି। ଟଙ୍କା ନ ଦେଲେ ତାଙ୍କୁ ହାଣି ଖଣ୍ଡ ଖଣ୍ଡ କରିବାକୁ ପରିଜା ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ।

    ସେହିପରି ମହିଳା ଜଣଙ୍କ ଅଭିଯୋଗ କରିଥିଲେ କି, ଅର୍ଚ୍ଚନା ତାଙ୍କ ସହ ବନ୍ଧୁତ୍ବ କରିଥିଲେ। ପରେ କୌଣସି ଉପାୟରେ ତାଙ୍କ କିଛି ଆପତ୍ତିଜନକ ଫଟୋ ଉଠାଇ ତାଙ୍କୁ ବ୍ଲାକମେଲ କରୁଥିଲେ। ସେସବୁ ଦେଖାଇ ସେ ଅନ୍ୟ ବ୍ୟକ୍ତିମାନଙ୍କ ସହ ତାଙ୍କୁ ସମ୍ପର୍କ ବଢାଇବାକୁ ବାଧ୍ୟ କରୁଛନ୍ତି। ଅନେକ ବଡ ବଡ ଲୋକ, ଫିଲ୍ମ ଜଗତର ହସ୍ତିଙ୍କୁ ଫସାଇ ଅନ୍ତରଙ୍ଗ ସମୟର ଫଟୋ ଓ ଭିଡିଓ ତାଙ୍କୁ ଦେବାକୁ କହୁଥିଲେ। ସେସବୁ ପାଇବା ପରେ ସେ ସେମାନଙ୍କୁ ବ୍ଲାକମେଲ କରୁଥିବା ଅଭିଯୋଗ ହୋଇଥିଲା।

    ଅଭିଯୋଗ ଆଧାରରେ ପୁଲିସ ଅର୍ଚ୍ଚନାଙ୍କୁ ଗିରଫ କରିଛି। ଆବଶ୍ୟକ ହେଲେ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବେ ବୋଲି କହିଛନ୍ତି ଡିସିପି। ଏଥିସହ ଅର୍ଚ୍ଚନାଙ୍କ ଘରୁ ପୁଲିସ ତାଙ୍କ ମୋବାଇଲ, ଟାବଲେଟ, ପେନ୍‌ଡ୍ରାଇଭ, ଲ୍ୟାପଟପ ଆଦିକୁ ଜବତ କରି ଯାଞ୍ଚ କରୁଛି। ଅର୍ଚ୍ଚନାଙ୍କ ଆର୍ଥିକ ସ୍ଥିତିକୁ ନେଇ ଖୋଳତାଡ ଆରମ୍ଭ ହୋଇଛି।

  • ୱେବ ସିରିଜ ବାରଙ୍ଗ-୧୯୯୯କୁ ଅଞ୍ଜନାଙ୍କ ବିରୋଧ

    ଭୁବନେଶ୍ବର: ରିଲିଜ ପୂର୍ବରୁ ବିବାଦରେ ଓଡିଆ ଓ୍ୱେବସିରିଜ ‘ବାରଙ୍ଗ-୧୯୯୯’। ଓଡିଶାର ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ରଙ୍କ ଘଟଣାକୁ ନେଇ ଓ୍ୱେବସିରିଜ ପ୍ରସ୍ତୁତ ହେଉଥିବା ଗଣମାଧ୍ୟମରେ ଆସିବା ପରେ ଦେଖାଯାଇଛି ବିବାଦ। ଚଳଚ୍ଚିତ୍ରକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଅଞ୍ଜନା ମିଶ୍ର। ବିନା ଅନୁମତିରେ ତାଙ୍କ ଉପରେ କିଭଳି ଚଳଚ୍ଚିତ୍ର ନିର୍ମାଣ ହେଉଛି ବୋଲି ପ୍ରଶ୍ନ କରିବା ସହ ଏ ସବୁ ବନ୍ଦ ନ କଲେ ଆଇନର ଆଶ୍ରୟ ନେବି ବୋଲି ଚେତେଇ ଦେଇଛନ୍ତି। ଆଉ ସେପଟେ ପ୍ରଯୋଜକ ଅଞ୍ଜନାଙ୍କ ଉଦେଶ୍ୟରେ କହିଛନ୍ତି କି, ଅଯଥା ଅଧୈର୍ଯ୍ୟ ହୁଅନ୍ତୁନି। ସିନେମା ରିଲିଜ ଯାଏ ଅନ୍ତତଃ ଅପେକ୍ଷା କରନ୍ତୁ।

