aquaguard

  • ନକଲି ଆକ୍ୱାଗାର୍ଡ ଠାବ

    କଟକ: ପୁଣି ସିଲଭର ସିଟିରେ ନକଲି ଜିନିଷ ଠାବ । ଏଥର ଟାର୍ଗେଟରେ  ୟୁରେକା ଫୋର୍ବସର ଆକ୍ୱା ଗାର୍ଡ । ନକଲି ଯନ୍ତ୍ରାଂଶ, ନକଲି ଫିଲଟର, ନକଲି କାର୍ବନ ସହିତ ନକଲି ଲୋଗୋ ଆଉ ନକଲି ବ୍ରାଣ୍ଡି କରି କମ୍ପାନୀ ଦର ଠାରୁ କମଦାମରେ  ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି । କଟକ ସହରର ତିନୋଟି  ଜାଗାରେ ଚାଲିଥିଲା ଏହି କଳା କାରନାମା । ବାଦାମବାଡ଼ି ପୋଲିସ ଏହି ନକଲି କମ୍ପାନୀ ଠାବ କରିବା ସହିତ ଦୁଇଜଣଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ।

    ଘରେ ଆକ୍ୱା ଗାର୍ଡ ଲଗାଇବାକୁ ଚିନ୍ତା କରୁଛନ୍ତି କି ? ଆପଣଙ୍କ ଘରକୁ ଆସି କିଏ  କମଦାମରେ ଆକ୍ୱା ଗାର୍ଡ ଲଗାଇବାକୁ ଆପଣଙ୍କୁ ପ୍ରଲୋଭିତ କରିଛି କି ? ତେବେ ସାବଧାନ ! ମାର୍କେଟରେ ବୁଲୁଛି ଡୁପ୍ଲିକେଟ ଆକ୍ୱାଗାର୍ଡ । କମ  ଟଙ୍କା ଲୋଭରେ ଆପଣ କିଣିଥିବା ଆକ୍ୱା ଗାର୍ଡ ଆପଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ଫେଲ ମାରିବ । ଏଭଳି ନକଲି ଆକ୍ୱା ଗାର୍ଡ କମ୍ପାନୀର ପର୍ଦ୍ଦାଫାଶ କରିଛି କଟକ କମିଶନରେଟ ପୋଲିସ ।  ବାଦାମବାଡ଼ି ଅଞ୍ଚଳରେ  ୟୁରେକା ଫୋର୍ବସ କମ୍ପାନୀର ଆକ୍ବାଗାର୍ଡ  ନକଲି ଯନ୍ତ୍ରାଂଶ ତିଆରୀ ଓ ବିକ୍ରି ୟୁନିଟ  ଠାବ କରିଛି ପୋଲିସ । ଏହି ମାମଲା ରେ ଦୁଇଜଣ ଗିରଫ ହୋଇଥିବାବେଳେ ନକଲି ହୋଲଗ୍ରାମ , କ୍ୟୁଆର କୋଡ଼  ଓ ବିଭିନ୍ନ ପ୍ରକାର ନକଲି ସାମଗ୍ରୀ ଜବତ କରିଛି ପୋଲିସ।  ପୋଲିସର ଏକ ଟିମ ଓ ଆକ୍ବାଗାର୍ଡ କମ୍ପାନୀର ଅଧିକାରୀ ଚଢ଼ାଉରେ ସାମିଲ ହୋଇଛନ୍ତି। ଏହାସହ କେଉଁ କେଉଁ ସ୍ଥାନରେ ଏହି ନକଲି ସାମଗ୍ରୀ ବିକ୍ରି କରାଯାଇଛି ତାହାର ମଧ୍ୟ ତଦନ୍ତ କରାଯାଉଛି।  ତେବେ ଗତକାଲି ବଦାମବାଡ଼ି ପୋଲିସ ହାଇକୋର୍ଟ କଲୋନୀ ସହ 3 ଟି ସ୍ଥାନ ରେ ଚଢ଼ାଉ କରିଥିଲା । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ 2 ଜଣଙ୍କୁ ଗିରଫ କରିଥିବା ସୂଚନା ଦେଇଛନ୍ତି ଜୋନ 2 ଏସିପି।

    ପାଖାପାଖି 80 ଲକ୍ଷ ଟଙ୍କାର ସାମଗ୍ରୀ ଜବତ ହେବା ସହ କମ୍ପାନୀ  ଲୋଗୋ ର ଡୁପ୍ଲିକେଟ କରୁଥିବାରୁ ଏହା କମ୍ପାନୀ ପାଇଁ ଚିନ୍ତାଜନକ ବୋଲି କହିଛନ୍ତି କମ୍ପାନୀ ଅଧିକାରୀ । ଅପରପଟେ କମ୍ପାନୀ ଅଧିକାରୀ ଏବଂ କର୍ମଚାରୀଙ୍କ ଏଥିରେ ସମ୍ପୃକ୍ତି ଅଛି ନା ନାହିଁ ସେ ନେଇ ନଜର ରଖା ଯାଇଛି । ସାଧାରଣ ଲୋକ  କମ୍ପାନୀ WEBSITE ରୁ ଉତ୍ପାଦ ଉପରେ ଅଧିକ ବିବରଣୀ ଦେଖି କିଣିବାକୁ  ଅନୁରୋଧ କରିଛନ୍ତି କମ୍ପାନୀର ଅଧିକୃତ ଅଧିକାରୀ ।

    ବାରମ୍ବାର ନକଲି ଜିନିଷ ଜବତ ହେବା ସହ ଗିରଫ ହେଉଛନ୍ତି ଅସାଧୁ ବ୍ୟବସାୟୀ । ଏହି ବ୍ୟବସାୟୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ।

    ଦୀପ୍ତିରଞ୍ଜନ ଶତପଥୀଙ୍କ ରିପୋର୍ଟ

Back to top button