bjd supporters

  • ବିଜେଡି ସମର୍ଥିତଙ୍କ ଘରେ ଆଇଟି ରେଡ ପଛର କାରଣ

    () ପଦ୍ମପୁରରେ ବିଜେଡି ସମର୍ଥିତ ବ୍ୟବସାୟୀଙ୍କ ଘରେ ଆଇଟି ରେଡକୁ ନେଇ ଜୋର ଧରିଛି ରାଜନୀତି। ଦିବଂଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଖାସ୍ ଅନୁଗତ ଭାବେ ଜଣାଶୁଣା ତଥା ସୁଶାନ୍ତ ସିଂଙ୍କର ଖାସ୍ ସମର୍ଥକ ଭାବେ ପରିଚିତ ତିନି ବ୍ୟବସାୟୀଙ୍କ ଘରେ ଏଭଳି ସମୟରେ ଆୟକର ବିଭାଗର ରେଡ ରାଜନୈତିକ ଦୃଷ୍ଟିକୋଣରୁ ବୋଲି କହିଛି ବିଜେଡି ଓ କଂଗ୍ରେସ। ସେପଟେ ବିଜେପି ଏହାକୁ ଅସ୍ୱୀକାର କରିଛି।

    ବହିଦରପଡାରେ ମହମ୍ମଦ ସାଜିଦ୍, ସାହୁପଡ଼ାର ମାନଭଞ୍ଜନ ସାହୁ ଓ ବଡ଼ପଦାର ଗଜଚ ଅଗ୍ରଓ୍ୱାଲ୍। ପଦ୍ମପୁର ନିର୍ବାଚନମଣ୍ଡଳୀର ଏହି ତିନି ବ୍ୟବସାୟୀଙ୍କ ଘରେ ସକାଳୁ ସକାଳୁ ଆୟକର ବିଭାଗର ୩ଟି ଟିମ୍ ରେଡ୍ ଆରମ୍ଭ କରିଥିଲା। ବଡ଼ କଥା ହେଲା କି, ଏହି ତିନିହେଁ ଦିବଂଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଖାସ୍ ଅନୁଗତ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଖାସ୍ ସମର୍ଥକ ଭାବେ ଜଣାଶୁଣା। ଏମାନଙ୍କ ଘର ଚାରିପଟେ ଘେରିରହିଥିଲେ ସିଆରପିଏଫ ଜବାନ୍। ଏପରିକି ସେମାନଙ୍କ ଓକିଲଙ୍କୁ ବି ଘର ଭିତରକୁ ଛାଡ଼ିନଥିଲେ। ରେଡ୍ ବାବଦରେ ସ୍ଥାନୀୟ ପୁଲିସକୁ ବି ଖବର ନଥିଲା।

    ଉପନିର୍ବାଚନ ମାହୋଲ ବେଳେ ଏଭଳି ରେଡ୍ କାହିଁକି, ତାକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି। ଏଭଳି ରେଡ୍‌ କୁ ରୁଟିନ୍ କାର୍ଯ୍ୟକ୍ରମ ବୋଲି କହି ଆଇନକୁ ତା ବାଟରେ ଦିଆଯାଉ ବୋଲି କହିଛି ବିଜେପି। ପଦ୍ମପୁରରେ ବ୍ୟାପକ କଳାଟଙ୍କା ବୁଲିବା ପଛରେ ଏହି ବ୍ୟବସାୟୀଙ୍କ ଭୂମିକାକୁ ନେଇ ବି ଅଙ୍ଗୁଳି ଉଠିଥିଲା। ବିଜେଡିର କହିବା କଥା, ପଦ୍ମପୁରବାସୀଙ୍କ ମନରେ ଭୟ ସଞ୍ଚାର ଲାଗି ଆଇଟିକୁ ଅସ୍ତ୍ର କରାଯାଇଛି। ପଦ୍ମପୁରରେ ବିଜେପି ହାରୁଥିବାରୁ କେନ୍ଦ୍ରୀୟ ସଂସ୍ଥାର ଅପବ୍ୟବହାର କରୁଛି। କଂଗ୍ରେସ କହିଛି, ଏହା ରାଜନୈତିକ ଆକ୍ରୋଶ। ବିଜେଡି ନେତାଙ୍କ ଘରେ ବିପୁଳ ଟଙ୍କା ନେଇ ଆଇଟି ରେଡ୍ ହେଉଥିଲା ବେଳେ ଆଗକୁ ରାଜ୍ୟ ସରକାର ବି କ୍ରାଇମବ୍ରାଞ୍ଚ ଲଗାଇପାରନ୍ତି ବୋଲି କଂଗ୍ରେସ କହିଛି।

    ପଦ୍ମପୁର ବାଇ-ଇଲେକ୍ସନ ମାହୋଲ ବେଳେ ଆଇଟି ରେଡ୍ ବାଇଆ କଲାଣି। ଏଭଳି ସ୍ଥିତିରେ ଆଗକୁ ରାଜ୍ୟ ସରକାର ସମାନ ଫର୍ମୁଲା ଆପଣାଇ କାଉଣ୍ଟର ଅସ୍ତ୍ର ପ୍ରୟୋଗ କରିବେନି ତ।

    ବରଗଡ଼ରୁ ଧୃବ କର୍ମୀଙ୍କ ସହ ଭୁବନେଶ୍ୱରରୁ ନବକିଶୋର ସାହୁ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

Back to top button