ଓଡ଼ିଶା

ଭାରତୀୟ ମଜଦୂର ସଂଘର ପ୍ରତିଷ୍ଠା ଦିବସ ପାଳିତ, ଦାବି ପୂରଣ ନହେଲେ ଆନ୍ଦୋଳନ ଚେତାବନୀ

ରାଇରଙ୍ଗପୁର : ରାଇରଙ୍ଗପୁର ପି. ସି.ଏସ. କଲ୍ୟାଣ ମଣ୍ଡପ ଠାରେ ଭାରତୀୟ ମଜଦୂର ସଂଘର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ସହ ବିଭାଗ କାର୍ଯ୍ୟବାହ ଚୈତନ୍ୟ ପ୍ରସାଦ ବାରିକ ଦ୍ୱୀପ ପ୍ରଜ୍ୱଳନ କରି ପ୍ରତିଷ୍ଠା ଦିବସ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବି. ଏମ. ଏସ. ର ରାଜ୍ୟ ସମ୍ପାଦିକା ତଥା ଅଲ ଓଡିଶା ଅଙ୍ଗନବାଡି ଲେଡ଼ିଜ ୱାର୍କର ଏସୋସିଏସନର ସଭାନେତ୍ରୀ ସୁମିତା ମହାପାତ୍ର, ରାଜ୍ୟ ପଦାଧିକାରୀ ତଥା ମୟୁରଭଞ୍ଜ ଜିଲ୍ଲା ବି. ଏମ. ଏସ. ର ଉପଦେଷ୍ଟା ନିଗମାନନ୍ଦ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ସଭାପତିତ୍ୱ କରିଥିଲେ ବି. ଏମ. ଏସ. ର ଜିଲ୍ଲା ସଭାନେତ୍ରୀ ସରସ୍ୱତୀ ଟୁଡୁ । ଏଥିରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିବା ଚୈତନ୍ୟ ପ୍ରସାଦ ବାରିକ ରାଷ୍ଟ୍ର ହିତରେ ଶ୍ରମିକ ମାନଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ ବୋଲି କହିଥିଲେ । ଭାରତୀୟ ମଜଦୂର ସଂଘ ଏକ ଅଣରାଜନୈତିକ ଶ୍ରମିକ ସଂଗଠନ, ଦେଶର ନମ୍ବର ୱାନ ଶ୍ରମିକ ସଂଗଠନର ପତାକା ତଳେ ରହି ଆମ୍ଭେ ଗର୍ବ ଅନୁଭବ କରିବା ଉଚିତ ବୋଲି କହିଥିଲେ । ଅତିଥି ପରିଚୟ ପ୍ରଦାନ ତଥା ମଞ୍ଚ ପରିଚାଳନା କରିଥିଲେ ଜିଲ୍ଲା ସାଧାରଣ ସମ୍ପାଦକ ବୋଧିରଜତ ମହାନ୍ତ ।

 ମୁଖ୍ୟ ଅତିଥି ସୁମିତା ମହାପାତ୍ର କହିଥିଲେ ଯେ, ଅଙ୍ଗନବାଡି କର୍ମୀ ହେଉ ବା ଆଶାକର୍ମୀ, ସେମାନଙ୍କ ଉପରେ ମାତ୍ରାଧିକ କାର୍ଯ୍ୟାଭାର ଲଦି ଦିଅ ଯାଉଥିଲେ ମଧ୍ୟ ଉପଯୁକ୍ତ ଧାର୍ଯ୍ୟ ମୂଲ୍ୟ ପ୍ରଦାନ କରାନଯିବା କ୍ଷୋଭର ବିଷୟ । ଉଜ୍ଜ୍ୱଳା ଦିଦି, ପାଚିକା ତଥା ଅଣସଂଗଠନରେ କାର୍ଯ୍ୟରତ ଭାଇ ଭଉଣୀଙ୍କ ନାର୍ଯ୍ୟଦାବି ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅବହେଳା କରିଥିବା ପ୍ରକାଶ କରିଥିଲେ । ବରିଷ୍ଠ ଶ୍ରମିକ ନେତା ତଥା ସାମ୍ବାଦିକ ନିଗମାନନ୍ଦ ପଟ୍ଟନାୟକ କହିଥିଲେ ଯେ, କଳ କାରଖାନା ମାଲିକ, ଖଣି ଖାଦାନର ମାଲିକଙ୍କ ଠାରୁ ଆରମ୍ଭ କରି ଛୋଟ ଛୋଟ ବ୍ୟବସାୟୀ ମାନେ ଶ୍ରମିକ ମାନଙ୍କର ନ୍ୟାର୍ଯ୍ୟ ଦାବି ନ ଦେଇ ବିଭିନ୍ନ ଆଳ ଦେଖାଇ କମ୍ ଦରମା ଦେବା ତଥା କାମରୁ ବାହାର କରିଦେବା ଭଳି ବହୁ ଘଟଣା ଦୈନନ୍ଦିନ ଘଟୁଛି । ଏଥି ପ୍ରତି ସରକାର ଧ୍ୟାନ ନ ଦେଲେ ଆନ୍ଦୋଳନ ହେବ । ସରକାର ଏହାର କୁପରିଣତି ଆଗାମୀ ଦିନରେ ଦେଖିବେ ବୋଲି ସେ ଚେତାବନୀ ଦେଇଥିଲେ । ବନ୍ଦ ହୋଇଥିବା ଖଣି, କଳ କାରଖାନା ଖୁବ ଶୀଘ୍ର ନଖୋଲିଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି କହିଥିଲେ ।

 ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକର ପ୍ରତିନିଧି ମାନେ ତଥା ଅଙ୍ଗନବାଡି, ଆଶା, ପାଚିକା, ଉଜ୍ଜ୍ୱଳା, ବାମନଘାଟି ଶିଳ୍ପ ମଜଦୂର ସଂଘ, ମାଇନ୍ସ, ମୟୁର ସିରାମିନ୍ସ, ଗ୍ରାମୀଣ କୃଷି ମଜଦୂର ସଂଘ, ଅଣ ସଂଗଠିତ ଶ୍ରମିକ ମାନେ ଅଂଶଗ୍ରହଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶଶୀକଳା ପଲେଇ, ସୁନାମଣୀ ଚାମ୍ପେୟାର, ବିଶ୍ୱମ୍ବର ଦାସ, ମନୋରମା ବେହେରା, ଭୀମ ଚରଣ ମହାକୁଡ଼, ସାରଥୀ ମହାନ୍ତ, ଲାଖିଆ ଟୁଡୁ, ବୈଜନ୍ତୀ ମହାନ୍ତ, ନୀଳାଦ୍ରି ପାତ୍ର, ନବୀନ କୁମାର ବେହେରା, ଲଳିତା ବିନ୍ଧାଣି, ବୀଣାପାଣି ଗାଗରାଇ, ଗୋଲାପୀ ନାଏକ, ନିର୍ମଳ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published.

Back to top button