ଓଡ଼ିଶା

ଫସଲ ବୀମା ଦାବିରେ ଗର୍ଜିଲେ ଚାଷୀ

ଟିଟିଲାଗଡ: ଗତ ୨୦୨୧ମସିହା ଫସଲ ବୀମା ଦାବି ନେଇ ଗର୍ଜିଛନ୍ତି ବଲାଙ୍ଗୀର ଜିଲ୍ଲା କୃଷକ ମହା ସଂଗଠନ । ହଜାର ହଜାର ଚାଷୀ ଟିଟିଲାଗଡ ଷ୍ଟେସନରେ ପୋଲିସର ବ୍ୟାରିକେଟ ଭାଙ୍ଗି ଭିତରକୁ ଧସେଇ ପସିଛନ୍ତି । ସେପଟେ ଚାଷୀ ଆନ୍ଦୋଳନକୁ ନେଇ ସାତ ଗୋଟି ଟ୍ରେନ ଚଳାଚଳ ବ୍ୟାହତ ହୋଇଛି । ଫଳରେ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି । ଘଟଣା ସ୍ଥଳରେ ବଲାଙ୍ଗୀର ଜିଲ୍ଲାପାଳଙ୍କ ସହ ଏସ ପି ଓ ଅନେକ ରେଳ ବିଭାଗ ଅଧିକାରୀ ପହଚିଂ ବୁଝାସୁଝା କରିଛନ୍ତି ଚାଷୀଙ୍କୁ ।

ପୋଲିସ ବ୍ୟାରିକେଡ଼ କରିବା ସହ ରେଳ ଷ୍ଟେସନରେ ବ୍ୟାପକ ପୋଲିସ ବି ମୁତୟନ ରହିଛନ୍ତି । ଆଉ ଅନ୍ୟପଟେ ଏହାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆନ୍ଦୋଳନକାରୀମାନେ ଟିଟିଲାଗଡ଼ ରେଲ ଷ୍ଟେସନରେ ପହଂଚିବା ପରେ ଛକା ପଞ୍ଝା  ଦେଖିବାକୁ ମିଳିଥିଲା । ପୋଲିସ ସହ ଚାଷୀଙ୍କ ଧସ୍ତା ଧସ୍ତି ସହ ସୁରକ୍ଷା ବେରିକେଟକୁ ଭାଙ୍ଗି ଥିଲେ ଆନ୍ଦୋଳନକାରୀ ଚାଷୀ l ଗତ ୨୦୨୧  ମସିହାରେ ଫସଲ ବୀମା କରିଥିବା ବେଳେ ବଲାଙ୍ଗୀର ଜିଲ୍ଲାର 95 ଗୋଟି ଗ୍ରାମ ପଂଚାୟତ ଫସଲ ବୀମାରୁ ବଂଚିତ ରହିବାର ଏ ହେଉଛି ଚାଷୀ ମାନଙ୍କ ଅସନ୍ତୋଷର ଚିତ୍ର ।

ଫସଲ ବୀମାକୁ ନେଇ ଗତ ଚାରି ମାସ ଧରି କେନ୍ଦ୍ର ସରକାର, ରାଜ୍ୟ ସରକାର ସମେତ ଜିଲ୍ଲା ପ୍ରଶାସନକୁ ଗୁହାରି କରିଆସୁଥିବା ବେଳେ କେବଳ ପ୍ରତିଶୃତି ହିଁ ମିଳିଥିଲା l ଗତ ୨୬ ତାରିଖରେ ମଧ୍ୟ ରେଲ ରୋକ କରିଥିଲେ ଚାଷୀ । ହେଲେ ଏ ଯାଏଁ ଫସଲ ବୀମା ମିଳିନାହିଁ l ଯାହାକୁ ନେଇ ଉଗ୍ର ରୂପ ଧାରଣ କରିଛି ଚାଷୀ ଆନ୍ଦୋଳନ । ବଲାଙ୍ଗୀର ଜିଲ୍ଲାପାଳ, ବଲାଙ୍ଗୀର ଏସ ପି, ଟିଟିଲାଗଡ଼ ଉପଜିଲ୍ଲାପାଳ ଘଟଣା ସ୍ଥଳରେ ପହଂଚି ଆନ୍ଦୋଳନ କାରୀଙ୍କ ସହ ଆଲୋଚନା କରିଛନ୍ତି  l ଟିଟିଲାଗଡ଼ ରେଲ ଷ୍ଟେସନରେ ରେଲ ରୋକ ଜାରି ରହିଥିବାରୁ ରାଇପୁର ବିଶାଖାପାଟଣା ପାସେଞ୍ଜର ଟ୍ରେନ, ବିଶାଖାପାଟଣା ରୟପୁର ପାସେଞ୍ଜର ଟ୍ରେନ, ହାୱାଡା ଜଗଦଳପୁର ସୁପରଫାଷ୍ଟ ଟ୍ରେନ ବାତିଲ ହୋଇଛି । ଫଳରେ ଟ୍ରେନ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l

ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଳି ଚେତାବନୀ ଦେଇଛନ୍ତି ଆନ୍ଦୋଳନ କାରୀ ଚାଷୀ..

ସଞ୍ଜୟ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button