    ଅଞ୍ଜନା ମିଶ୍ରଙ୍କ କାହାଣୀ କହିବ ବାରଙ୍ଗ ୧୯୯୯। ୯ ଏପିସୋଡରେ ୯୯ର ସେହି ଲୋମହର୍ଷଣକାରୀ ପୁରା ଘଟଣାକୁ ଓଟିଟି ପ୍ଲାଟଫର୍ମରେ ଦେଖିବେ ଦର୍ଶକ। ଓ୍ୱେବସିରିଜି ବାରଙ୍ଗ ୧୯୯୯ ନାଁରେ ଏପିସୋଡକୁ ତୁରନ୍ତ ସାରିବାକୁ ଟାର୍ଗେଟ କରିଛନ୍ତି ପ୍ରଯୋଜକ ଅକ୍ଷୟ ପରିଜା। ହେଲେ ବିନା ଅନୁମତିରେ ତାଙ୍କ କାହାଣୀକୁ ନେଇ କୌଣସି ଚଳଚ୍ଚିତ୍ର ତିଆରି ସପକ୍ଷରେ ନଥିବା ଅଞ୍ଜନା ଗଣମାଧ୍ୟମରୁ ଏ କଥା ଜାଣି ଚିହିଁକି ଉଠିଛନ୍ତି। ଏହା ତାଙ୍କର ସମ୍ମାନ ଉପରେ ଆଞ୍ଚ ଆଣିବ। ପୁରୁଣା କଥାକୁ ମନେ ପକାଇବ। ସେଥିଲାଗି ଯେଉଁମାନେ ମନଇଛା ଏ ସବୁ କରୁଛନ୍ତି, କିଛି କରନ୍ତୁନି ବୋଲି କହିଛନ୍ତି ଅଞ୍ଜନା। କେବଳ ଏତିକି ନୁହେଁ, ଆବଶ୍ୟକ ପଡ଼ିଲେ ଆଇନର ଆଶ୍ରୟ ନେବି ବୋଲି ଚେତେଇ ବି ଦେଇଛନ୍ତି।

    ଏନେଇ ସିନେମାର ପ୍ରଯୋଜକ ଅକ୍ଷୟ ପରିଜା କହିଛନ୍ତି ଯେ, ଏହି ଚଳଚ୍ଚିତ୍ରରେ କାହାର ମର୍ଯ୍ୟଦା ହାନୀ କରିବା, କୌଣସି ରାଜନୈତିକ ଦଳ ବା ବ୍ୟକ୍ତିବିଶେଷଙ୍କୁ ଆକ୍ଷେପ କରିବା ଉଦ୍ଦେଶ୍ୟ ନାହିଁ। ସାଧାରଣ ଲୋକଙ୍କ ଆଇନ ଉପରେ ଥିବା ବିଶ୍ୱାସର ବିଷୟବସ୍ତୁ ଦର୍ଶାଯାଇଛି। ନମସ୍କାର ଓ ଅନୁରୋଧ କରିବା ସହ ଅଞ୍ଜନାଙ୍କୁ ଧୈର୍ଯ୍ୟ ଧରିବାକୁ ଅପିଲ୍ କରିଛନ୍ତି ପ୍ରଯୋଜକ। ସିନେମା ରିଲିଜ ଯାଏ ଅପେକ୍ଷା କଲେ ଏହି ଚଳଚ୍ଚିତ୍ରରେ କାହାର ଚରିତ୍ରକୁ ଦର୍ଶାଯାଇଛି ଜାଣିପାରିବେ। ଗଣମାଧ୍ୟମର  ଆଲୋଚନା ଓ ଆକଳନ ମୁତାବକ ଖବର ଉପରେ ବିଶ୍ୱାସ ନ କରି ଫିଲ୍ମର ରିଲିଜ୍ ଯାଏ ଅପେକ୍ଷା କରନ୍ତୁ।

    ୱେବ୍‌ସିରିଜ ‘ବାରଙ୍ଗ-୧୯୯୯’  ଟି କଞ୍ଚାଲଙ୍କା ଓଟିଟି ପ୍ଲାଟଫର୍ମ ରେ ଚଳଚ୍ଚିତ୍ର ନିର୍ମାଣ କରାଯାଉଛି।  କଞ୍ଚାଲଙ୍କା ଓଟିଟି ପ୍ଲାଟଫର୍ମ ସହ  ପ୍ରଯୋଜକ ନିଜେ ତାଙ୍କ  ସୋସିଆଲ ମିଡିଆରେ ଏହାକୁ ପୋଷ୍ଟ କରିଛନ୍ତି।

    ସ୍ୱରୂପା ମହାପାତ୍ରଙ୍କ ରିପୋର୍ଟ

Back to top button